ଭୁବନେଶ୍ୱର: ଚଳିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ର ପଞ୍ଚଦଶ ସଂସ୍କରଣରେ ଗୁରୁବାର ନ୍ୟୁଜିଲାଣ୍ଡ୍କୁ ୩-୨ ଗୋଲ୍ରେ ପରାସ୍ତ କରିଛି । ଏଥିସହ ଦଳ ପୁଲ୍ ପର୍ଯ୍ୟାୟରେ ତା’ର ଦ୍ୱିତୀୟ ବିଜୟ ହାସଲ କରି ପଏଣ୍ଟ୍ ଟେବଲ୍ରେ ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡ୍ ୩ ପଏଣ୍ଟ୍ ପାଇଥିବା ବେଳେ ଉଭୟ ଦଳ କ୍ରସ୍ ଓଭର୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ମାଲେସିଆ ଦ୍ୱିତୀୟ ଓ ନ୍ୟୁଜିଲାଣ୍ଡ୍ ତୃତୀୟ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡ୍କୁ ମାତ୍ ଦେବାରେ ମାଲେସିଆର ତାରକା ଖେଳାଳି ଫୈଜଲ୍ ସାରିଙ୍କ ଡବଲ୍ ଗୋଲ୍ ମୁଖ୍ୟ ଭୂମିକା ନିର୍ବାହ କରିଛି ।
ପୂର୍ବରୁ ପୁଲ୍-ସି’ରୁ ପ୍ରଥମ ଦଳ ଭାବେ ନେଦରଲାଣ୍ଡ୍ସ କ୍ୱାର୍ଟର୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଥିବାରୁ ଉଭୟ ଦଳ ଗୁରୁବାର ମ୍ୟାଚ୍ରେ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ । ମ୍ୟାଚ୍ର ପ୍ରଥମ କ୍ୱାର୍ଟର୍ରୁ ହିଁ ଉଭୟ ଦଳ ଆକ୍ରମଣ ପ୍ରତିଆକ୍ରମଣ ଆରମ୍ଭ କରିଦେଇଥିଲେ । ଦ୍ୱିତୀୟ ମିନିଟ୍ରେ ନ୍ୟୁଜିଲାଣ୍ଡ୍କୁ ଏହାର ଫାଇଦା ମଧ୍ୟ ମିଳିଥିଲା । କିନ୍ତୁ ଦଳ ପାଇଥିବା ମ୍ୟାଚ୍ର ପ୍ରଥମ ପେନାଲ୍ଟି କର୍ଣ୍ଣର୍ରୁ ଗୋଲ୍ ହାସଲ କରିବାରେ ବିଫଳ ହୋଇଥିଲା । ସେହିପରି ସପ୍ତମ ମିନିଟ୍ରେ ମାଲେସିଆ ମଧ୍ୟ ନ୍ୟୁଜିଲାଣ୍ଡ ପରି ପାଇଥିବା ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିଣତ କରିପାରି ନ ଥିଲା । କିନ୍ତୁ ଦଳକୁ ଅଗ୍ରଣୀ ହାସଲ କରିବା ସକାଶେ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ି ନ ଥିଲା । ଅଷ୍ଟମ ମିନିଟ୍ରେ ୩୨ ବର୍ଷୀୟ ସାରି ଏକ ଚମତ୍କାର ଫିଲ୍ଡ ଗୋଲ୍ ଦେଇ ମାଲେସିଆକୁ ୧-୦ରେ ଆଗୁଆ କରାଇଥିଲେ ।
ଏହି ଭେଟେରାନ୍ ଖେଳାଳିଙ୍କ ଆକ୍ରମଣର କୌଣସି ଉତ୍ତର ନ୍ୟୁଜିଲାଣ୍ଡ୍ ଡିଫେନ୍ସ ପାଖରେ ନ ଥିଲା । ପ୍ରଥମାର୍ଦ୍ଧ କ୍ୱାର୍ଟର୍ ଶେଷ ସୁଦ୍ଧା ଦଳ ଏହି ଅଗ୍ରଣୀକୁ କାଏମ ରଖିଥିଲା । ଦ୍ୱିତୀୟ କ୍ୱାର୍ଟର୍ରେ ମାଲେସିଆ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ କରିଥିଲା । ଏହି ୧୫ ମିନିଟ୍ ଖେଳରେ ଦଳ ୨ଟି ପେନାଲ୍ଟି କର୍ଣ୍ଣର୍ ପାଇଥିଲା । ଅବଶ୍ୟ ଦଳ କୌଣସି ଗୋଲ୍ ଦେବାରେ ସକ୍ଷମ ହୋଇ ନ ଥିଲା । କିନ୍ତୁ ସମାନ ସମୟରେ ଦଳର ଡିଫେନ୍ସ ବିଭାଗ ଖେଳାଳିମାନେ ନ୍ୟୁଜିଲାଣ୍ଡ୍ ଖେଳାଳିଙ୍କୁ ପ୍ରଭାବ ବିସ୍ତାର କରିବାର ସୁଯୋଗ ଦେଇ ନ ଥିଲେ । ବିଂଶତମ ମିନିଟ୍ରେ ମାଲେସିଆକୁ ମ୍ୟାଚ୍ର ଦ୍ୱିତୀୟ ଓ ୨୩ତମ ମିନିଟ୍ରେ ତୃତୀୟ ପେନାଲ୍ଟି କର୍ଣ୍ଣର୍ ମିଳିଥିଲା । ପ୍ରଥମାର୍ଦ୍ଧ ଖେଳର ୨୯ତମ ମିନିଟ୍ରେ ଆଜୁଆନ୍ ହସନ୍ଙ୍କୁ ଗ୍ରୀନ୍ କାର୍ଡ ମିଳିବା ଫଳରେ ଦ୍ୱିତୀୟ କ୍ୱାର୍ଟର୍ର ଅବଶିଷ୍ଟ ସମୟ ମାଲେସିଆକୁ ୧୦ ଜଣ ଖେଳାଳିରେ ଖେଳିବାକୁ ପଡ଼ିଥିଲା । କିନ୍ତୁ ନ୍ୟୁଜିଲାଣ୍ଡ୍ ଏହାର ଫାଇଦା ନେବାରେ ଅସମର୍ଥ ହେବାରୁ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ମାଲେସିଆ ତା’ର ୧-୦ର ଅଗ୍ରଣୀକୁ ବଜାୟ ରଖିଥିଲା ।
ତୃତୀୟ ଓ ଚତୁର୍ଥ କ୍ୱାର୍ଟର୍ରେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଅଧିକ ତୀବ୍ରତର ହୋଇଥିଲା । ବିଶେଷକରି ତୃତୀୟ କ୍ୱାର୍ଟର୍ରେ ମାଲେସିଆ ତା’ର ଦବ୍ଦବା ଜାହିର୍ କରିଥିଲା । ଏହି କ୍ୱାର୍ଟର୍ରେ ଦଳକୁ ୩ଟି ପେନାଲ୍ଟି କର୍ଣ୍ଣର୍ ମିଳିଥିଲା । ୩୬ତମ ମିନିଟ୍ରେ ଦଳ ମ୍ୟାଚ୍ର ଚତୁର୍ଥ, ୪୨ତମ ମିନିଟ୍ରେ ପଞ୍ଚମ ଓ ଷଷ୍ଠ ପେନାଲ୍ଟି କର୍ଣ୍ଣର୍ ପାଇଥିଲା । ଚତୁର୍ଥ ପେନାଲ୍ଟି କର୍ଣ୍ଣର୍ଟି ବେକାର ଯାଇଥିଲେ ମଧ୍ୟ ୪୨ତମ ମିନିଟ୍ରେ ମିଳିଥିବା କ୍ରମାଗତ ପେନାଲ୍ଟି କର୍ଣ୍ଣର୍ରୁ ମାଲେସିଆ ତା’ର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲା । ଦଳ ରାଜି ରହିମ୍ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ୍ ସ୍କୋର୍ କରିଥିଲେ । ଏହି କ୍ୱାର୍ଟର୍ରେ ମ୍ୟାଚ୍ର ୩୭ତମ ମିନିଟ୍ରେ ନୋର୍ସିଫିକ୍ ସୁମାନ୍ତ୍ରିଙ୍କୁ ଗ୍ରୀନ୍ କାର୍ଡ କାରଣରୁ ଦୁଇ ମିନିଟ୍ ପାଇଁ ପଦାରେ ବସିବାକୁ ପଡ଼ିଥିଲା । ଅନ୍ତିମ କ୍ୱାର୍ଟର୍ରେ ନ୍ୟୁଜିଲାଣ୍ଡ୍ ଦୁଇ ମିନିଟ୍ ଭିତରେ ଦୁଇଟି ଗୋଲ୍ ଦେଇ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲା । ଏହା ପୂର୍ବରୁ ଅମିରୁଲ୍ ଅଜହର୍ଙ୍କୁ ଅମ୍ପାୟାର୍ ଗ୍ରୀନ୍ କାର୍ଡ ଦେଖାଇବା ଫଳରେ ତାଙ୍କୁ ପଡ଼ିଆ ବାହାରକୁ ଯିବାକୁ ପଡ଼ିଥିଲା । ୫୧ତମ ମିନିଟ୍ରେ ନ୍ୟୁଜିଲାଣ୍ଡ୍ ଏହାର ଫାଇଦା ନେଇ ମ୍ୟାଚ୍ର ପ୍ରଥମ ଗୋଲ୍ ଦେଇଥିଲା । ହେଡେନ୍ ଫିଲିପ୍ସ ଫିଲ୍ଡ ଗୋଲ୍ ଦେଇ ବ୍ୟବଧାନକୁ ୧-୨କୁ ହ୍ରାସ କରିଥିଲେ । ସେହିପରି ୫୨ତମ ମିନିଟ୍ରେ ଦଳକୁ ମିଳିଥିବା ମ୍ୟାଚ୍ର ଦ୍ୱିତୀୟ ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିଣତ କରି ନ୍ୟୁଜିଲାଣ୍ଡ୍ ଖେଳାଳି ସାମ୍ ସାମ୍ ଲେନ୍ ସ୍ଥିତି ବରାବର କରିଥିଲେ । କିନ୍ତୁ ମାଲେସିଆ ଖେଳାଳିମାନେ ମ୍ୟାଚ୍ ଜିତିବା ସକାଶେ ବଦ୍ଧପରିକର ଥିବା ପରି ମନେ ହୋଇଥିଲା । ଦଳ ଘନଘନ ଆକ୍ରମଣ କରି ଗୋଲ୍ ସୁଯୋଗ ସୃଷ୍ଟି କରିଥିଲା । ୫୬ତମ ମିନିଟ୍ରେ ଖେଳାଳିମାନଙ୍କୁ ଏହାର ଫାଇଦା ମଧ୍ୟ ମିଳିଥିଲା । ସାରି ତାଙ୍କର ଦ୍ୱିତୀୟ ଗୋଲ୍ ଦେଇ ପୁଣିଥରେ ମ୍ୟାଚ୍ରେ ମାଲେସିଆକୁ ଅଗ୍ରଣୀ କରାଇଥିଲେ ।
ପରବର୍ତ୍ତୀ ମିନିଟ୍ରେ ନ୍ୟୁଜିଲାଣ୍ଡ୍କୁ ତୃତୀୟ ପେନାଲ୍ଟି କର୍ଣ୍ଣର୍ ମିଳିବା ପରେ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ବହୁଗୁଣିତ ହୋଇଥିଲା । କାରଣ ନ୍ୟୁଜିଲାଣ୍ଡ୍ ପାଖରେ ପୁଣିଥରେ ସ୍ଥିତି ବରାବର କରିବାର ସୁଯୋଗ ଉପନୀତ ହୋଇଥିଲା । ତେବେ ନ୍ୟୁଜିଲାଣ୍ଡ୍ ଖେଳାଳିମାନେ ଏହାର ଫାଇଦା ନେଇପାରି ନ ଥିବାରୁ ମାଲେସିଆ ତା’ର ଅଗ୍ରଣୀକୁ କାଏମ ରଖିଥିଲା । ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ୍ ଆଉ କୌଣସି ଗୋଲ୍ ଦେଇ ନପାରିବା ଫଳରେ ମାଲେସିଆ ଏହି ଦଳ ବିପକ୍ଷରେ ତା’ର ସପ୍ତମ ବିଜୟ ହାସଲ କରିପାରିଥିଲା । ସେହିପରି ଦଳ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଦୀର୍ଘ ୪ ବର୍ଷ ପରେ ବିଜୟୀ ହୋଇପାରିଛି । ମାଲେସିଆ ଅଧିନାୟକ ମାରହାନ୍ ଜଲିଲ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ମାଲେସିଆ ତା’ର ପରବର୍ତ୍ତୀ ରାଉଣ୍ଡ୍ ମ୍ୟାଚ୍ ଆସନ୍ତା ୨୨ ତାରିଖରେ ଏଠାରେ ସ୍ପେନ୍ ବିପକ୍ଷରେ ଖେଳିବ ।