ବ୍ରହ୍ମପୁର: ଜମାକାରୀଙ୍କ ଟଙ୍କା ଠକେଇ ମାମଲାର ଶୁଣାଣି କରି ସିଜେଏମ୍ ବିଷ୍ଣୁପ୍ରସାଦ ମିଶ୍ର ଉପଯୁକ୍ତ ପ୍ରମାଣ ଅଭାବାରୁ ରାଇଟ ମେକ୍ସ ଟେକ୍ନୋ ଟ୍ରେଡ଼ ଇଣ୍ଟରନ୍ୟାସନାଲ କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ତିନିଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସେମାନେ ହେଲେ ସଂସ୍ଥାର ନିର୍ଦ୍ଦେଶକ ତଥା ତାମିଲନାଡୁ କୋଏମ୍ବାଟୁରୁର କେ.ଆର. ଶ୍ରୀନିବାସ୍, ଏଜେଣ୍ଟ ପିଣ୍ଟୁ ସାମଲ ଓ ରମେଶ ବେହେରା । ଏହି ମାମଲା ବିଚାର ବେଳେ ୭ଜଣ ସାକ୍ଷୀଙ୍କ ବୟାନ ରୋକର୍ଡ଼ କରାଯାଇଥିବା ବରିଷ୍ଠ ଆଇନଜୀବୀ ଡ଼ି. ଶଙ୍କର ରାଓ ଆଚାରୀ ସୂଚନା ଦେଇଛନ୍ତି । ଦୀର୍ଘ ୧୧ବର୍ଷ ଧରି ମାମଲା ବିଚାର ଥିବା ବେଳେ ଏହାର ଚୂଡ଼ାନ୍ତ ଶୁଣାଣି ହୋଇଛି । ସୂଚନାଯୋଗ୍ୟ ଯେ ୨୦୧୧ ମସିହାରେ ଉପରୋକ୍ତ ଅର୍ଥ ଲଗାଣକାରୀ ସଂସ୍ଥାର ଏକ ଶାଖା ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଅଞ୍ଚଳରେ ଖୋଲିଥିଲା । ସେଠାରେ କାର୍ଯ୍ୟରତ ଏଜେଣ୍ଟ ପିଣ୍ଟୁ ସାମଲ ଓ ରମେଶ ବେହେରା ଅଧିକ ସୁଧର ପ୍ରଲୋଭନ ଦେଖାଇ ଗ୍ରାମାଞ୍ଚଳର ନିରୀହ ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ସେମାନଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ଉକ୍ତ ସଂସ୍ଥାରେ ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମର ଜି. ଜୟରାଜୁ ଲକ୍ଷାଧିକ ଟଙ୍କା ଜମା କରିଥିଲେ । କିନ୍ତୁ ନିର୍ଦ୍ଧାରିତ ସମୟରେ ମଧ୍ୟ ସେ ଫେରସ୍ତ ପାଇ ପାରିନଥିଲେ । ଯାହାଫଳରେ ଗତ ୨୦୧୧ ନଭେମ୍ବର ୧୭ ତାରିଖରେ ସେ ଠକେଇର ଶିକାର ହେବା ନେଇ ଚମାଖଣ୍ଡି ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ କ୍ରମେ ପୁଲିସ ୫/୧୧ରେ ଏକ ମାମଲ ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏହି ଘଟଣାରେ ପୁଲିସ ଉପରୋକ୍ତ ସଂସ୍ଥାର ଦୁଇ ଜଣ ଏଜେଣ୍ଟ ପିଣ୍ଟୁ ସାମଲ ଓ ରମେଶ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ସଂସ୍ଥା ନିର୍ଦ୍ଦେଶକ କେ. ଆର .ଶ୍ରୀନିବାସନଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ଉପରୋକ୍ତ ଅଭିଯୁକ୍ତମାନେ ହାଇକୋର୍ଟରୁ ଜାମିନ ପାଇଥିଲେ । ଏହି ମାମଲାରେ ଚମାଖଣ୍ଡି ଥାନାର ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଜ୍ୟୋଛନା କାଉଁରୀ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । କୋର୍ଟ ଉକ୍ତ ମାମଲାର ବିଚାରଣା କରି ରାଇଟ ମେକ୍ସ ଟେକ୍ନୋ ଟ୍ରେଡ଼ ଇଣ୍ଟରନେସନାଲ କ୍ୟାମ୍ପନୀର ନିର୍ଦ୍ଦେଶକ ସମେତ ତିନିଜଣଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ସରକାରଙ୍କ ପକ୍ଷରୁ ଏପିପି ରାଜେନ୍ଦ୍ର ସାବତ ଓ ମୁଦୁଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡ଼ି. ଶଙ୍କର ରାଓ ଆଚାରୀ ମକଦ୍ଦମା ପରିଚାଳନା କରିଥିଲେ ।