ଭୁବନେଶ୍ୱର: କିଛିଦିନ ହେବ ରାଜ୍ୟରେ ‘ଟୁଙ୍ଗୁରୁ ଭୋଳର ପ୍ରେମକାହାଣୀ’କୁ ନେଇ ଆଲୋଚନା ଜୋର୍ ଧରିଛି । ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ୱେବପୋର୍ଟାଲ ଠାରୁ ଆରମ୍ଭ କରି ଟିଭି ଚ୍ୟାନେଲରେ ଟୁଙ୍ଗୁରୁଙ୍କ କାହାଣୀ ଦେଖାଯାଉଛି । ଏହି ଖବର ମଧ୍ୟ ଲକ୍ଷଲକ୍ଷ ଦର୍ଶକ ଦେଖୁଛନ୍ତି । ସେଥିଲାଗି ଗଣମାଧ୍ୟମ ସଂସ୍ଥାମାନେ ଟୁଙ୍ଗୁରୁଙ୍କ ଉପରେ ଫୋକସ୍ ଦେଉଛନ୍ତି । ଟୁଙ୍ଗୁରୁ ବର୍ଷାଙ୍କୁ କାହିଁକି ଛାଡ଼ିଲେ, ଟୁଙ୍ଗୁରୁ ଏବେ କେମିତି ଅଛନ୍ତି, ଭାଉଜ ପ୍ରେମ ମିଠା ନା ଖଟା, ଏଭଳି ଶିରୋନାମା ଦିଆଯାଇ ଟୁଙ୍ଗୁରୁଙ୍କୁ ଉପସ୍ଥାପିତ କରାଯାଉଛି । ଏହି ସମୟରେ ବର୍ଷାଙ୍କ(ଟୁଙ୍ଗୁରୁଙ୍କୁ ବାହାହେବାକୁ ଜିଦ୍ କରୁଥିବା ମହିଳା) ବିରୋଧରେ ଟୁଙ୍ଗୁରୁ ବିଭିନ୍ନ କଥା ବଖାଣୁଛନ୍ତି ।
ଏମିତିକି ବର୍ଷା ତାଙ୍କୁ ଫସାଇଥିଲେ, ତାଙ୍କୁ ଗାମୁଛା ପିନ୍ଧାଇ ୮ଦିନ ରଖିଥିଲେ, ବର୍ଷା ଓ ତାଙ୍କର କିଛି ସମ୍ପର୍କ ନାହିଁ ବୋଲି ଟୁଙ୍ଗୁରୁ କହିଆସୁଛନ୍ତି । ହେଲେ ସୋମବାର ବର୍ଷା ଏକ ଗଣମାଧ୍ୟମ ଆଗରେ ଟୁଙ୍ଗୁରୁଙ୍କୁ ଫୋନ୍ କରି ପ୍ରେମସମ୍ପର୍କ ବାବଦରେ ପଚାରିଥିଲେ । ଏହି ସମୟରେ ଟୁଙ୍ଗୁରୁ ତାଙ୍କୁ ବାହାହେବାକୁ କଥା ଦେଇଛନ୍ତି । ଏଥିସହ ବର୍ଷା କେବଳ ଟୁଙ୍ଗୁରୁର ବୋଲି ଦାବି କରିଛନ୍ତି । ଖାଲି ଏତିକି ନୁହେଁ, ଏଇ ଓଡ଼ିଶା ଦେଖିବ ବର୍ଷା ଓ ଟୁଙ୍ଗୁରୁ ପ୍ରେମ କାହାଣୀ ବୋଲି ଗପ ମାରିଛନ୍ତି । ଏହାକୁ ନେଇ ଟୁଙ୍ଗୁରୁଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପ୍ରତ୍ୟେକ ଦିନ ଗଣମାଧ୍ୟମ ଆଗରେ ବର୍ଷାଙ୍କ ବିରୋଧରେ ଖରାପ କଥା ବଖାଣୁଥିବା ଟୁଙ୍ଗୁରୁ ହଠାତ୍ ବାହାହେବେ ବୋଲି କହିବା ଘଟଣା ତାଙ୍କୁ ଏବେ ଅଡୁଆରେ ପକାଇଛି । କମ୍ଦିନରେ ଚର୍ଚ୍ଚିତ ହୋଇଯାଇଥିବାରୁ ଟୁଙ୍ଗୁରୁ ଏବେ ନିଜକୁ ହିରୋ ଭାବୁଛନ୍ତି । ଏମିତିକି ଫେମସ୍ ହେବା ପାଇଁ ବର୍ଷାଙ୍କୁ ଅସ୍ତ୍ର କରି ଗଣମାଧ୍ୟମର ବ୍ୟବହାର