ଭୁବନେଶ୍ୱର: ଶେଷ ଥର ୨୦୧୧ରେ ଦେଶରେ ଜନଗଣନା ହୋଇଥିଲା । ଏହାକୁ ୧୦ ବର୍ଷ ବିତିଲାଣି । ହେଲେ ଏବେ ଯାଏ ଜନଗଣନା ପ୍ରକ୍ରିୟା ଆରମ୍ଭ ହେଲାନି । ଶେଷ ଜନଗଣନା ଅନୁସାରେ, ରାଜ୍ୟର ଜନସଂଖ୍ୟା ପ୍ରାୟ ୪କୋଟି କୋଟି ୨୦ଲକ୍ଷ ଥିଲା । ଗତ ଦୁଇ ଦଶନ୍ଧିର ଜନସଂଖ୍ୟା ଅଭିବୃଦ୍ଧି ହାର ଟ୍ରେଣ୍ଡ୍କୁ ଦେଖିଲେ ଏବେ ସଂଖ୍ୟା ଆଉ ୫୦ଲକ୍ଷ ବଢ଼ିଯିବ । ହେଲେ ଏତେ ଲୋକଙ୍କ ପାଇଁ ସରକାରଙ୍କ ପାଖରେ ଯୋଜନା ଅଛି ତ? ସବୁ ଲୋକଙ୍କୁ ସମାନ ଅଧିକାର କେବେ ମିଳିବ? ବିଶାଳ ଜନସଂଖ୍ୟା ସହ ଭେଦଭାବ, ନିର୍ଯାତନା, ମହିଳା ବିରୋଧୀ ହିଂସା, ବେକାରୀ ଦୂରୀକରଣ ଓ ଲିଙ୍ଗଗତ ଅସମାନତା ପାହାଡ଼ ଭଳି ଚାଲେଞ୍ଜ ହୋଇ ଏବେ ସରକାରଙ୍କ ଆଗରେ ଛିଡା ହୋଇଛି।
୨୦୧୧ ଜନସଂଖ୍ୟା ପରିସଂଖ୍ୟାନ କହୁଛି, ମୋଟ ୪ କୋଟି ୨୦ଲକ୍ଷ ଭିତରୁ ୨କୋଟି ୧୨ଲକ୍ଷ ୧୨ ହଜାର ୧୭୬ ଜଣ ହେଉଛନ୍ତି ପୁରୁଷ । ବାକି ୨କୋଟି ୭ଲକ୍ଷ ୬୨ହଜାର ୮୨ଜଣ ହେଉଛନ୍ତି ମହିଳା । ଅର୍ଥାତ୍ ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ଥିଲା ୯୭୯ । କିଛି ଜିଲ୍ଲାରେ ପୁରୁଷ ଓ ମହିଳା ଅନୁପାତ ଅତି ଚିନ୍ତାଜନକ ଥିଲା । ନୟାଗଡ଼ରେ ଏହି ସଂଖ୍ୟା ଥିଲା ୯୧୫ । କଟକରେ ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଥିଲା ୯୪୦ । ଖୋର୍ଦ୍ଧାରେ ୯୨୯, ଅନୁଗୁଳରେ ୯୪୩ ଓ ଢେଙ୍କାନାଳରେ ୯୪୭ ଥିଲା । ଆଗଧାଡ଼ିର ଜିଲ୍ଲା ହୋଇ ବି ଲିଙ୍ଗଗତ ହାରରେ ଏଭଳି ପ୍ରଭେଦ ଅନେକ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏବେ ବି ସ୍ଥିତିରେ ସେତେଟା ସୁଧାର ଆସିନି । