ଦୋହା : ଚଳିତ ଫିଫା ବିଶ୍ୱକପ୍ର ୨୨ତମ ସଂସ୍କରଣରେ ସୋମବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ପ୍ରତିଦ୍ୱନ୍ଦ୍ୱୀ ଇରାନ୍କୁ ୬-୨ ଗୋଲ୍ରେ ପରାସ୍ତ କରି ଦମ୍ଦାର ତରିକାରେ ତା’ର ଅଭିଯାନ ଆରମ୍ଭ କରିଛି । ଏଠାକାର ଖଲିଫା ଇଣ୍ଟରନାସନାଲ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଗ୍ରୁପ୍-ବି’ର ଏହି ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ପକ୍ଷରୁ ବୁକାୟୋ ସାକା ଡବଲ୍ ଗୋଲ୍ ଦେଇଥିବା ବେଳେ ଜୁଡ୍ ବେଲିଙ୍ଗ୍ହାମ୍, ରହିମ୍ ଷ୍ଟର୍ଲିଂ, ମାର୍କସ୍ ରାଶ୍ଫୋର୍ଡ ଓ ଜ୍ୟାକ୍ ଗ୍ରୀଲିଶ୍ ଗୋଲ୍ ସ୍କୋର୍ କରିଥିଲେ । ସେହିପରି ପ୍ରତିପକ୍ଷ ଇରାନ୍ ପକ୍ଷରୁ ଦୁଇଟିଯାକ ଗୋଲ୍ ମେହଦି ତାରେମି ଦେଇଥିଲେ ହେଁ ଏହା କେବଳ ଦଳର ପରାଜୟ ବ୍ୟବଧାନକୁ ହ୍ରାସ କରିପାରିଥିଲା । ମ୍ୟାଚ୍ର ୨୮ତମ ମିନିଟ୍ରେ ସାକା ଗୋଲ୍ ପାଇଁ ଉଦ୍ୟମ କରିଥିଲେ ହେଁ ତାଙ୍କ ଶଟ୍ ସିଧାସଳଖ ଇରାନ୍ ଗୋଲ୍କିପର୍ଙ୍କ ହାତକୁ ଚାଲିଯାଇଥିଲା । ୩୨ତମ ମିନିଟ୍ରେ ଇଂଲିଶ୍ ଖେଳାଳି ମାଗୁଇର୍ଙ୍କ ହେଡର୍ ଇରାନ୍ ଗୋଲ୍ପୋଷ୍ଟ୍ର ଉପର ବାର୍ରେ ବାଜି ଫେରିଆସିଥଥିଲା । ତେବେ ୩୫ତମ ମିନିଟ୍ରେ ଇଂଲଣ୍ଡକୁ ଅଗ୍ରଣୀ ମିଳିଥିଲା ।
ଯୁବ ଖେଳାଳି ବେଲିଙ୍ଗହାମ୍ ସାଥୀ ଖେଳାଳି ଲୁକ୍ ଶ’ଙ୍କ ପାସ୍କୁ ହେଡର୍ ମାଧ୍ୟମରେ ଇରାନ୍ ଗୋଲ୍ପୋଷ୍ଟ୍ ଭିତରେ ପ୍ରବେଶ କରାଇଥିଲେ । ଏଥିସହ ବେଲିଙ୍ଗହାମ୍ ଅନ୍ତର୍ଜାତୀୟ ଫୁଟବଲ୍ରେ ତାଙ୍କର ପ୍ରଥମ ଗୋଲ୍ ସ୍କୋର୍ କରିଥିଲେ । ଏହାର ୮ ମିନିଟ୍ ପରେ ସାକା ଇଂଲଣ୍ଡ ଦଳର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ପରେ ୪୫ତମ ମିନିଟ୍ରେ ଇଂଲିଶ୍ ଅଧିନାୟକ ହ୍ୟାରୀ କେନ୍ ସହଯୋଗରେ ଇରାନ୍ ସର୍କଲ୍ରେ ଷ୍ଟର୍ଲିଂ ପ୍ରବେଶ କରିବା ସହ ଦଳ ପକ୍ଷରୁ ତୃତୀୟ ଗୋଲ୍ ଦେଇଥିଲେ । ତାଙ୍କ ବୁଟ୍ର ବାହାର ପଟରେ ବଲ୍ ବାଜି ଗୋଲ୍ପୋଷ୍ଟ୍ ଭିତରେ ପ୍ରବେଶ କରିବା ଫଳରେ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୩-୦ରେ ଅଗ୍ରଣୀ ହାସଲ କରିଥିଲା । ପ୍ରଥମ ୪୫ ମିନିଟ୍ର ଖେଳ ଶେଷ ହେବା ପରେ ଅତିରିକ୍ତ ସମୟରେ ୪୫+୧୧ତମ ମିନିଟ୍ରେ ଇରାନ୍ ପାଇଁ ଆଲିରେଜା ଜାହାନ୍ବକ୍ସ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ ହେଁ ବାମଗୋଡ଼ରେ ମାରିଥିବା ଶଟ୍ଟି ବାର୍ ବାହାରକୁ ଚାଲିଯାଇଥିଲା ।
ପ୍ରଥମାର୍ଦ୍ଧ ଖେଳରେ ଇରାନ୍ ଗୋଲ୍କିପର୍ ଆଲିରେଜା ବିରାନ୍ଭାଣ୍ଡ୍ ମୁଣ୍ଡରେ ଆଘାତ ପାଇଥିଲେ । ତାଙ୍କର ଚିକିତ୍ସା ପାଇଁ ୧୪ ମିନିଟ୍ ଧରି ଖେଳ ବନ୍ଦ ରହିଥିଲା । ସାଥୀ ଖେଳାଳି ହୋସିନି ମାଜିଦ୍ଙ୍କ ସହ ଧକ୍କା ହେବା ଫଳରେ ବିରାନ୍ଭାଣ୍ଡ୍ଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।
ଦ୍ୱିତୀୟାର୍ଦ୍ଧ ଖେଳ ପ୍ରାରମ୍ଭରେ ଇରାନ୍ ୩ ଜଣ ବଦଳ ଖେଳାଳିଙ୍କୁ ପଡ଼ିଆକୁ ଆଣିଥିଲା । କିନ୍ତୁ ୬୨ତମ ମିନିଟ୍ରେ ଇଂଲଣ୍ଡ ପୁଣି ଏକ ଗୋଲ୍ ସ୍କୋର୍ କରିଥିଲା । ମ୍ୟାଚ୍ରେ ସାକା ତାଙ୍କର ଦ୍ୱିତୀୟ ଗୋଲ୍ ସ୍କୋର୍ କରି ଇଂଲଣ୍ଡକୁ ୪-୦ରେ ଆଗୁଆ କରାଇଥିଲେ । ଅବଶ୍ୟ ତିନି ମିନିଟ୍ ପରେ ତାରେମି ଗୋଟିଏ ଗୋଲ୍ ଶୁଝିଦେଇଥିଲେ । ଅଲି ଘୋଲିଜାଡେହଙ୍କ ସହଯୋଗରେ ସେ ଏହି ଗୋଲ୍ଟି କରିବା ଫଳରେ ମ୍ୟାଚ୍ରେ ପ୍ରଥମ ଥର ପାଇଁ ଇରାନ୍ ପ୍ରଶଂସକଙ୍କୁ ଖୁସି ମନାଇବାର ସୁଯୋଗ ମିଳିଥିଲା ।
କିନ୍ତୁ ଇଂଲଣ୍ଡର ଦବ୍ଦବା କାଏମ ରହିଥିଲା । ୭୧ତମ ମିନିଟ୍ରେ ସାକାଙ୍କ ସ୍ଥାନ ନେଇଥିବା ବଦଳ ଖେଳାଳି ରାଶ୍ଫୋର୍ଡ ଇଂଲଣ୍ଡ ପାଇଁ ପଞ୍ଚମ ଗୋଲ୍ ସ୍କୋର୍ କରି ତାଙ୍କ ଉପସ୍ଥିତି ଜାହିର୍ କରିଥିଲେ । ୭୭ତମ ମିନିଟ୍ରେ ତାରେମିଙ୍କ ଏକ ଶଟ୍ ଗୋଲ୍ ପୋଷ୍ଟ୍ ବାହାର ଦେଇ ଚାଲିଯିବା ଫଳରେ ସ୍କୋର୍ ଲାଇନ୍ ୫-୧ରେ ଅପରିବର୍ତ୍ତିତ ଥିଲା । ବରଂ ୯୦ତମ ମିନିଟ୍ରେ ଗ୍ରୀଲିଶ୍ ଇରାନ୍ ଡିଫେନ୍ସ ବିଭାଗକୁ ଭେଦି ଇଂଲଣ୍ଡ ପାଇଁ ଷଷ୍ଠ ଗୋଲ୍ ଦେଇଥିଲେ । ଏହାପରେ ଇନ୍ଜୁରୀ ଟାଇମ୍ର ଦଶମ ମିନିଟ୍ରେ ଇରାନ୍କୁ ଭିଡିଓ ଆନାଲିଷ୍ଟ୍ ରେଫରି (ଭିଏଆର୍) ଏକ ପେନାଲ୍ଟି କର୍ଣ୍ଣର୍ ଦେଇଥିଲେ, ଯାହାକୁ ତାରେମି ୯୦+୧୩ତମ ମିନିଟ୍ରେ ଗୋଲ୍ରେ ପରିଣତ କରି ସ୍ଥିତିକୁ ୨-୬ରେ ପହଞ୍ଚାଇଥିଲେ ।