25.1 C
Bhubaneswar
Thursday, January 16, 2025
Homeଅପରାଧଠକ ପ୍ରେମିକର ମିଛ ପ୍ରେମରେ ଫସିଲେ ଯୁବତୀ

ଠକ ପ୍ରେମିକର ମିଛ ପ୍ରେମରେ ଫସିଲେ ଯୁବତୀ

ଭୁବନେଶ୍ୱର: ଏକ ଘରୋଇ ବିଶ୍ୱବିଦ୍ୟାଳୟର ଜଣେ ମହିଳା କର୍ମଚାରୀ ଠକ ପ୍ରେମିକର ମିଛ ପ୍ରେମରେ ନିଶାଗ୍ରସ୍ତ ହୋଇ ତାକୁ କଲେଜର ୯୭ ଲକ୍ଷ ଟଙ୍କା ଦେଇଦେବା ଘଟଣା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । କଲେଜ ପକ୍ଷରୁ ଅଭିଯୋଗ ହେବା ପରେ ତମାଣ୍ଡୋ ଥାନା ପୁଲିସ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଛି । ଗିରଫ ଯୁବତୀ ହେଲେ କଟକ ଜିଲା ବୟାଳିଶି ମୌଜାର ପାୟଲ ମହାପାତ୍ର(୨୭) । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି । ସେପଟେ ଝାରଖଣ୍ଡରେ ଥିବା ପାୟଲଙ୍କ ପ୍ରେମିକ ବିକାଶ କୁମାରକୁ ଧରିବାକୁ ପୁଲିସ ଉଦ୍ୟମ କରୁଛି । ଏନେଇ ଏକ ପୁଲିସ ଟିମ୍ ଝାରଖଣ୍ଡ ଯିବାକୁ ପ୍ରସ୍ତୁତ ହୋଇଥିବା ତମାଣ୍ଡୋ ଥାନାଧିକାରୀ ଶୁଭ୍ରାନ୍ତ କୁମାର ଜେନା କହିଛନ୍ତି ।

ପୁଲିସ ସୂଚନା ଅନୁଯାୟୀ, ତମାଣ୍ଡୋ ଥାନା ଅଞ୍ଚଳରେ ସିଭିରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ ରହିଛି । ବିଶ୍ୱବିଦ୍ୟାଳୟର ଆକାଉଣ୍ଟ ସେକ୍ସନରେ ଅଫିସ୍ ସହାୟକ ଭାବେ ପାୟଲ ୨୦୧୭ ମସିହାରୁ କାମ କରିଆସୁଛନ୍ତି । ଛାତ୍ରଛାତ୍ରୀଙ୍କ ଠାରୁ ଫି’ ସଂଗ୍ରହ କରିବା ଏବଂ ଆକାଉଣ୍ଟ ଜିଏମ୍‌ଙ୍କୁ ଜଣାଇ ଅଫିସ ଆକାଉଣ୍ଟରେ ଫି’ ଟଙ୍କା ଜମା କରିବା ତାଙ୍କର କାମ । ୨୦୧୯ ମସିହାରେ ସିଭି ରମଣରୁ ପାସ୍ ହୋଇଥିବା ଝାଡଖଣ୍ଡର ବିକାଶ କୁମାର ନାମକ ଜଣେ ଛାତ୍ରଙ୍କ ସହ ପାୟଲଙ୍କ ସମ୍ପର୍କ ଗଢି ଉଠିଥିଲା । କିଛିଦିନ ପରେ ବିକାଶ ଝାଡଖଣ୍ଡ ଚାଲିଯାଇଥିଲା । କିନ୍ତୁ ସେ ସବୁବେଳେ ପାୟଲଙ୍କ କନେକ୍ସନରେ ଥିଲା । ହେଲେ ପାୟଲକୁ ପ୍ରେମ କରିବା ପଛରେ ବିକାଶର ଏକ ମନ୍ଦ ଉଦ୍ଦେଶ୍ୟ ଥିଲା । ପାୟଲଙ୍କ ଠାରୁ ଟଙ୍କା ଲୁଟିବାକୁ ସେ ଯୋଜନା କରିଥିଲା ।