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଲିଙ୍ଗଗତ ଅସମାନତା ଅଧିକ ଉଦ୍ବେଗଜନକ । ତେବେ ଗଜପତି, ନୂଆପଡ଼ା, ମାଲକାନଗିରି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଭଳି ୧୦ ଜିଲ୍ଲାରେ ଲିଙ୍ଗଗତ ହାର ପୁରୁଷଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଅଧିକ ଥିଲା ।
ସେହିଭଳି ଗତ ଦୁଇ ଦଶନ୍ଧିର ଜନସଂଖ୍ୟା ଅଭିବୃଦ୍ଧି ହାରକୁ ନିରିଖେଇ ଦେଖିଲେ ଏହା କ୍ରମଶଃ ତଳମୁହାଁ ହେଉଥିବା ସ୍ପଷ୍ଟ ହେଉଛି । ୧୯୯୧ରୁ ୨୦୦୧ ଭିତରେ ଜନସଂଖ୍ୟା ଅଭିବୃଦ୍ଧି ହାର ୧୬.୫%କୁ ଖସିଥିଲା । ୨୦୦୧ରୁ ୨୦୧୧ ଭିତରେ ଏହି ହାର ପୁଣି ତଳମୁହାଁ ହୋଇ ୧୪.୦୫%କୁ ଖସିଲା । ୨୦୧୧ଠାରୁ ଆଉ ଏକ ଦଶନ୍ଧିର ଜନଗଣନା ହିସାବକୁ ନେଲେ ଏହି ହାର ୧୩%କୁ ଖସିବ ବୋଲି ବିଭିନ୍ନ ମଡେଲରୁ ଆକଳନ କରାଯାଉଛି । ଏହି ହାରକୁ ହିସାବ ନେଲେ ଓଡ଼ିଶାର ଜନସଂଖ୍ୟା ୪କୋଟି ୭୪ଲକ୍ଷ ଛୁଇଁଯିବ । ଯଦି ଜନସଂଖ୍ୟା ଅଭିବୃଦ୍ଧି ହାର ୧୪% ରହିବ ତା ହେଲେ ମୋଟ ଜନସଂଖ୍ୟା ୪ କୋଟି ୭୯ଲକ୍ଷ ଛୁଇଁବ । ତେବେ ୱାନ୍ ଚାଇଲ୍ଡ(ଗୋଟିଏ ଶିଶୁ) ଓ ମୃତ୍ୟୁ ହାର ବଢୁଥିବାରୁ ମୋଟ ଜନସଂଖ୍ୟା ଅଭିବୃଦ୍ଧି ହାର କମିପାରେ ।
ଆଉ ଏକ ବଡ ଚାଲେଞ୍ଜ ହେଉଛି, ସହରାଞ୍ଚଳର ଅନିୟନ୍ତ୍ରିତ ଅଭିବୃଦ୍ଧି । ଗତ ଜନଗଣନା ଅନୁସାରେ, ୮୩% ଲୋକ ଗ୍ରାମାଞ୍ଚଳରେ ରହୁଥିବାବେଳେ ୧୭% ସହରାଞ୍ଚଳରେ ରହୁଛନ୍ତି । ଆଗକୁ ସହରାଞ୍ଚଳରେ ଏହି ସଂଖ୍ୟା ବଢିଯିବ । ଏତେ ଲୋକଙ୍କ ପାଇଁ ସହରାଞ୍ଚଳରେ ରୋଜଗାର ଦେବା ଓ ରହଣୀ ସୁବିଧା ବି ବଡ ଚାଲେଞ୍ଜ ପାଲଟିପାରେ । ପୁଣି ଗ୍ରାମାଞ୍ଚଳରେ ସିଂହଭାଗ ଲୋକ ରହୁଛନ୍ତି । କୃଷି ଉପରେ ଅଧିକାଂଶ ନିର୍ଭରଶୀଳ । ଯଦି ବିକଳ୍ପ ରୋଜଗାର ସୁବିଧା ସୃଷ୍ଟି ନ ହୁଏ ତା ହେଲେ ଆଗକୁ ଏହା ବିରାଟ ସମସ୍ୟା ସୃଷ୍ଟି କରିପାରେ ।