ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ(ଓଏମସି)ର ୬୭ତମ ପ୍ରତିଷ୍ଠା ଦିବସ ଆଜି ସ୍ଥାନୀୟ ଲୋକସେବା ଭବନର ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଏମସି ରାଜ୍ୟରେ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କରିଛି। ସଂସ୍ଥା ପକ୍ଷରୁ ଅର୍ଥ ବ୍ୟୟ କରାଯାଇ ଆଗାମୀ ଦିନରେ ରାଜ୍ୟରେ ୫ଟି ଆଦର୍ଶ ସ୍କୁଲ ଓ କୋଇଡ଼ା ଆଇଟିଆଇ ପରିସରରେ ଗୋଟିଏ ସ୍କିଲ୍ ଏକାଡେମୀ ପ୍ରତିଷ୍ଠା କରାଯିବ । ଏନେଇ ଆଜି ଓଏମସି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଏବଂ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ୍ ବିଭାଗ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି ।
ଓଏମସି ଅଧିକୃତ ରାଜ୍ୟର ବିଭିନ୍ନ ଖଣି ଅଞ୍ଚଳରେ ୫ଟି ଆଦର୍ଶ ସ୍କୁଲ ସ୍ଥାପନ ପାଇଁ ସଂସ୍ଥା ପକ୍ଷରୁ ୨୦୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାସହ ଏହି ଅନୁଷ୍ଠାନଗୁଡ଼ିକର ପରିଚାଳନା ପାଇଁ ଓଏମସି ବାର୍ଷିକ ୩୦ କୋଟି ଟଙ୍କା ଲେଖାଏ ପ୍ରଦାନ କରିବ । ଓଏମସିର ଏହି ପଦକ୍ଷେପ ଶିକ୍ଷାକୁ ପ୍ରୋତ୍ସାହିତ କରିବ ଏବଂ ଏହାର ଅଭିବୃଦ୍ଧି ପାଇଁ ଏକ ସାମଗ୍ରିକ ପରିବେଶ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଏମସିର ପ୍ରତିଷ୍ଠା ଦିବସରେ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇ, ସେ କହିଥିଲେ, ସାମାଜିକ କ୍ଷେତ୍ରରେ ବିକାଶ ଦିଗରେ ଓଏମସି ବହୁ କାର୍ଯ୍ୟ କରିଛି । ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ବହୁ ସକରାତ୍ମକ ପରିବର୍ତ୍ତନ ସହ ଓଏମସି ସର୍ବଦା ବିକାଶମୂଳକ ପଦକ୍ଷେପକୁ ଆଗେଇନେଇଛି । କୋଭିଡ୍ ମହାମାରୀ ବିରୁଦ୍ଧ ଲଢ଼େଇ ବେଳେ ରାଜ୍ୟ ସରକାରଙ୍କୁ ଓଏମସିର ସହଯୋଗ ବେଶ୍ ପ୍ରଶଂସନୀୟ ଥିଲା । ଏହାବାଦ୍ କ୍ରୀଡ଼ା, ସ୍ୱାସ୍ଥ୍ୟ, ଶିକ୍ଷା ହେଉ କିମ୍ବା ପାରିପାର୍ଶ୍ୱିକ ବିକାଶ, ଓଏମସି ସର୍ବଦା ଉତ୍କର୍ଷତା ପାଇଁ ନିଜର ଧ୍ୟାନ କେନ୍ଦ୍ରିତ କରିବା ସହ ପ୍ରୟାସ କରିଆସୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଦେଶର ସର୍ବବୃହତ ତଥା ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଖଣି କମ୍ପାନୀ ଭାବେ ଓଏମସିକୁ ଚିତ୍ରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଗତ ଆର୍ôଥକ ବର୍ଷରେ ଏହା ୧୭ ହଜାର କୋଟି ଟଙ୍କାର କାରବାର ସହିତ ୩୦ ମିଲିୟନ ଟନରୁ ଅଧିକ ଖଣିଜ ଉତ୍ପାଦନ ଲକ୍ଷ୍ୟ ହାସଲ କରିଛି । ଚଳିତ ଆର୍ôଥକ ବର୍ଷରେ ଏହି ସଂଖ୍ୟା ନିଶ୍ଚିତ ଭାବରେ ଅଧିକ ହେବ ଏବଂ ଅନ୍ୟ ପିଏସ୍ୟୁଗୁଡ଼ିକ ପାଇଁ ଓଏମସି ଉଦାହରଣ ସୃଷ୍ଟି କରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଂଶପାଣି, ଉଞ୍ଚାବାଲି ଓ ଖଣ୍ଡବନ୍ଧ ଠାରେ ଓମଏସି ଦ୍ୱାରା ପରିଚାଳିତ ତିନୋଟି ଲୁହାପଥର ଖଣିର ଶୁଭାରମ୍ଭ କରିଥିଲେ । ଓଏମସିର ଦୁଇଟି ଆଇଟି ମୋଡ୍ୟୁଲ୍ ଯଥା କମ୍ପ୍ଲିଆନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍ ଏବଂ ଲିଟିଗେସନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍କୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ଏଥିସହିତ ଆଜି ୩୯ ଜଣ ଜୁନିଅର ଆକାଉଣ୍ଟାଣ୍ଟ, ଇଲେକ୍ଟ୍ରିସିଆନ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନିଯୁକ୍ତି ପତ୍ର ଗ୍ରହଣ କରି ଓମଏସିରେ ଯୋଗ ଦେଇଛନ୍ତି। ଆଗାମୀ ଦିନରେ ଓଏମସି ଉତ୍କର୍ଷର ନୂତନ ଉଚ୍ଚତାକୁ ଛୁଇଁବ ଏବଂ ନିଜକୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ ସଂସ୍ଥା ଭାବରେ ପରିଗଣିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଏମସିର ଅଭିବୃଦ୍ଧିକୁ ପ୍ରଶଂସା କରିଛନ୍ତି । ସେ ପାରିପାର୍ଶ୍ୱିକ ବିକାଶରେ ଓଏମସିର ଅବଦାନ ବିଷୟରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପିକେ ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭିକେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ତଥା ଓଏମସିର ଅଧ୍ୟକ୍ଷ ଡିକେ ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂସ୍ଥାର ଏମଡି ବଲୱନ୍ତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।