ବରଗଡ଼: ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲେ ସ୍ୱେଚ୍ଛାସେବୀ । ସତ୍ୟନାରାୟଣ ନାଗ, ବୟସ ୮୫ବର୍ଷ । ଦୀର୍ଘ ଦଶ ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ବରଗଡ ଜିଲ୍ଲା ତାଲଶ୍ରୀଗିଡା ଗାଁର ଜଗନ୍ନାଥ ନଗରରେ ରହୁଥିଲେ । ଅନ୍ୟ ଜାତିର ମହିଳା ଯମୁନା ନାଗଙ୍କୁ ବିବାହ କରିଥଲେ । ତେବେ ଅନେକ ଦିନରୁ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିବା ସତ୍ୟନାରାୟଣଙ୍କ ବୃଦ୍ଧା ପତ୍ନୀ ଯମୁନା ନାଗଙ୍କ ମୃତ୍ୟୁ ହୋଇଗଲା । ଗତକାଲି ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ତେବେ ତାଙ୍କର କେହି ସଂପର୍କୀୟ ନାହାନ୍ତି । କେବଳ ବୃଦ୍ଧ ସ୍ୱାମୀ ଜଣକ ଅଛନ୍ତି ।
ସେ ମଧ୍ୟ ଅତ୍ୟନ୍ତ ଦୁର୍ବଳ । ଏକଥା ଜାଣିଥିବା ଗାଆଁର ଜଣେ ମହିଳା ସକାଳେ ଫୋନ୍ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରକୁ ଖବର ଦେଲେ । ଗାଁ’ର ଯୁବ ସରପଞ୍ଚ ରିକନ ସାହୁଙ୍କ ସହ ଯୋଗାଯୋଗ କରି ଘଟଣା ନିଷ୍ଠାର ସଦସ୍ୟମାନେ ତୁରନ୍ତ ସେହି ସ୍ଥାନରେ ପହଞ୍ଚିଥିଲେ । ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଅନ୍ୟ ଜାତିର ହୋଇଥିବାରୁ କେହି ବି ଶବ ସତ୍କାର ପାଇଁ ବାହାରି ନଥିଲେ । ତେଣୁ ଟିମ୍ ନିଷ୍ଠା ଘଟଣାସ୍ଥଳରୁ ଶବକୁ ଉଠାଇ ଗାଁ’ ଶ୍ମଶାନ ଘାଟକୁ ଯାଇଥିଲେ । ସେଠାରେ ସସମ୍ମାନେ ଶବ ସତ୍କାର କରିଥିଲା । ବୃଦ୍ଧ ସ୍ୱାମୀ ସତ୍ୟନାରାୟଣ ମୁଖାଗ୍ନି ଦେଇଥିଲେ ।