26.1 C
Bhubaneswar
Friday, June 27, 2025
Homeଓଡିଶାଜମିଜମା ରେକର୍ଡ କମ୍ପୁଟରୀକରଣରେ ଓଡ଼ିଶା ଏକ ନମ୍ବର: ୧୯ ଜିଲ୍ଲାପାଳଙ୍କୁ ମିଳିବ ଜାତୀୟ ପୁରସ୍କାର

ଜମିଜମା ରେକର୍ଡ କମ୍ପୁଟରୀକରଣରେ ଓଡ଼ିଶା ଏକ ନମ୍ବର: ୧୯ ଜିଲ୍ଲାପାଳଙ୍କୁ ମିଳିବ ଜାତୀୟ ପୁରସ୍କାର

ଭୁବନେଶ୍ୱର: ରାଜ୍ୟରେ ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଟି ଜିଲ୍ଲା ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା ଲ୍ୟାଣ୍ଡ ରେକର୍ଡସ ମର୍ଡନାଇଜେସନ ସୋସାଇଟି (ଓଏଲଆରଏମଏସ)ର ଗଭର୍ଣ୍ଣିଂ ବଡି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି ।

ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ ଯେ ଦେଶରେ ଡିଆଇଏଲଆରଏମପି ଅନ୍ତର୍ଗତ ଛଅଗୋଟି ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋଟ ୭୫ ଟି ଜିଲ୍ଲାକୁ ପ୍ଲାଟିନମ ପୁରସ୍କାର ନିମନ୍ତେ ଚୟନ କରାଯାଇଛି । ଏଥି ମଧ୍ୟରୁ ଓଡିଶାର ୧୯ ଟି ଜିଲ୍ଲା ଅନ୍ତର୍ଗତ ହୋଇଥିବା ଏକ ବିଶେଷ ସଫଳତା । ଏହି ସବୁ ଜିଲ୍ଲା ଗୁଡିକର ଜମିଜମା ରେକର୍ଡ କମ୍ପୁଟରୀକରଣରେ କାର୍ଯ୍ୟଦକ୍ଷତା ୯୯ ପ୍ରତିଶତରୁ ଅଧିକ ଥିଲା । ଆଗାମୀ ଦିନରେ ଏହିସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନୂଆଦିଲ୍ଲୀରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଉତ୍ସବରେ ସମ୍ମାନିତ କରାଯିବ । ପ୍ଲାଟିନମ ପୁରସ୍କାର ନିମନ୍ତେ ବିବେଚିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ ଅନୁଗୁଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେଓଗଡ,ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା ଓ ସମ୍ବଲପୁର ।

ବର୍ତ୍ତମାନ ହାଇଟେକ ସର୍ଭେ ପାଞ୍ଚୋଟି ଜିଲ୍ଲା ଯଥା ଦେବଗଡ, ସୁନ୍ଦରଗଡ, ବଲାଙ୍ଗୀର, ସମ୍ବଲପୁର ଓ ସୁବର୍ଣ୍ଣପୁରରେ କାର୍ଯ୍ୟକାରୀ ହେଉଛି । ଦେବଗଡ ଜିଲ୍ଲାରେ ସର୍ଭେ କାର୍ଯ୍ୟ ଶେଷ ହୋଇଥିଲା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁନ୍ଦରଗଡ ଜିଲ୍ଲାରେ ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଶ୍ରୀ ସାହୁ ସୂଚନା ଦେଇଥିଲେ । ହାଇଟେକ ସର୍ଭେକୁ ବାକିଥିବା ଜିଲ୍ଲା ଗୁଡିକରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ବାବଦରେ ଓରସାକ ଏକ ସବିଶେଷ ପ୍ରସ୍ତାବ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗକୁ ପଠାଇବାପରେ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ । ଲାଇସେନ୍ସ ପ୍ରାପ୍ତ ସର୍ଭେୟରମାନଙ୍କୁ ସରକାରୀ ଓ ବେସରକାରୀ ପଲିଟେକନିକ କଲେଜ ସହ ଅନୁବନ୍ଧିତ କରାଯିବା ପରେ ଏକ ତିନି ମାସିଆ ତାଲିମ ପ୍ରଦାନ ବ୍ୟବସ୍ଥା କରାଯାଇ ସାର୍ଟିଫିକେଟ ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ନିମନ୍ତେ ଧାର୍ଯ୍ୟ କାର୍ଯ୍ୟସୁଚୀକୁ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଶଶଧର ନାୟକ ଉପସ୍ଥାପନ କରିଥିଲେ ।

ଗତଥର ଅନୁଷ୍ଠିତ ହୋଇଥିବା ବୈଠକରେ ସଭାର ନିଷ୍ପତ୍ତି ଗୁଡିକ ଉପରେ ନିଆ ଯାଇଥିବା ପଦକ୍ଷେପ ସବୁକୁ ଗ୍ରହଣ କରଯାଇଥିଲା । ଉକ୍ତ ବୈଠକରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ,ବିଧି ବିଭାଗର ପ୍ରମୁଖ ଶାସନ ସଚିବ ଧନେଶ୍ୱର ମଲ୍ଲିକ, ଓରସାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ, ଓକାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ କୁମାର ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ବିଏସଏନଲର ଡିଜିଏମ ଓ ଏନଆଇସିର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking