ପୁରୀ : ଗତ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ।ତେବେ ଗୁରୁତ୍ୱପୂର୍ଣ ବିଷୟ ହେଊଛିଯେ କରୋନା ସମ୍ପୂର୍ଣ୍ଣ ସରି ନାହିଁ । ତେଣୁ ସରକାର ପୁରୀ କୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ୧୦ ଲକ୍ଷ ମାସ୍କ ବଣ୍ଟନ ର ବ୍ୟବସ୍ଥା କରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନ୍ୱ କିଶୋର ଦାସ ସୂଚନା ପ୍ରଦାନ କରିଥିଲେ । ସୋମବାର ଅପରାହ୍ନ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମନ୍ତ୍ରୀ ଶ୍ରୀ ଦାସ ଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ଉପଲକ୍ଷେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସରକାର ଓ ପ୍ରଶାସନ ଉଭୟେ ଚଳିତ ରଥଯାତ୍ରା କୁ ସୁଚାରୁ ରୁପେ ସମ୍ପର୍ଣ୍ଣ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ତେବେ ଏବେ ବି କରୋନା ର ଡର ରହିଛି ବୋଲି ମନ୍ତ୍ରୀ କହିବା ସହ ପୁରୀକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକ ମାନେ ମାସ୍କ ପରିଧାନ ଓ ଟୀକାକରଣ ପାଇଁ ଅନୁରୋଧ କରିଥିଲେ । ଏଥିସହ ରଥଯାତ୍ରା ପାଇଁ ସହର ର ବିଭିନ୍ନ ସ୍ଥାନରେ ୩୦ ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର, ୫୮ଟି ଆମ୍ବୁଲାନ୍ସ,, ୧୪୪ ଗୋଟି ଷ୍ଟ୍ରେଚର, ୭୮୫ ଜଣ ସ୍ୱଛାସେବୀ, ୧୪୫ ଜଣ ଡାକ୍ତର, ୨୦ଜଣ ଫୁଡ ସେଫଟି ଅଫିସର, ୪୦ ଜଣ ଫାର୍ମାସିଷ୍ଟ, ୩୦ ଜଣ ନର୍ସ, ୩୫ ଜଣ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ଦାୟିତ୍ୱ ରେ ନିୟୋଜିତ କରାଯାଇଛି ।
ଏତାଦ ବ୍ୟତୀତ ୨୮୭ ଗୋଟି ସାଧାରଣ ରୋଗୀ ମାନଙ୍କ ବେଡ, ୨୬ ଗୋଟି ଅଂଶୁଘାତ ଆକ୍ରାନ୍ତ ଙ୍କ ପାଇଁ ଏସି ବେଡର ବ୍ୟବସ୍ଥା କରାଯାଇଛି । ୬ଲକ୍ଷ ଓଆରଏସ ପ୍ୟାକେଟ ମଧ୍ୟ ଗଛିତ ରଖାଯାଇଥିବା ନେଇ ସମୀକ୍ଷା ବୈଠକ ରେ ଅବଗତ କରାଯାଇଥିଲା । ଅନ୍ୟପଟେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ସୋମବାର ଠାରୁ ପୁରୀ ବାରବାଟୀ କଲ୍ୟାଣ ମଣ୍ଡପ ପରିସରରେ ‘ସ୍ୱାବ ଟେଷ୍ଟ ସେଣ୍ଟର’ ବା ଆର୍ଟିପିସିଆର ଟେଷ୍ଟ ସେଣ୍ଟର ଖୋଲାଯାଇଅଛି ।
ଉକ୍ତ ବୈଠକରେ ଭାରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ଡାଇରେକ୍ଟର ଶାଲିନୀ ପଣ୍ଡିତ, ଜିଲ୍ଲାପାଳ ସମର୍ଥ ବର୍ମା, ସ୍ୱାସ୍ଥ୍ୟ ବିଭାଗ ର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ କୁମାର ମହାନ୍ତି, ଅତିରିକ୍ତ ସଚିବ ଶୁଭାନନ୍ଦ ମହାପାତ୍ର, ଡାଇରେକ୍ଟର ହେଲ୍ଥ ସର୍ଭିସେସ ଡାକ୍ତର ବିଜୟ କୁମାର ମହାପାତ୍ର, ଡାଇରେକ୍ଟର ନର୍ସିଂ ଡାକ୍ତର ସଂଯୁକ୍ତା ସାହୁ, ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ପ୍ରଧାନ, ଓଡିଶା ରାଜ୍ୟ ଔଷଧ ନିଗମର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଜ୍ଞାନବ୍ରତ ମହାନ୍ତି, ଜଗନ୍ନାଥ ମେଡିକାଲ କଲେଜ ଡିନ ଡାକ୍ତର ମାୟା ପାଢ଼ୀ, ଜଗନ୍ନାଥ କଲେଜ ସୁପେରିଟେଣ୍ଡେଣ୍ଟ କୌଶିକ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଯକ୍ଷ୍ମା ଡାକ୍ତର ଲଲାଟେନ୍ଦୁ ମିଶ୍ର ଓ ଜିଲ୍ଲା ମୁଖ୍ୟ ଚିକିଶ୍ଚୟାଳୟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।