ଭୁବନେଶ୍ୱର: ସୋମବାର ସରୁଛି ରାଜ୍ୟର ସବୁଠାରୁ ବଡ଼ ହନିଟ୍ରାପ୍ ଏବଂ ବ୍ଲାକ୍ମେଲିଂ ମାମଲାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଅର୍ଚ୍ଚନା ନାଗଙ୍କ ୭ଦିନିଆ ରିମାଣ୍ଡ ଅବଧି । ୬ଦିନ ଭିତରେ ସେ ମୁହଁଖୋଲିଲେନି । ତାଙ୍କଠାରୁ ତଥ୍ୟ ଓଗାଳିବାକୁ ଚେଷ୍ଟାକରି ହାଲିଆ ହୋଇପଡ଼ିଛନ୍ତି ଇଡି ଅଧିକାରୀ। ହାତରେ ଗୋଟିଏ ଦିନ ଥିବାରୁ ଅର୍ଚ୍ଚନା କ’ଣ କହିବେ; ତାହା ଉପରେ ନିର୍ଭର କରୁଛି ତଦନ୍ତର ଗତି । ଅର୍ଚ୍ଚନାଙ୍କୁ ଇଡି ରିମାଣ୍ଡ ମିଳିବା ପରେ ଇଡି କାର୍ଯ୍ୟାଳୟରେ ବଡ଼ବଡ଼ିଆଙ୍କ ଲମ୍ବା ଲାଇନ୍ ଲାଗିବ, ସେମାନଙ୍କୁ ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା କରାଯିବ- ଏଭଳି ଯେଉଁ ଅନୁମାନ କରାଯାଉଥିଲା; ସେପରି କିଛି ବି ହେଲାନି । ରିମାଣ୍ଡକୁ ଆଉ ମାତ୍ର ଏକଦିନ ବାକି । ଅର୍ଚ୍ଚନା ମୁହଁ ଖୋଲୁନଥିବାରୁ ବଡ଼ବଡ଼ିଆଙ୍କ ଗୁମର ଫିଟିବା ନେଇ ସନ୍ଦେହ ସୃଷ୍ଟିହେଲାଣି । ସେପଟେ ବିଭିନ୍ନ ମାମଲାରେ ମୁଖ୍ୟ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କର ପତ୍ତାନାହିଁ । ତାଙ୍କୁ ଇଡି ଦୁଇଥର ଡକାଇଥିଲା ।
ସେ ଏବେ କେଉଁଠି? ତାଙ୍କର ପତ୍ତାପାଉନି ଇଡି । ଅର୍ଚ୍ଚନା ସମ୍ଭବତଃ ଏହି ଶ୍ରଦ୍ଧାଞ୍ଜଳିଙ୍କୁ ଟାର୍ଗେଟ୍ କରି ‘ସୋ-କଲ୍ଡ ଭିିକ୍ଟିମ୍’ ବୋଲି କହିଥିଲେ । ଶ୍ରଦ୍ଧାଞ୍ଜଳି-ଅର୍ଚ୍ଚନାଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲେ ଅନେକ ତଥ୍ୟ ମିଳିପାରିଥା’ନ୍ତା ବୋଲି ଏକ୍ସପର୍ଟ କହିଛନ୍ତି । ମାମଲା ସାମ୍ନାକୁ ଆସିବା ଦିନଠାରୁ ଏଥିରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା । ହାଇପ୍ରୋଫାଇଲ ରାଜନେତାଙ୍କ ଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀ, ଜମି ମାଫିଆ, ଗାଡ଼ି ବ୍ୟବସାୟୀ ଏବଂ ପାୱାର କରିଡରର ଜଣାଶୁଣା ହସ୍ତୀମାନେ ଏଥିରେ ଛନ୍ଦି ହୋଇଥିବା ନେଇ ଚର୍ଚ୍ଚା ବଢ଼ିଥିଲା । କାହାର ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା ତ ପୁଣି ଆଉ କାହାର ଫଟୋ ପୋଜ୍କୁ ନେଇ ଗରମ ହୋଇଥିଲା ସୋସିଆଲ ମିଡିଆ । ପୁଣି କିଏ ବ୍ୟବସାୟିକ ସମ୍ପର୍କ ରଖିଥିଲା ।
ଏହି ହସ୍ତୀମାନଙ୍କର ଲିଙ୍କ୍ ପଦାକୁ ଆସିବ ଏବଂ ଅର୍ଚ୍ଚନା ସମ୍ରାଜ୍ୟର ଗୁମର ଖୋଲିବ ବୋଲି ରାଜ୍ୟବାସୀ ଆଶାବାନ୍ଧି ବସିଥିଲେ । କୁହାଯାଉଛି, ଅର୍ଚ୍ଚନା ଗିରଫ ହେବା ଦିନଠାରୁ ମାମଲାକୁ ଚାପିବାରେ ଲାଗିଥିଲା ପୁଲିସ । କାହାକୁ କିଛି ନ ଜଣାଇ ଚୁପ୍ ଚାପ୍ ଜେଲ୍ ପଠାଇ ଦିଆଯାଇଥିଲା ଅର୍ଚ୍ଚନାଙ୍କୁ । ୩ ଦିନ ପର୍ଯ୍ୟନ୍ତ ପୁଲିସର ବରିଷ୍ଠ ଅଧିକାରୀମାନେ ଏହାକୁ ଅସ୍ୱୀକାର କରିଥିଲେ । ପରବର୍ତ୍ତୀ ସମୟରେ ଏହି ଘଟଣା ଉପରେ ନିରବତା ଦେଖାଇଥିଲେ । ସାଧାରଣତଃ ପୁଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କଲେ ସାମ୍ବାଦିକ ସମ୍ମିଳନୀ କରିଥାଏ । ନଚେତ୍ ପ୍ରେସ୍ ରିଲିଜ୍ ଦେଇଥାଏ । ହେଲେ ଏହି ମାମଲା ରାଜ୍ୟର ଏକ ସମ୍ବେଦନଶୀଳ ଏବଂ ସବୁଠାରୁ ବଡ ବ୍ଲାକ୍ମେଲିଂ ମାମଲାରେ ପୁଲିସର ଚୁପୁଚାପ୍ କାମକରିବା ଶୈଳୀ ତଦନ୍ତ ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଆଣିଥିଲା । ଅର୍ଚ୍ଚନା ମଧ୍ୟ ଏନେଇ ସମାନ ଅଭିଯୋଗ ଆଣିଥିଲେ । କ’ଣ ପାଇଁ ତାଙ୍କୁ ଚୁପ୍ଚାପ୍ ଗିରଫ କରାଗଲା ସେ ପ୍ରଶ୍ନ କରିଥିଲେ । ଚାପର ବଶବର୍ତ୍ତୀ ହୋଇ ପୁଲିସ ଅର୍ଚ୍ଚନା ଗିରଫ ହେବାର ଦୀର୍ଘଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରି ଚୁପ୍ ବସିଗଲା ।