ନୂଆଦିଲ୍ଲୀ: ରାଜ୍ୟରେ ଗୋ ସୁରକ୍ଷା ପାଇଁ କର୍ଣ୍ଣାଟକ ସରକାର ‘ପୁଣ୍ୟକୋଟି ଦତ୍ତୁ ଯୋଜନା’ କରିଛନ୍ତି । ଏହାର ଆର୍ଥିକ ସମ୍ବଳ ବୃଦ୍ଧି ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ଗୋଟିଏ ଦିନର ଦରମା କଟାଯିବ । କର୍ମଚାରୀମାନେ ସେମାନଙ୍କ ବେତନରୁ ଏହି ରାଶି ଅବଦାନ ଭାବରେ ଦେବେ । କର୍ଣ୍ଣାଟକ ସରକାରଙ୍କ ସମସ୍ତ କର୍ମଚାରୀ ଏହି ଯୋଜନାରେ ନଭେମ୍ବର ମାସରେ ଗୋଟିଏ ଦିନ ଦରମା ଦେବେ । ରାଜ୍ୟରେ ବିଜେପି ସରକାର ପୁଣ୍ୟକୋଟି ଦତ୍ତୁ ଯୋଜନା ପାଇଁ ଅବଦାନ କାଟିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ରାଜ୍ୟ ଅର୍ଥ ବିଭାଗ ଏକ ନିର୍ଦ୍ଦେଶ ଜାରି କରିଛି । ଏହା ମାଧ୍ୟମରେ ୮୦ ରୁ ୧୦୦ କୋଟି ଟଙ୍କା ଜମା ହେବ ବୋଲି ଆକଳନ କରାଯାଇଛି ।
ଏହି ଟଙ୍କାରେ ରାଜ୍ୟର ସରକାରୀ ଗୋଶାଳାରେ ଗୋରୁଙ୍କ କଲ୍ୟାଣ ତଥା ରକ୍ଷଣାବେକ୍ଷଣ ପାଇଁ ବ୍ୟବସ୍ଥା କରାଯିବ । ଗତ ବଜେଟରେ ବାସଭରାଜ ବୋମ୍ମାଇ ସରକାରଙ୍କ ଦ୍ୱାରା ‘ପୁଣ୍ୟକୋଟି ଦତ୍ତ ଯୋଜନା’ ଆରମ୍ଭ କରାଯାଇଥିଲା । ଗୋରୁ ମାନଙ୍କୁ ଗ୍ରହଣ କରିବା ଏବଂ ପାଳନ ପୋଷଣ କରିବା ପାଇଁ ପ୍ରୋତ୍ସାହିତ କରିବା ଉପାୟ ଏଥିରେ ସାମିଲ ରହିଛି ।
ଏହି ଅବଦାନ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ସ୍ୱେଚ୍ଛାକୃତ ଭାବେ ରଖାଯାଇଛି । ବେତନରୁ କଟାଯିବାକୁ ଥିବା ଗୋଟିଏ ଦିନର ରାଶି କର୍ଣ୍ଣାଟକ ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ବିଭାଗର ଆକାଉଣ୍ଟରେ ଜମା କରିବାର ବ୍ୟବସ୍ଥା କରାଯାଇଛି । ଯେଉଁ କର୍ମଚାରୀମାନେ ଏହି ଅବଦାନ ଦେବାକୁ ଚାହୁଁନାହାଁନ୍ତି ସେମାନେ ନଭେମ୍ବର ୨୫ ପୂର୍ବରୁ ନିଜ ବିଭାଗୀୟ ମୁଖ୍ୟଙ୍କୁ ଲିଖିତ ଭାବରେ ଜଣାଇବାକୁ ପଡିବ ବୋଲି କୁହାଯାଇଛି ।
ଅର୍ଥ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ନଭେମ୍ବର ମାସ ପାଇଁ ଦରମା ଅନୁଯାୟୀ ଏହି ରିହାତି ଦିଆଯିବ । ଗ୍ରୁପ୍ ଏ କର୍ମଚାରୀଙ୍କ ବେତନରୁ ପ୍ରାୟ ୧୧ ହଜାର ଟଙ୍କା, ଗ୍ରୁପ୍ ବି କର୍ମଚାରୀଙ୍କ ପାଇଁ ୪ ହଜାର ଟଙ୍କା ଏବଂ ଗ୍ରୁପ୍ ସି କର୍ମଚାରୀଙ୍କ ପାଇଁ ପ୍ରାୟ ୪୦୦ ଟଙ୍କା କଟାଯିବ । ଗ୍ରୁପ୍ ଡି କର୍ମଚାରୀମାନେ ଏହି ରିହାତିରୁ ମୁକ୍ତ ରଖାଯାଇଛି । ଏଥିରେ ଚତୁର୍ଥ ଶ୍ରେଣୀରେ ମାମୁଲି ପାରିଶ୍ରମିକ ପ୍ରାପ୍ତ କର୍ମଚାରୀମାନେ ଅଛନ୍ତି ।