19.1 C
Bhubaneswar
Friday, January 10, 2025
Homeଓଡିଶାଏଣିକି ଡ୍ରାଇଭିଂ ଲାଇସେନ୍ସ ନବୀକରଣ ଲାଗି ଅନ୍‌ଲାଇନ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ

ଏଣିକି ଡ୍ରାଇଭିଂ ଲାଇସେନ୍ସ ନବୀକରଣ ଲାଗି ଅନ୍‌ଲାଇନ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ

ଭୁବନେଶ୍ୱର: ଆସନ୍ତା ୨୬ରୁ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ପାଇଁ ଅନ୍‌ଲାଇନ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ ହେବ । ୪୦ ବର୍ଷରୁ ଅଧିକ ବୟସ୍କ ଆବେଦନକାରୀଙ୍କ ପାଇଁ ଏହି ନିମୟ ଲାଗୁ ହେବ । ନୂତନ ଲର୍ଣ୍ଣସ ଲାଇସେନ୍ସ (ଏଲ୍‌ଏଲଆର) କିମ୍ବା ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଆବେଦନକାରୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ । ବର୍ତ୍ତମାନ ଆବେଦନକାରୀମାନେ ଏକ କାଗଜ ଫର୍ମାଟରେ ମାନୁଆଲ ଡାକ୍ତର ପ୍ରମାଣପତ୍ର ଦେଉଛନ୍ତି । ଅନ୍‌ଲାଇନ ଆବେଦନ ସମୟରେ ଏହାକୁ ସାରଥି ପୋର୍ଟାଲରେ ଅପ୍‌ଲୋଡ କରୁଛନ୍ତି । ଏହି ପ୍ରକ୍ରିୟାରେ ଡାକ୍ତରୀ ପ୍ରମାଣପତ୍ରର ସତ୍ୟତା ଜାଣିବା ସମ୍ଭବ ହେଉ ନାହିଁ । ନକଲି ଡାକ୍ତର ପ୍ରମାଣପତ୍ର ମଧ୍ୟ ଅପ୍‌ଲୋଡ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି ।

କେନ୍ଦ୍ରୀୟ ମୋଟରଯାନ ରୁଲ୍‌-୧୯୮୯ ଅନୁଯାୟୀ ୪୦ ବର୍ଷରୁ ଅଧିକ ବୟସ୍କ ଆବେଦନକାରୀଙ୍କ ପାଇଁ ଫର୍ମ ୧-ଏ’ରେ ନୂତନ ଲର୍ଣ୍ଣସ ଲାଇସେନ୍ସ (ଏଲ୍‌ଏଲ୍‌ଆର) କିମ୍ବା ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌)ର ନବୀକରଣ ପାଇଁ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । ଏହି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବା ଏବଂ ପ୍ରକୃତ ଡାକ୍ତରଙ୍କ ଦ୍ୱାରା ଉପଯୁକ୍ତ ଡାକ୍ତରୀ ପରୀକ୍ଷା (ମେଡିକାଲ କାଉନ୍‌ସିଲ ଅଫ୍ ଇଣ୍ଡିଆ ଅଧୀନରେ ପଞ୍ଜୀକରଣ ସହିତ ଏମ୍‌ବିବିଏସ୍ ଡିଗ୍ରୀଧାରୀ) ନିଶ୍ଚିତ କରିବାକୁ ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଏକ ନୂତନ ଅନ୍‌ଲାଇନ ଡାକ୍ତର ପଞ୍ଜୀକରଣ ପୋର୍ଟାଲ୍ ବିକଶିତ କରିଛନ୍ତି । ଏଥିରେ ପ୍ରାୟ ୧୬୭ ଏମ୍‌ବିବିଏସ୍ ଡାକ୍ତର ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି । ସେମାନେ ସାରଥି ପୋର୍ଟାଲ୍ ମାଧ୍ୟମରେ ଅନ୍‌ଲାଇନ ଜରିଆରେ ସିଧା ସଳଖ ଡିଏଲ୍ ଏବଂ ଏଲ୍‌ଏଲ୍ ଆବେଦନକାରୀଙ୍କୁ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିପାରିବେ । ଏହାଦ୍ୱାରା ଫର୍ମ ୧-ଏ’ର କୌଣସି ଅପ୍‌ଲୋଡ କରିବା ଆଉ ଆବଶ୍ୟକ ହେବ ନାହିଁ । ଡାକ୍ତରଙ୍କ ସମସ୍ତ ବିବରଣୀ ସାରଥୀ ୱେବ୍ ପୋର୍ଟାଲରେ ଉପଲବ୍ଧ ରହିଛି ।

ଓଡ଼ିଶା ସରକାରଙ୍କ ୫-ଟି ନୀତି ଅନୁଯାୟୀ ପରିବହନ ବିଭାଗର ଇଲେକ୍ଟ୍ରୋନିକ୍ ଫର୍ମାଟରେ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏପରି କି କୌଣସି ଆବେଦନକାରୀ ନକଲି ଡାକ୍ତରୀ ପ୍ରମାଣପତ୍ର ଅପ୍‌ଲୋଡ୍ କରିପାରିବେ ନାହିଁ, ତାହା ନିଶ୍ଚିତ କରାଯାଇପାରିବ । ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ ପୂର୍ବରୁ ୱେବ୍ ପୋର୍ଟାଲ ଉନ୍ମୋଚିତ ହୋଇଛି । ଆବେଦନକାରୀ ବିନା ଅସୁବିଧାରେ ସିଧାସଳଖ ଡାକ୍ତରୀ ପ୍ରମାଣପତ୍ର ପାଇପାରିବେ । ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡ଼ି କାଗଜପତ୍ର ପାଇଁ ଆର୍‌ଟିଓରେ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡ଼ା ହେବାକୁ ପଡୁଛି । ଏହାଦ୍ୱାରା ଜନସାଧାରଣଙ୍କ ସମୟ ଅପଚୟ ହେବା ସହ ଆର୍‌ଟିଓରେ ମଧ୍ୟ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଛି । ଅନ୍‌ଲାଇନ ମାଧ୍ୟମରେ ସମସ୍ତ କାର୍ଯ୍ୟ କରାଗଲେ ଲୋକମାନଙ୍କୁ ତୁରନ୍ତ ସେବା ମିଳିପାରିବ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି ।(ଦେବୀ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking