କଟକ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ଆସନ୍ତା ଅଗଷ୍ଟ ୮ ତାରିଖରେ କଟକ ଆସିବେ । ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ ସେ ଉଦ୍ଘାଟକ ରୂପେ ଯୋଗଦେବେ ବୋଲି ସାଂସଦ ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି । ଅଗଷ୍ଟ ୮ ତାରିଖ ପୂର୍ବାହ୍ଣ ୧୧ଟାରେ ଶ୍ରୀ ଶାହା କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡ଼ିୟମ୍ରେ ଆୟୋଜିତ ଉଦ୍ଘାଟନ ଉତ୍ସବରେ ଯୋଗଦେବେ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଓ ଜ୍ଞାନପୀଠ ପୁରସ୍କାର ବିଜେତା ପ୍ରତିଭା ରାୟ ମୁଖ୍ୟବକ୍ତା ଭାବରେ ଯୋଗଦେବେ । କେନ୍ଦ୍ର ଉଚ୍ଚଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଉତ୍ସବରେ ସଭାପତିତ୍ୱ କରିବେ । ସୂଚନାଯୋଗ୍ୟ ଯେ ‘ଲୋକସଭା ପ୍ରବାସ’ଯୋଜନା ଅଧିନରେ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରୁଛନ୍ତି । ଯେଉଁ ଜିଲ୍ଲାରେ ବିଜେପିର ଲୋକସଭା ସଦସ୍ୟ ନାହାନ୍ତି ସେହି ଜିଲ୍ଲାରେ ସଂଗଠନ ସଜାଡ଼ିବା ଓ ଦଳର ଆଭିମୁଖ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ଦଳର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହି ଯୋଜନାରେ କେବଳ ଦଳୀୟ ସଭାରେ ଯୋଗଦେବା ନୁହେଁ, ବରଂ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ଆୟୋଜନ କରିଥିବା ସଭାରେ ମଧ୍ୟ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ । ଏହି ପରିପେକ୍ଷୀରେ ପ୍ରଜାତନ୍ତ୍ରର ପ୍ରତିଷ୍ଠା ଦିବସରେ ଗୃହମନ୍ତ୍ରୀ ଯୋଗଦେବେ । ଏହି କାର୍ଯ୍ୟକ୍ରମ ପରେ ଶ୍ରୀ ଶାହ କଟକ ବିଜେପିର କର୍ମକର୍ତ୍ତାଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ।