ଶାରଜାହ: ଶୁକ୍ରବାର ଏଠାରେ ପାକିସ୍ତାନ ଓ ହଂକଂ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍-ଏ’ର ଏକ ମ୍ୟାଚ୍ରେ ପାକିସ୍ତାନ ୧୫୫ ରନ୍ରେ ବିଜୟୀ ହୋଇଛି। ବ୍ୟାଟିଂ ଆମନ୍ତ୍ରଣ ପାଇ ପାକିସ୍ତାନ ୨ ୱିକେଟ୍ ବିନିମୟରେ ୧୯୩ ରନ୍ କରିଥିଲା । ମହମ୍ମଦ ରିଜ୍ୱାନ୍ ସର୍ବାଧିକ ୫୭ ବଲ୍ରେ ଅପରାଜିତ ୭୮ ରନ୍ କରିଥିଲେ । ସେହିପରି ଫାଖର ଜମାନ୍ ୪୧ ବଲ୍ରେ ୫୩ ରନ୍ କରିଥିଲେ । ଶେଷ ଆଡ଼କୁ ଖୁସଦିଲ୍ ଶାହ ମଧ୍ୟ ଚମତ୍କାର ବ୍ୟାଟିଂ କରି ୧୫ ବଲ୍ରେ ୩୫ ରନ୍ କରି ଆଉଟ୍ ହୋଇନଥିଲେ । ଜବାବରେ ହଂକଂ ୧୦.୪ ଓଭର୍ରେ ମାତ୍ର ୩୮ ରନ୍ ମଧ୍ୟରେ ଅଲ୍ଆଉଟ୍ ହୋଇଯାଇଥିଲା । ଏହା ଶାରଜାହରେ ପାକିସ୍ତାନ ବିପକ୍ଷରେ ସର୍ବନିମ୍ନ ସ୍କୋର୍ ହୋଇଥିବା ବେଳେ ହଂକଂର ମଧ୍ୟ ସର୍ବନିମ୍ନ ସ୍କୋର୍ ।
ଅନ୍ୟପକ୍ଷରେ ଟି-୨୦ ଇତିହାସରେ ଏହା ପାକିସ୍ତାନର ଦ୍ୱିତୀୟ ସର୍ବାଧିକ ବିଜୟ ବ୍ୟବଧାନ । ପାକିସ୍ତାନ ପକ୍ଷରୁ ନସିମ୍ ଶାହ ଆକର୍ଷଣୀୟ ବୋଲିଂ କରି ପ୍ରଥମ ଓଭର୍ରେ ହିଁ ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ । ସେ ପ୍ରଥମେ ହଂକଂ କ୍ୟାପ୍ଟେନ୍ ନଜାକତ୍ ଖାନ୍ଙ୍କୁ ଆସିଫ୍ ଅଲୀଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇବା ପରେ ବାବର ହୟାତ୍ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । ନସିମ୍ଙ୍କ ପରେ ଶାହନୱାଜ୍ ଦାହିନୀ ୟାସିନ୍ ମୁର୍ତଜାଙ୍କୁ ଖୁସ୍ଦିଲଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇ ପାଭିଲିୟନ୍ ପଠାଇ ଦେଇଥିଲେ । ଚତୁର୍ଥ ୱିକେଟ୍ ସାଦାବ୍ ଖାନ୍ ନେଇଥିଲେ । ୧ ରନ୍ କରିଥିବା ଏଜାଜ୍ ଖାନ୍ଙ୍କୁ ସେ କ୍ଲିନ୍ ବୋଲ୍ଡ କରିଦେଇଥିଲେ । ଏହାପରେ ସାଦାବ୍ ଓ ମହମ୍ମଦ୍ ନୱାଜ୍ ହଂକଂର ବାକି ୬ଟି ୱିକେଟ୍ ବାଣ୍ଟି ନେଇଥିଲେ । ସାଦାବ୍ ୨.୪ ଓଭର୍ରେ ୮ ରନ୍ ନେଇ ୪ଟି ଏବଂ ନୱାଜ୍ ୨ ଓଭର୍ରେ ୫ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ହଂକଂ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁ ନଥିବା ବେଳେ କ୍ୟାପ୍ଟେନ୍ ନଜାକତ୍ ଖାନ୍ ସର୍ବାଧିକ ୮ ରନ୍ କରିଥିଲେ ।
ଟସ୍ ହାରି ବ୍ୟାଟି କରିଥିବା ପାକିସ୍ତାନ ଦଳର କ୍ୟାପ୍ଟେନ୍ ବାବର ଆଜମ୍ ଶୀଘ୍ର ଆଉଟ୍ ହେବା ପରେ ଫଖର ଜମାନ୍ ଓ ରିଜ୍ୱାନ୍ ଇନିଂସ୍ ସମ୍ଭାଳି ଦ୍ୱିତୀୟ ୱିକେଟ୍ ପାଇଁ ୮୧ ବଲ୍ରେ ୧୧୬ ରନ୍ ଉଠାଇଥିଲେ । ଏହା ମଧ୍ୟରେ ଉଭୟ ବ୍ୟାଟ୍ସମ୍ୟାନ୍ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ । ଫଖର୍ ଜମାନ୍ ଆଉଟ୍ ହେବାପରେ ବ୍ୟାଟିଂ ପାଇଁ ଆସିଥିବା ଖୁସ୍ଦିଲ୍ ଧୂଆଁଧାର ବ୍ୟାଟିଂ କରି ୧୫ ବଲ୍ରୁ ୫ ଛକା ସହାୟତାରେ ୩୫ ରନ୍ କରିଥିଲେ । ସେ ରିଜ୍ୱାନ୍ଙ୍କ ସହ ଅପରାଜିତ ତୃତୀୟ ୱିକେଟ୍ ପାଇଁ ୬୪ ରନ୍ ଯୋଗକରି ପାକିସ୍ତାନ ସ୍କୋର୍ ୧୯୩ରେ ପହଞ୍ଚାଇଥିଲେ । ହଂକଂ ପକ୍ଷରୁ ଏହସାନ୍ ଖାନ୍ ଆକର୍ଷଣୀୟ ବୋଲିଂ କରି ୪ ଓଭର୍ରେ ୨୮ ରନ୍ ଦେଇ ଦୁଇଟି ୱିକେଟ୍ ହାସଲ କରିଥିଲେ ।