ନୂୂଆଦିଲ୍ଲୀ: କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମାଲିକ୍ଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶକୁ ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋଅପରେସନ୍ର ଇଣ୍ଡିପେଣ୍ଡଣ୍ଟ୍ ପର୍ମାନେଣ୍ଟ୍ ହ୍ୟୁମ୍ୟାନ୍ ରାଇଟ୍ସ କମିଶନ (ଓଆଇସି-ଆଇପିଏଚ୍ଆର୍ସି) ନିନ୍ଦା କରି ଯେଉଁ ଟିପ୍ପଣୀ ଦେଇଛି ଭାରତ ତାର ଭର୍ତ୍ସନା କରିଛି । ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚୀ କହିଛନ୍ତି ବିଶ୍ୱ କେବେ ବି ଆତଙ୍କବାଦକୁ ବରଦାସ୍ତ କରିନାହିଁ । ଓଆଇସି ଏହାକୁ କୌଣସି ପ୍ରକାରେ ଠିକ୍ ବୋଲି କହିପାରିବ ନାହିଁ । ଏହି ଟିପ୍ପଣୀ ମାଧ୍ୟମରେ ଓଆଇସି-ଆଇପିଏଚ୍ଆର୍ସି ୟାସିନ୍ ମାଲିକଙ୍କ ଆତଙ୍କବାଦୀ ଗତିବିଧିକୁ ସମର୍ଥନ କରୁଛି ।
ମାଲିକ୍ଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅଦାଲତରେ ପ୍ରମାଣିତ ହେବା ପରେ ତାଙ୍କୁ ଦଣ୍ଡାଦେଶ ହୋଇଛି । ବିଶ୍ୱ ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ଚାହୁଁଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଓଆଇସି ୟାସିନ୍ ମାଲିକଙ୍କ ଦଣ୍ଡାଦେଶକୁ ସମାଲୋଚନା କରି କହିଥିଲା ଯେ ତାଙ୍କୁ ଅମାନବୀୟ ଭାବେ ଜେଲ୍ରେ ରଖାଯାଇଛି, ଯାହା କଶ୍ମୀରରେ ମୁସଲମାନଙ୍କ ଉତ୍ପୀଡ଼ନକୁ ଦର୍ଶାଉଛି । ଓଆଇସି ୟାସିନ୍ଙ୍କୁ ଦଣ୍ଡ ଦେବା ଭୁଲ ଏବାଂ ଏହା ଭାରତୀୟ ନ୍ୟାୟ ପ୍ରଣାଳୀର ମଜାକ୍ ବୋଲି କହିଛି । ୟାସିନ୍ ମାଲିକ୍ ଟେରର୍ ଫଣ୍ଡିଂ ମାମଲାରେ ଏନ୍ଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମେ ୨୫ ତାରିଖରେ ଆଜୀବନ ଜେଲ୍ଦଣ୍ଡାଦେଶ ହୋଇଥିଲା ।