ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି। ଭାରୋତ୍ତୋଳକ ଲଭପ୍ରୀତ ସିଂହ ବୁଧବାର ୧୦୯ କେଜି କାଟାଗୋରୀରେ ଦେଖାଇଛନ୍ତି କମାଲ। ଏହ ସହିତ ଦେଶକୁ ଦେଇଛନ୍ତି ଆଉ ଏକ ବ୍ରୋଞ୍ଜ ପଦକ। ଏପର୍ୟ୍ୟନ୍ତ ଏହା ଭାରତର ୧୪ ତମ ପଦକ, ସେଭଳି ଚତୁର୍ଥ ବ୍ରୋଞ୍ଜ ମେଡାଲ। ଲଭପ୍ରୀତ ସିଂହ ଏହି ମୁକାବିଲାରେ ୩୫୫(୧୬୩+୧୯୨) କିଗ୍ରା ଓଜନ ଉଠାଇଥିଲେ, ଯାହାକି ନ୍ୟାସନାଲ ରେକର୍ଡ। ଲଭପ୍ରୀତ ସିଂ ନିଜେ ହିଁ ନିଜର ରେକର୍ଡ ଭାଙ୍ଗିଛନ୍ତି।
ଲଭପ୍ରୀତ ସ୍ନାଚ ରାଉଣ୍ଡରେ ଖୁବ୍ ଭଲ ଖେଳ ପ୍ରଦର୍ଶନ କରିଥିଲେ ଓ ତିନୋଟି ଚେଷ୍ଟାରେ ସେ ସଫଳ ପ୍ରମାଣିତ ହୋଇଥିଲେ। ସେ ସ୍ନାଚ ରାଉଣ୍ଡରେ କ୍ରମଶଃ ୧୫୭ କେଜି, ୧୬୧ କେଜି ଓ ୧୬୩ କେଜି ଓଜନ ଉଠାଇଛନ୍ତି। ଲଭପ୍ରୀତ ଏହାପରେ କ୍ଲିନ୍ ଆଣ୍ଡ ଜର୍କ ରାଉଣ୍ଡରେ ମଧ୍ୟ ନିଜର ତିନୋଟି ଚେଷ୍ଟାରେ ସଫଳ ହୋଇଥିଲେ। ଲଭପ୍ରୀତ ସିଂହ ଯେତେବେଳେ କ୍ଲିନ୍ ଆଣ୍ଡ ଜର୍କର ଶେଷ ରାଉଣ୍ଡ ପୂରଣ କରିଥିଲେ ସେ ପର୍ୟ୍ୟନ୍ତ ସେ ଟପ୍ରେ ଥିଲେ, କିନ୍ତୁ ପରେ ଅନ୍ୟ ଖେଳାଳିମାନେ ତାଙ୍କୁ ପଛରେ ପକାଇ ଦେଇଥିଲେ। ଗୋଟିଏ ସମୟରେ ଟପ୍ରେ ଥିବା ଲଭପ୍ରୀତ ଖେଳ ଶେଷ ହେବା ପରେ ତୃତୀୟ ନମ୍ବରରେ ଆସି ଯାଇଥିଲେ ଓ ବ୍ରୋଞ୍ଜ ମେଡାଲ ଜିତିଥିଲେ।