କରୁଛନ୍ତି । ହେଲେ ସେ ଭୁଲିଯାଉଛନ୍ତି ଏହାଦ୍ୱାରା ବର୍ଷାଙ୍କ ଇଜ୍ଜତ ତଳେ ପଡୁଛି। ଟୁଙ୍ଗୁରୁଙ୍କ ପାଇଁ ବର୍ଷା ଏବେ ରାସ୍ତାରେ ମୁହଁ ଟେକି ଚାଲିପାରୁନଥିବାବେଳେ ଟୁଙ୍ଗୁରୁ ମ୍ୟୁଜିକ ଭିଡ଼ିଓରେ ଅଭିନୟ କରୁଛନ୍ତି । ଏହିସବୁ ଘଟଣା ବର୍ଷାଙ୍କୁ ଆଘାତ ଦେଇଛି । ଜଣେ ମହିଳାଙ୍କୁ ବଦନାମ୍ କରି ନିଜକୁ ଫେମସ୍ କରିବା ଘଟଣାକୁ ମହିଳାମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ତେଣୁ ଟୁଙ୍ଗୁରୁ ଭୋଳ ଜଣେ ୪୨୦ ବୋଲି ଚର୍ଚ୍ଚାହେଉଛି ।
ନେତାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଆଇଏଏସ୍ ଅଫିସରମାନେ ପ୍ରେମପାଇଁ ବୟସ, ଜାତି ମାନୁନାହାନ୍ତି । ଟୁଙ୍ଗୁରୁଙ୍କ ପ୍ରେମକାହାଣୀ ମଧ୍ୟ ଠିକ୍ ସେହିଭଳି । ହେଲେ ଜଣେ ବିବାହିତା ମହିଳାଙ୍କୁ ବାହାହେବାକୁ କଥାଦେଇ ପରେ ତାଙ୍କୁ ଠକି ଏବେ ଖୁଲାମ୍ଖୁଲା ବୁଲୁଛନ୍ତି ଟୁଙ୍ଗୁରୁ । ଏମିତିକି ସେହି ମହିଳାଙ୍କ ନାଁ ବ୍ୟବହାର କରି ନିଜେ ଫେମସ୍ ହେଉଛନ୍ତି । ଆଉ ହିରୋ ହେବାର ସ୍ୱପ୍ନ ଦେଖୁଛନ୍ତି । ଏହାରି ଭିତରେ ଟୁଙ୍ଗୁରୁଙ୍କ ନାଁରେ ୩ରୁ ୪ଟି ଗୀତ ରିଲିଜ୍ ହୋଇସାରିଛି । ଏମିତିକି ଏକ ମ୍ୟୁଜିକ ଭିଡ଼ିଓରେ ଟୁଙ୍ଗୁରୁ ଅଭିନୟ ମଧ୍ୟ କରିଛନ୍ତି ।
ଏହିସବୁ ସମ୍ପୃକ୍ତ ମହିଳା(ବର୍ଷା)ଙ୍କ ପାଇଁ ସମ୍ଭବ ହୋଇଥିବାବେଳେ ଟୁଙ୍ଗୁରୁ ତାଙ୍କ ବିରୋଧରେ ପ୍ରତ୍ୟେକଦିନ ନାନାଦି କଥା ବଖାଣୁଛନ୍ତି ।
କେହି କାହା ସହ ସମ୍ପର୍କ ରଖିବେ ନାହିଁ, ଅଲଗା ହୋଇ ରହିବେ, କେହି କାହାଘରକୁ ଯିବେ ନାହିଁ ବୋଲି ଭରତପୁର ଥାନାରେ ଚୁକ୍ତି କରିଥିଲେ । ହେଲେ ସେହି ଚୁକ୍ତିକୁ ଟୁଙ୍ଗୁରୁ ଭୁଲିଯାଇ ଏବେ ବର୍ଷାଙ୍କୁ ଫୋନ୍ କରି ବାହାହେବାକୁ କହୁଛନ୍ତି । ଆଉ ଗଣମାଧ୍ୟମକୁ ବ୍ୟବହାର କରି ହିରୋ ସାଜୁଛନ୍ତି । ତେଣୁ ଏହି ଟୁଙ୍ଗୁରୁକୁ ଫୋକସ୍ ନକରି ଗଣମାଧ୍ୟମ ସଂସ୍ଥାମାନେ ଅନ୍ୟ ପ୍ରସଙ୍ଗକୁ ନେଇ ଖବର ପରିବେଷଣ କରନ୍ତୁ ବୋଲି ବୁଦ୍ଧୀଜୀବୀମାନେ ମତ ଦେଇଛନ୍ତି ।