ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ପକ୍ଷରୁ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓସି)କୁ ନିଲମ୍ବନ କରାଯିବା ସକାଶେ ଚେତାବନୀ ଦିଆଯାଇଛି । ଆଇଓଏ ନିର୍ଦ୍ଧାରିତ ସମୟ ପରେ ବି ନିର୍ବାଚନ ନ କରିବା, ଆସୋସିଏସନ୍ କାର୍ଯ୍ୟରେ ଅହେତୁକ ବାହ୍ୟ ହସ୍ତକ୍ଷେପ ଓ ଏକାଧିକ ମାମଲା କୋର୍ଟରେ ବିଚାରାଧୀନ ଥିବା ପରିପ୍ରେକ୍ଷୀରେ ଆଇଓସି ପକ୍ଷରୁ ଏପରି ଚେତାବନୀ ଦିଆଯାଇଛି । ଏନେଇ ଆଇଓସି ଓ ଏସିଆ ଅଲିମ୍ପିକ୍ କାଉନ୍ସିଲ୍ (ଓସିଏ) ପକ୍ଷରୁ ଯୁଗ୍ମ ଭାବେ ଏକ ତାଗିଦାପୂର୍ଣ୍ଣ ଚିଠି ଲେଖାଯାଇଛି । ଆସୋସିଏସନ୍ରେ ଅଲିମ୍ପିକ୍ ଚାର୍ଟର ଖିଲାପ କରାଯିବା ସହ ଏକଛତ୍ରବାଦ ବଢ଼ିଚାଲିଥିବା ଅଭିଯୋଗ କରାଯାଇଛି ।
ଆଇଓଏର ନିର୍ବାଚନ ଗତ ଡିସେମ୍ବର ସୁଦ୍ଧା କରାଯିବାର ନିୟମ ଥିଲେ ହେଁ ଅଦ୍ୟାବଧି ଏହା ସମ୍ପନ୍ନ ହୋଇନାହିଁ । ତା’ଛଡ଼ା କୋର୍ଟରେ ଏକାଧିକ ମାମଲା ବିଚାରାଧୀନ ଥିବାରୁ ଏହା ଆସୋସିଏସନ୍ର କାର୍ଯ୍ୟଧାରାରେ ବ୍ୟାଘାତ ସୃଷ୍ଟି କରିବା ସହ ଯାବତୀୟ ଦ୍ୱନ୍ଦ୍ୱର କାରଣ ହେଉଛି । ତେଣୁ ତୁରନ୍ତ ଆଇଓଏର କାର୍ଯ୍ୟନିର୍ବାହୀ କମିଟିର ଏକ ବୈଠକ ଆହୂତ କରିବା ସହ ସ୍ୱତନ୍ତ୍ର ଜିଏମ୍ ପାଇଁ ପଦକ୍ଷେପ ନେବାକୁ ଉକ୍ତ ଚିଠିରେ ଦର୍ଶାଯାଇଛି । ସେହିପରି ଆଉ କାଳବିଳମ୍ବ ନ କରି ଆଇଓଏ ପକ୍ଷରୁ ଅଲିମ୍ପିକ୍ ଚାର୍ଟର୍ ଓ ଆଇଓଏର ସମ୍ବିଧାନ ଅନୁସାରେ ଚତୁଃବାର୍ଷିକ ନିର୍ବାଚନ ପାଇଁ ପଦକ୍ଷେପ ନିଆଯିବା ସକାଶେ ଆଇଓସି ଅଲିମ୍ପିକ୍ ସଲିଡାରିଟି ଓ ଏନ୍ଓସି ରିଲେସନ୍ସ ନିର୍ଦ୍ଦେଶକ ଜେମ୍ସ ମ୍ୟାକ୍ଲିଓଡ୍ ଓ ଓସିଏ ମହାସଚିବ ତଥା ବୈଷୟିକ ନିର୍ଦ୍ଦେଶକ ହୁସେନ୍ ଅଲ୍-ମୁସାଲମ୍ଙ୍କ ପକ୍ଷରୁ ଜାରି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।
ଯଦି ଆଗାମୀ କିଛି ସପ୍ତାହ ମଧ୍ୟରେ ଆଇଓଏ ନିର୍ବାଚନ ସମ୍ପନ୍ନ କରିବାରେ ବିଫଳ ହୁଏ, ତା’ହେଲେ ଆଇଓଏର ସଦସ୍ୟତାକୁ ଅସ୍ଥାୟୀ ଭାବେ ନିଲମ୍ବନ କରାଯିବା ସକାଶେ ଉକ୍ତ ଚିଠିରେ ଚେତାବନୀ ଦିଆଯାଇଛି । ସୂଚନାଯୋଗ୍ୟ ଯେ ଗତ ବର୍ଷ ଡିସେମ୍ବର ୧୪ ତାରିଖରେ ଆଇଓଏର ନିର୍ବାଚନ ଅନୁଷ୍ଠିତ ହେବାର ନିୟମ ଥିଲେ ହେଁ ଆସୋସିଏସନ୍ରେ ଆଧିପତ୍ୟ ବିସ୍ତାର କରିବା ସକାଶେ ସଭାପତି ନରିନ୍ଦର ବତ୍ରା ଓ ମହାସଚିବ ରାଜୀବ ମେହତାଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା କାରଣରୁ ଏହା ଅଦ୍ୟାବଧି ସମ୍ପନ୍ନ ହୋଇପାରିନାହିଁ । ଏବେ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଆସନ୍ତା ୨୬ ତାରିଖରେ ଏହାର ଶୁଣାଣି ହେବ । ଇତିମଧ୍ୟରେ ବତ୍ରା ତାଙ୍କ ପଦରୁ ଇସ୍ତଫା ଦେଇସାରିଥିବା ବେଳେ ଆଇଓସି ଚେତାବନୀ ପରିପ୍ରେକ୍ଷୀରେ ଆଇଓଏ କ’ଣ ପଦକ୍ଷେପ ନେଉଛି, ତାହା ଦେଖିବାର କଥା ।