25.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶକୋଲକାତା ହାଇକୋର୍ଟରେ ୨.୩୪ ଲକ୍ଷ ମାମଲା ବିଚାରାଧୀନ : ଖାଲିପଡିଛି ୪୧% ବିଚାରପତି ଆସନ

କୋଲକାତା ହାଇକୋର୍ଟରେ ୨.୩୪ ଲକ୍ଷ ମାମଲା ବିଚାରାଧୀନ : ଖାଲିପଡିଛି ୪୧% ବିଚାରପତି ଆସନ

କୋଲକାତା: କୋଲକାତା ହାଇକୋର୍ଟରେ ୨.୩୪ ଲକ୍ଷ ମାମଲା ଏବେ ବିଚାରାଧୀନ ରହିଛି । ଏଗୁଡିକ ମଧ୍ୟରେ ଅଧିକାଂଶ ମାମଲା ବହୁତ ପୁରୁଣା ହୋଇଥିବାବେଳେ ଆବଶ୍ୟକ ସଂଖ୍ୟକ ବିଚାରପତି ଅଭାବରୁ ଏହାର ଶୁଣାଣି ସମ୍ଭବ ହୋଇପାରୁନାହିଁ । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟ ଅନୁଯାୟୀ କୋଲକାତା ହାଇକୋର୍ଟରେ ୭୨ ଜଣ ବିଚାରପତି ନିଯୁକ୍ତ ହେବାର ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ କେବଳ ୩୯ ଜଣ କାର୍ଯ୍ୟରତ ଅଛନ୍ତି । ସୁପ୍ରିମକୋର୍ଟ କଲେଜିୟମ ଇତିମଧ୍ୟରେ ୩ ଜଣ ନୂଆ ବିଚାରପତିଙ୍କ ନାମ ସୁପାରିସ କରିଥିବାରୁ କୋଲକାତା ହାଇକୋର୍ଟରେ ବିଚାରପତି ସଂଖ୍ୟା ୪୨କୁ ବୃଦ୍ଧି ପାଇବାକୁ ଯାଉଛି । ଏହାସତ୍ତ୍ୱେ ଧାର୍ଯ୍ୟ ବିଚାରପତି ଆସନର ୪୧ ପ୍ରତିଶତ ଆସନ ଖାଲିପଡିବ । କେବଳ କୋଲକାତା ହାଇକୋର୍ଟ କାହିଁକି, ପଶ୍ଚିମବଙ୍ଗର ଜିଲ୍ଲା ଓ ସବ୍‌ଡିଭିଜନ କୋର୍ଟଗୁଡିକରେ ମଧ୍ୟ ବିଚାରପତିଙ୍କର ଘୋର ଅଭାବ ପରିଲକ୍ଷିତ ହେଉଛି । ହାଇକୋର୍ଟରେ ପଡିରହିଥିବା ମାମଲା ମଧ୍ୟରୁ ଅଧିକାଂଶ ହେଉଛି ଜମିଜମା ସଂକ୍ରାନ୍ତ ଦେୱାନୀ ମାମଲା ।

ଏଭଳି ମାମଲାର ସଂଖ୍ୟା ୧,୯୭,୧୮୪ ବୋଲି ଜଣାପଡିଛି । ଅପରପକ୍ଷରେ ହାଇକୋର୍ଟରେ ୩୭,୩୫୫ ଫୌଜଦାରୀ ମାମଲା ବିଚାରାଧୀନ ରହିଛି । ଅବଶ୍ୟ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟବ୍ଳେୟାର ଏବଂ ଜଳପାଇଗୁଡିରେ କୋଲକାତା ହାଇକୋର୍ଟର ସ୍ଥାୟୀ ସର୍କିଟ ବେଞ୍ଚ୍ ରହିଛି । ଏହାସତ୍ତ୍ୱେ ଆବଶ୍ୟକ ସଂଖ୍ୟକ ବିଚାରପତି ନଥିବାରୁ ମାମଲାର ଶୁଣାଣି ସମ୍ଭବ ହୋଇପାରୁନାହିଁ ବୋଲି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅଶୋକ ଗାଙ୍ଗୁଲି କହିଛନ୍ତି । ଯେଉଁ ହାରରେ ନୂଆ ମାମଲା ହାଇକୋର୍ଟକୁ ଆସୁଛି, ସେହି ତୁଳନାରେ ବିଚାରପତିଙ୍କୁ ନିଯୁକ୍ତ କରାଯାଉନାହିଁ । ଏହି ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତଭାବେ ଉଦ୍ୟମ କରିବାକୁ ଜଷ୍ଟିସ ଗାଙ୍ଗୁଲି ପରାମର୍ଶ ଦେଇଛନ୍ତି । ଚଳିତବର୍ଷ ମେ’ ୧୪ ସୁଦ୍ଧା ରାଜ୍ୟର ବିଭିନ୍ନ ଅଦାଲତରେ ମୋଟ ୨୬,୬୪,୨୮୪ଟି ମାମଲା ବିଚାରାଧୀନ ରହିଥିବା ଜଣାପଡିଛି । ଏଥିମଧ୍ୟରେ ୨୦,୪୭,୯୦୧ଟି ଫୌଜଦାରୀ ମାମଲା ରହିଥିବାବେଳେ ୬,୧୬,୩୮୩ଟି ଦେୱାନୀ ମାମଲା ରହିଛି । ଶୁଣାଣିରେ ବିଳମ୍ବ ଘଟୁଥିବାରୁ ସଂପୃକ୍ତ ପକ୍ଷମାନଙ୍କୁ ଭୀଷଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଅପରପକ୍ଷରେ ଦେଶର ବିଭିନ୍ନ ହାଇକୋର୍ଟରେ ୨୦୦ରୁ ଊର୍ଦ୍ଧ୍ୱ ବିଚାରପତି ଆସନ ଖାଲିପଡିଥିବାବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନା ଗଭୀର ଉଦ୍‌ବେଗ ପ୍ରକାଶ କରିଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking