ନୂଆଦିଲ୍ଲୀ: ଦେଶରେ ଅନେକ ଦିନ ମଜୁରିଆ ଜୀବନ ହାରୁଛନ୍ତି । ୨୦୧୪ରୁ ୨୦୨୧ ମଧ୍ୟରେ ଦେଶରେ ୨୩୫,୭୯୯ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି । ସବୁଠୁ ଅଧିକ ମାମଲା ତାମିଲନାଡୁରେ ଘଟିଥିବା ତଥ୍ୟରୁ ଜଣାପଡିଛି । ଏଠାରେ ଦିନ ମଜୁରିଆ ଆତ୍ମହତ୍ୟା ସଂଖ୍ୟା ୪୪, ୨୫୪ ଥିବାବେଳେ ମହାରାଷ୍ଟ୍ରରେ ୨୯,୫୧୬, ମଧ୍ୟପ୍ରଦେଶରେ ୨୫,୪୮୬, ତେଲେଙ୍ଗାନାରେ ୨୩,୮୩୮, କେରଳରେ ୧୯,୯୩୦ ଏବଂ ଗୁଜୁରାଟରେ ୧୭,୯୦୮ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି । ସରକାରଙ୍କ ପକ୍ଷରୁ ଲୋକସଭାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ । କଂଗ୍ରେସ ସାଂସଦ ମହମ୍ମଦ ଜାବେଦଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ । ଯେଉଁଥିରେ ପ୍ରଶ୍ନ ଥିଲା କି କଣ ଏହା ସତ ୨୦୧୪ ପରେ ଦେଶ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦିନ ମଜୁରିଆଙ୍କ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ତଥ୍ୟ ଅନୁସାରେ ୨୦୧୪-୨୧ ମଧ୍ୟରେ ଦେଶରେ ୨୩୫,୭୯୯ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି ।
ତାମିଲନାଡୁରେ ୨୦୧୯, ୨୦୨୦ ଏବଂ ୨୦୨୧ରେ ଯଥାକ୍ରମେ ୫୧୮୬, ୬୪୯୫, ୭୬୭୩ ଜଣ ଆତ୍ମହତ୍ୟା କରିଥିଲେ । ସେହି ସମାନ ବର୍ଷ ମହାରାଷ୍ଟ୍ରରେ ଯଥାକ୍ରମେ ୪୧୨୮, ୪୧୭୬, ୫୨୭୨, ମଧ୍ୟପ୍ରଦେଶରେ ୩୯୬୪, ୪୯୪୫, ୪୬୫୭ ଏବଂ ତେଲେଙ୍ଗାନାରେ ୨୮୫୮, ୩୮୩୧, ୪୨୨୩ ଦିନ ମଜୁରିଆ ଜୀବନ ହାରିଛନ୍ତି । ନ୍ୟାସନାଲ କ୍ରାଇମ୍ ବ୍ୟୁରୋ (ଏନ୍ସିଆରବି) ପକ୍ଷରୁ ମିଳିଥା ତଥ୍ୟକୁ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗତକାଲି ଲୋକସଭାରେ ଉପସ୍ଥାପିତ କରିଥିଲେ । ସେ କହିଥିଲେ ଦେଶରେ ଗତବର୍ଷ ୧, ୬୪,୦୦୩ ଜଣ ଆତ୍ମହତ୍ୟା କରିଛନ୍ତି । ସେଥିରୁ ୪୨ ହଜାର ୪ ଜଣ ଦିନ ମଜୁରିଆ ଓ ୨୩ ହଜାର ୧୭୯ ଜଣ ଗୃହିଣୀ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ହଜାର ୨୩୧ ଜଣ ରୋଜଗାରକ୍ଷମ ବ୍ୟକ୍ତି, ୧୫ ହଜାର ୮୭୦ ଜଣ ଦରମା ପାଉଥିବା ବ୍ୟକ୍ତି, ୧୩ ହଜାର ୭୧୪ଜଣ ବେକାର, ୧୩ ହଜାର ୮୯ ଜଣ ବିଦ୍ୟାର୍ଥୀ, ୧୨ ହଜାର ୭୭ ଜଣ ବ୍ୟବସାୟୀ, ୧୧ ହଜାର ୪୩୧ ଜଣ ଘରୋଇ ସଂସ୍ଥା ଚାକିରି କରିଥିବା ବ୍ୟକ୍ତି ରହିଛନ୍ତି ।