ଭୁବନେଶ୍ୱର: ବାତ୍ୟା ମାଣ୍ଡୋସ୍ ପ୍ରଭାବରେ ଶୀତ କମିଛି । ଆସନ୍ତା ୩ ଦିନ ଏମିତି ସ୍ଥିତି ଜାରି ରହିବ । ତା’ପରେ ରାଜ୍ୟକୁ ପୁଣି ଶୀତ ଫେରିିବ । ତାପମାତ୍ରା ପାଖାପାଖି ୩ ଡିଗ୍ରୀ ଯାଏ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ, ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଆସନ୍ତା ୧୩ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି । ଏହା ଧୀରେଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଭାରତ ଉପକୂଳରୁ ଦୂରେଇଯିବ । ତେଣୁ ଓଡ଼ିଶା କିମ୍ବା ଭାରତ ଉପରେ ଏହାର ପ୍ରଭାବ ପଡ଼ିବନାହିଁ । ଅପରପକ୍ଷେ ମାଣ୍ଡୋସ୍ ପ୍ରଭାବରେ ରବିବାର ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ଗଜପତି ଆଦି ଅଞ୍ଚଳର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି । ଆଜିଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଆକାଶ ନିର୍ମଳ ରହିବ । ରାଜଧାନୀ ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ତାପମାତ୍ରା ସର୍ବାଧିକ ୨୯ଡିଗ୍ରୀ ଓ ସର୍ବନିମ୍ନ ୧୭ଡିଗ୍ରୀ ମଧ୍ୟରେ ରହିବ ।