ଭୁବନେଶ୍ବର: ବିଜେପିକୁ ଘାରିଛି ହାରିବା ଭୟ । କେତେବେଳେ ମାଆମାନଙ୍କୁ ଅପମାନିତ କରୁଛି ତ ଆଉ କେତେ ବେଳେ କେନ୍ଦ୍ରମନ୍ତ୍ରୀ ପ୍ରଚାରରେ ଆସି ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ଏବେ ପୁଣି ଧାମନଗରରେ ଗାଁ ଗାଁରେ ଗଣ୍ଡଗୋଳ କରିବାକୁ ବିଜେପି ରଚୁଛି ଷଡଯନ୍ତ୍ର। ଲୋକଙ୍କୁ ଉସକାଇ ବିଶୃଙ୍ଖଳା ସୃଷ୍ଟି କରୁଛି ବିଜେପି । ଏମିତି ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।
ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କରୁଥିବାବେଳେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଭୋଟରଙ୍କୁ ପ୍ରଲୋଭୀତ କରିବା ଭଳି ବିଭିନ୍ନ ପ୍ରତିଶ୍ରୁତି ହେଇଥିଲେ। ଯାହା ନିର୍ବାଚନ ଆଚରଣ ବିଧିର ସମ୍ପୁର୍ଣ୍ଣ ଉଲ୍ଲଂଘନ। ଧାମନଗର ଉପନିର୍ବାଚନରେ ବିଜେପିର ବୃହତ ପରାଜୟ ହେବ ଏଣୁ ନିରାଶାରେ ନିର୍ବାଚନ ମଡେଲ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି। ଏଥି ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ଜଣାଇବା ସହ ବିଜେଡି ପ୍ରତିନିଧି ଦଳ ଏକ ପେନ୍ ଡ୍ରାଇଭ୍ ମଧ୍ୟ ପ୍ରଦାନ କରିଛନ୍ତି। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନିର୍ବାଚନ ମଡେଲ ଆଚରଣ ବିଧିକୁ ଉଲ୍ଲଂଘନର ଭିଡିଓ ରହିଛି।
ଅଭିଯୋଗ ଅନୁସାରେ, ପରାଜୟ ଭୟରେ ଗୋଟିଏ ପରେ ଗୋଟିଏ ମିଛ ଅଭିଯୋଗ ଆଣିବାରେ ଲାଗିଛି ବିଜେପି । ନିର୍ବାଚନ ପୂର୍ବରୁ ଧାମନଗରର ପ୍ରତି ପଞ୍ଚାୟତରେ ଗଣ୍ଡଗୋଳ ପାଇଁ ଉସୁକାଉଛନ୍ତି ବିଜେପି ନେତା ଓ କର୍ମୀ । ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ନେଇ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅପରାହ୍ନ ୪ଟାରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡିର ପତିନିଧି ଦଳ ଭେଟି ବିଜେପି ସୃଷ୍ଟି କରୁଥିବା ବିଶୃଙ୍ଖଳା ନେଇ ଅଭିଯୋଗ କରିବେ ବୋଲି ଜଣାପଡିଛି ।
ପୂର୍ବରୁ ଏସଏଚଜି ମହିଳା ଟଙ୍କା ବାଣ୍ଟୁ ଥିବା କହିଥିଲା ବିଜେପି । ଯାହାକୁ ନେଇ ବିଜେଡି ପକ୍ଷରୁ ଆପତ୍ତି ଉଠାଯିବା ସହ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏହାପରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଟୁ ପ୍ରଚାରରେ ଆସିଥିବା ବେଳେ ମହିଳାମାନଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସ୍ବାଭିମାନ ମାଟି ଧାମନଗରରୁ ଉଠିଥିଲା ସନ୍ତୋଷ ଓ ବିରୋଧର ସ୍ବର । ଏବେ ବିଜେପି ନେତା ଓ କର୍ମୀ ଲୋକଙ୍କୁ ଗଣ୍ଡଗୋଳ ପାଇଁ ଉସକାଇ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ।