ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଏବଂ ଦିଲ୍ଲୀ ୱାକଫ୍ ବୋର୍ଡ ଅଧ୍ୟକ୍ଷ ଅମାନତୁଲ୍ଲା ଖାନ୍ଙ୍କୁ ଶୁକ୍ରବାର ରାତିରେ ଆଣ୍ଟି କରପ୍ସନ୍ ବ୍ୟୁରୋ (ଏସିବି) ଗିରଫ କରିଛି । ତାଙ୍କ ବିରୋଧରେ ଆପତ୍ତିଜନକ ସାମଗ୍ରୀ ଏବଂ ପ୍ରମାଣ ମିଳିବା ପରେ ଏସିବି ଏହି କାର୍ଯ୍ୟାନୁଷ୍ଠାନ କରିଛି । ଏସିବି ଆଜି ତାଙ୍କୁ ପ୍ରାୟ ୫ଘଣ୍ଟା ଜେରା କରିଥିଲା । ଏହା ବ୍ୟତୀତ ତାଙ୍କର ୪ଟି ସ୍ଥାନରେ ମଧ୍ୟ ଚଢ଼ଉ କରିଥିଲା । ଦୁଇଟି ସ୍ଥାନରୁ ୨୪ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏହା ବ୍ୟତୀତ ଖାନ୍ଙ୍କ ବିଜିନେସ୍ ପାର୍ଟନରଙ୍କ ଘରୁ ଅବୈଧ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ମଧ୍ୟ ମିଳିଥିଲା । ୱାକଫ୍ ବୋର୍ଡ ଭ୍ରଷ୍ଟାଚାର ମାମଲାରେ ଏସିବି ଶୁକ୍ରବାର ଖାନ୍ଙ୍କ ସହ ସମ୍ପୃକ୍ତ ୪ଟି ସ୍ଥାନରେ ଚଢ଼ଉ କରିଥିଲା । ଏହି ଅବସରରେ ଟିମ୍କୁ ତାଙ୍କ ବିଜିନେସ୍ ପାର୍ଟନର୍ ହମିଦ୍ ଅଲୀଙ୍କ ଘରୁ ଲାଇସେନ୍ସ ନଥିôବା ଏକ ବିଦେଶୀ ପିସ୍ତଲ ସହି କେତେକ ଗୁଳି ଏବଂ ୧୨ ଲକ୍ଷ ଟଙ୍କା କ୍ୟାଶ୍ ମିଳିଥିଲା । ସୂଚନା ଅନୁସାରେ ଅମାନତୁଲ୍ଲା ଖାନ୍ ୱାକଫ୍ ବୋର୍ଡ ବ୍ୟାଙ୍କ ଆକାଉଣ୍ଟ୍ରେ ଅନିୟମିତତା, ୱାକଫ୍ ବୋର୍ଡ ସମ୍ପତ୍ତିରେ ଭଡ଼ାଘର ନିର୍ମାଣ, ବାହନ କିଣାରେ ଭ୍ରଷ୍ଟାଚାର ସହ ସେବା ନିୟମର ଉଲ୍ଲଂଘନ କରି ଦିଲ୍ଲୀ ୱାକଫ୍ ବୋର୍ଡରେ ୩୩ ଜଣଙ୍କୁ ଅବୈଧ ଭାବେ ନିଯୁକ୍ତ କରିଥିବା ଅଭିଯୋଗ ହୋଇଥିଲା । ଏହି ସମ୍ବନ୍ଧରେ ଏସିବି ୨୦୨୦ ଜାନୁଆରୀରେ ଭ୍ରଷ୍ଟାଚାର ନିବାରଣ ଅଧିନିୟନ ଏବଂ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରାରେ କେସ୍ ରୁଜୁ କରିଥିଲା । ଅମାନତୁଲ୍ଲା ଦିଲ୍ଲୀ ୱାକଫ୍ ବୋର୍ଡ ଅଧ୍ୟକ୍ଷ ଭାବେ ପଦର ଦୁରୁପଯୋଗ କରିବା ସହ ନିଜ ନିକଟ ସମ୍ପର୍କୀୟଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଥିଲା । ସିବିଆଇ ଚଳିତବର୍ଷ ମେ ମାସରେ ତାଙ୍କ ବିରୋଧରେ ମୋକଦ୍ଦମା ଚଳାଇବା ପାଇଁ ଅନୁମତି ମାଗିଥିଲା ।