କେଣ୍ଟ୍ : ଚଳିତ ଇଂଲିଶ୍ କାଉଣ୍ଟି ସିଜନ୍ରେ ଭାରତୀୟ ପେସର୍ ନବଦୀପ ସୈନୀ କେଣ୍ଟ୍ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ସେ ଏହି ଦଳ ପକ୍ଷରୁ ୮ଟି ମ୍ୟାଚ୍ ଖେଳିବେ ବୋଲି ଶୁକ୍ରବାର ଜଣାପଡ଼ିଛି । ଏଥିରେ ୩ଟି କାଉଣ୍ଟି ଚାମ୍ପିଅନ୍ଶିପ୍ ଓ ୫ଟି ରୟାଲ୍ ଲଣ୍ଡନ କପ୍ ମ୍ୟାଚ୍ ରହିଛି । ସେ ଏହି ମ୍ୟାଚ୍ଗୁଡ଼ିକରେ ତାଙ୍କର ଫେବରିଟ୍ ୯୬ ନମ୍ବର ଜର୍ସି ପରିଧାନ କରିବେ ଓ ଭାରତର ପୂର୍ବତନ ଅଧିନାୟକ ରାହୁଲ୍ ଦ୍ରାବିଡଙ୍କ ପରେ ଦ୍ୱିତୀୟ ଟେଷ୍ଟ୍ କ୍ରିକେଟର୍ ଭାବେ କାଉଣ୍ଟି କ୍ରିକେଟ୍ରେ ପ୍ରତିନିଧିତ୍ୱ କରିବେ ।
ଭାରତୀୟ ଦଳରେ ସ୍ଥାନ କାଏମ ରଖିବାରେ ବିଫଳ ହୋଇଥିବା ସୈନୀ ନିକଟରେ ବର୍ମିଂହାମ୍ଠାରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍ ମ୍ୟାଚ୍ ପାଇଁ ନେଟ୍ ବୋଲର୍ ଭାବେ କାର୍ଯ୍ୟ କରିଥିଲେ । ୨୯ ବର୍ଷୀୟ ସୈନୀ ଟି-୨୦ କ୍ରିକେଟ୍ ମାଧ୍ୟମରେ ଗତ ୨୦୧୯ ଅଗଷ୍ଟରେ ଅନ୍ତର୍ଜାତୀୟ ଡେବ୍ୟୁ କରିବା ପରେ ଅଦ୍ୟାବଧି ୩ଟିଯାକ ଫର୍ମାଟ୍ରେ ଖେଳିସାରିଛନ୍ତି । କେଣ୍ଟ୍ ଦଳ ପାଇଁ ସେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବେ ବୋଲି ପ୍ରତିକ୍ରିୟାରେ ସୈନୀ କହିଛନ୍ତି ।