ସୋର: ରାସ୍ତାଘାଟରେ ବଂଶୀ ବଜାଇ ଭିକମାଗି ନିଜ ଜନ୍ମକଲା ପୁଅକୁ ମଣିଷ କରିବା ପାଇଁ ଜୀବନ ବ୍ୟାପି ଅକ୍ଲାନ୍ତ ପରିଶ୍ରମ କରିଥିବା ବାପାର ଦୃଷ୍ଟିବାଧିତ ହେବାର ଫାଇଦା ଉଠେଇ ଅବାଟରେ ଯାଇ ପୁଅ ବାପକୁ ଚାହୁଁ ନଥିବା ବେଳେ ଜଣେ ପାଳିତା କନ୍ୟା ଶିଶୁର ସାହାରାରେ ଭିକମାଗି ଜୀବନ ବଞ୍ଚେଇଛନ୍ତି ବୃଦ୍ଧ ଭାନୁ ସିଂ । ଅଯୋଦ୍ଧା ଗୋପାଳପୁର ଗ୍ରାମର ସ୍ୱର୍ଗତ ମୁଗାଲାଲ ସିଂଙ୍କର ପୁଅ ଭାନୁ ସିଂ(୬୨) ଜନ୍ମରୁ ଦୃଷ୍ଟିବାଧିତ । ସେ ପିଲାଟିବେଳୁ ବାପା ମା’ଙ୍କ ସହାୟତାରେ ଦୃଷ୍ଟିହୀନ ସ୍କୁଲରେ ପାଠପଢ଼ି ମ୍ୟାଟ୍ରିକ୍ ପାସ କରିଥିଲେ । ମାତ୍ର ଆର୍ଥିକ ସମ୍ବଳ ଅଭାବରୁ ଅଧିକ ପଢ଼ି ପାରି ନଥିଲେ । ସେ ମଧୁର ଭାବେ ବଂଶୀ ବାଦନ କରିବା ସହିତ ପଶୁପକ୍ଷୀଙ୍କର ଅବିକଳ ସ୍ୱର ବାହାର କରିପାରନ୍ତି । ବିଭିନ୍ନ ସ୍ଥାନରେ ଲୋକମାନଙ୍କର ମନ ମୋହି ରୋଜଗାର କରି ନିଜର ବଡ଼ ପୁଅକୁ ମଣିଷ କରିଥିଲେ ।
ମା’ ଚାଲିଯିବା ପରେ ସାନ ପୁଅଟିକୁ ଆଶ୍ରମ ସ୍କୁଲରେ ଛାଡ଼ିଦେଇଛନ୍ତି । ବଡ଼ ପୁଅ ବାପର ଝାଳବୁହା ଅର୍ଥରେ ମଦ ପିଇ ଅବାଟରେ ଯାଇ ବାପକୁ ମାରପିଟ କରିବା ଫଳରେ ଘରୁ ପଳେଇ ଆସି ଭାନୁ ସିଂ ସୋର ବ୍ଲକ ନାୟକବନ୍ଧ ଗ୍ରାମର କାର୍ତ୍ତିକ ସିଂଙ୍କର ଘରେ ଆଶ୍ରୟ ନେଇଛନ୍ତି । ତାଙ୍କର ସାନ ଝିଅ ପୂଜା ସିଂ(୧୨)କୁ ୬ ବର୍ଷ ହେଲା ପୋଷ୍ୟା କନ୍ୟାଭାବେ ଗ୍ରହଣ କରି ତାରି ସହାୟତାରେ ବିଭିନ୍ନ ଆଡ଼େ ବଂଶୀ ବଜାଇ ଭିକ୍ଷାମାଗି ଯାହା ମିଳୁଛି ସେଥିରେ ଚଳିଯାଉଛନ୍ତି । ସବୁଠାରୁ ବଡ଼ କଥା ହେଲା, ତାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ଦିଆଯାଇଛି । ବାଲେଶ୍ୱର ଗୋଧିବସାରେ ଥିବା ବେଳେ ତାଙ୍କୁ ମଳୁଥିବା ଭତ୍ତା ବାବଦରେ ୭୦୦ଟଙ୍କା ଆଣିପାରୁନାହାନ୍ତି । ସେ ଏହି ଗ୍ରାମର କାର୍ତ୍ତିକ ସିଂଙ୍କ ଘରେ ଆଶ୍ରୟ ନେଇଥିବା ବେଳେ ସରକାରଙ୍କ ତରଫରୁ ନାୟକବନ୍ଧ ଗ୍ରାମରେ ଥଇଥାନ ପାଇଁ ଚିନ୍ତାକରିଛନ୍ତି । ସରକାରୀ ଭାବେ ତାଙ୍କୁ ଏକ ଘର ଯୋଗାଇଦେବା ସହିତ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ନିବେଦନ କରିଛନ୍ତି ।