ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।୨୧ରେ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷା ହୋଇଥିଲା । ସେହିପରି ଆଜି ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ଦୁଇ ଦିନ ଅନ୍ୟ ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ । ୨୩ ତାରିଖରୁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହା ସହିତ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨/୩ ଡିଗ୍ରୀ କମ୍ ରହିବ ବୋଲି କୁହାଯାଇଛି ।
ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଜି ରାଜ୍ୟର ୧୩ଟି ସହରର ତାପମାତ୍ରା ୧୩ ଡିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ଓ କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଠାରେ ରେକର୍ଡ ହୋଇଛି । ଏଠାରେ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା କିରେଇରେ ତାପମାତ୍ରା ୯.୫ , ଫୁଲବାଣୀରେ ୯.୬, ଦାରିଙ୍ଗବାଡିରେ ୧୦, କୋରାପୁଟରେ ୧୦, କେନ୍ଦୁଝରରେ ୧୦, ଭବାନୀପାଟଣାରେ ୧୦.୬, ଝାରସୁଗୁଡ଼ାରେ ୧୦.୮, ଚିପିଲିମାରେ ୧୦.୮, ସୁନ୍ଦରଗଡ଼ରେ ୧୨.୫ ଓ ଦେବଗଡ଼ରେ ୧୨.୫ ଡିଗ୍ରୀ ସେଲସିୟଅସ୍ ରେକର୍ଡ ହୋଇଛି । ଟ୍ୱିନସିଟିର ତାପମାତ୍ରା ମଧ୍ୟ ୧୭ ଡିଗ୍ରୀ ତଳକୁ ଖସିଛି । ଗତ ରାତିରେ କଟକର ତାପମାତ୍ରା ୧୬.୬ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରର ୧୬.୫ ଡିଗ୍ରୀ ରହିଥିଲା ।