ଭୁବନେଶ୍ୱର: ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ରାଜ୍ୟ ସରକାର ହସ୍ପିଟାଲଗୁଡ଼ିକୁ ୫ଟି ରୂପାନ୍ତରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ହେବ । ତେବେ ଏହି ପର୍ଯ୍ୟାୟରେ କେଉଁ ହସ୍ପିଟାଲଗୁଡ଼ିକ ରୂପାନ୍ତରଣ ହେବ ତାହା ନିଷ୍ପତ୍ତି ହୋଇସାରିଛି । ଏନେଇ ଗୁରୁବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଯାଇଛି । ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍ଏଚ୍ଏସ୍), ରାଉରେକଲା ସରକାରୀ ହସ୍ପିଟାଲ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରଣ ହେବ । ସେହିପରି ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ହସ୍ପିଟାଲ ମଧ୍ୟ ରୂପାନ୍ତରଣ ହେବ । ତେବେ ଡିଏଚ୍ଏଚ୍ଏସ୍, ରାଉରେକଲା ସରକାରୀ ହସ୍ପିଟାଲ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଉ ଅତିରିକ୍ତ ହସ୍ପିଟାଲ ରୂପାନ୍ତରଣ ହେବ ନାହିଁ । ତେବେ ବିଧାନସଭା ନିର୍ବାଚନ ମଣ୍ଡଳୀରେ କେଉଁ ହସ୍ପିଟାଲ ହେବାକୁ ଯୋଗ୍ୟ ହେବ ସେ ନେଇ ମଧ୍ୟ ମାନଦଣ୍ଡ ରହିଛି । ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ଏଫ୍ଆର୍ୟୁ(ଫାଷ୍ଟ ରେଫରାଲ ୟୁନିଟ୍)କୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ ।
ଯଦି ସେହି ଏଫ୍ଆର୍ୟୁ ଚଳିତବର୍ଷ ରୂପାନ୍ତରଣ ହେବା ପାଇଁ ଫିଟ୍ ନଥିବ ତେବେ ସେହି ନିର୍ବାଚନ ମଣ୍ଡଳୀର କୌଣସି ଗୋଟିଏ ଏସ୍ଡିଏଚ୍ କିମ୍ବା ସିଏଚ୍ସିକୁ ମନୋନୀତ କରାଯାଇପାରିବ । ଯେଉଁ ନିର୍ବାଚନ ମଣ୍ଡଳୀରେ ଏଫ୍ଆର୍ୟୁ ନଥିବ ସେଠାରେ ଯେଉଁ ଏସ୍ଡିଏଚ୍ କିମ୍ବା ସିଏଚ୍ସିକୁ ଅଧିକ ରୋଗୀ ଆସୁଥିବେ ତାକୁ ପ୍ରାଧାନ୍ୟ ଦିଆଯିବ । ଯେଉଁ ହସ୍ପିଟାଲଗୁଡ଼ିକର ବିଲ୍ଡିଂ ସିଭିଲ କାମ ପାଇଁ ଅଧିକ ଖର୍ଚ୍ଚ ହେବାକୁ ଥିବ ତାହା ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇପାରିବ ନାହିଁ । ଯେଉଁ ହସ୍ପିଟାଲଗୁଡ଼ିକୁ ଅଧିକ ରୋଗୀ ଆସୁ ନଥିବେ ତାହା ମଧ୍ୟ ୫ଟି ରୂପାନ୍ତରଣ ହୋଇପାରିବ ନାହିଁ । ତେଣୁ ନିର୍ବାଚନ ମଣ୍ଡଳୀର କେଉଁ ହସ୍ପିଟାଲ ରୂପାନ୍ତଣ ହେବ ତାହାର ତାଲିକା ଦେବା ପାଇଁ ଜିଲ୍ଲାପାଳଙ୍କୁ ଚିଠିରେ କୁହାଯାଇଛି । ଏହି ତାଲିକା ଆସନ୍ତା ୫ଦିନ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦ୍ଦେର୍ଶକଙ୍କୁ ପଠଇବା ପାଇଁ ନିଦ୍ଦେର୍ଶ ଦିଆଯାଇଛି ।