ଧୀରେଧୀରେ ବିକାଶ ପାୟଲକୁ ନିଜର ଅସୁବିଧା ସମ୍ପର୍କରେ କହିବାରେ ଲାଗିଲା । ଏମିତିକି ନିଜ ବାପା ଓ ମା’ଙ୍କ ଦେହ ଖରାପ ଥିବା କହି ଟଙ୍କା ମାଗିଲା । ପ୍ରେମିକର ଏଭଳି କଷ୍ଟ ସହ୍ୟ କରିନପାରି ପାୟଲ ଧୀରେ ଧୀରେ ଟଙ୍କା ଦେବାରେ ଲାଗିଲେ । ଛାତ୍ରଛାତ୍ରୀମାନେ ଦେଉଥିବା ବାର୍ଷିକ୍ ଫି’କୁ ପାୟଲ ହଡ଼ପ କରି ଅଫିସ ଆକାଉଣ୍ଟରେ ଜମା କରିବା ପରିବର୍ତ୍ତେ ନିଜର ୟୁନିଅନ ବ୍ୟାଙ୍କ, ମହୁରା ଶାଖା ଏବଂ ଆକ୍ସିସ୍ ବ୍ୟାଙ୍କ, ବାଦାମବାଡି ଶାଖାରେ ଦୀର୍ଘଦିନ ହେବ ଜମା କରିଆସୁଥିଲେ । ଏହାପରେ ଫୋନ୍‌-ପେ ଜରିଆରେ ବିକାଶ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ । ଆକାଉଣ୍ଟ ଜିଏମ୍ ଫି’ ସମ୍ପର୍କରେ ପଚାରିବାରୁ ଅଫିସ୍ ଏଚ୍‌ଡିଏଫ୍‌ସି ଆକାଉଣ୍ଟରେ ଜମା କରିଦେଇଥିବା କହୁଥିଲେ । ଏଭଳି ଭାବେ ୨୦୨୦ରୁ ୨୦୨୨ ଅପ୍ରେଲ ୨୮ତାରିଖ ପର୍ଯ୍ୟନ୍ତ ୯୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସେ ନିଜ ଆକାଉଣ୍ଟରେ ଜମା କରିବା ପରେ ବିକାଶକୁ ପଠାଇଥିଲେ ।

ଗତ ୩ ଦିନ ତଳେ କଲେଜ ପକ୍ଷରୁ ବାର୍ଷିକ ଅଡିଟ୍ କରାଯିବାରୁ ଆକାଉଣ୍ଟରେ ଟଙ୍କା ନଥିବା ଦେଖିବାକୁ ପାଇଥିଲେ । ତେଣୁ ଆକାଉଣ୍ଟ ଜିଏମ୍ ଏସମ୍ପର୍କରେ ପାୟଲଙ୍କୁ ପଚାରିଥିଲେ । ପାୟଲ ଭୟଭୀତ ହୋଇ ସବୁ ସତ ମାନିଯାଇଥିଲେ । ଏହାପରେ ଆକାଉଣ୍ଟ୍‌ସ ଜିଏମ୍ ପାୟଲଙ୍କ ବିରୋଧରେ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ପାୟଲଙ୍କୁ ଥାନାକୁ ଡାକି ପଚାରିବାରୁ ସେ ତାଙ୍କ ପ୍ରେମିକଙ୍କୁ ଟଙ୍କା ପଠାଇଥିବା ସ୍ୱୀକାର କରିଥିଲେ । ଏହାପରେ ପୁଲିସ ପାୟଲଙ୍କ ପ୍ରେମିକ ବିକାଶକୁ ଯୋଗାଯୋଗ କରିଥିଲା । ହେଲେ ସେ ଫୋନ୍ ସୁଇଚ୍‌ଅଫ କରିଦେଇଛି । ତେଣୁ ପୁଲିସ ପାୟଲଙ୍କ ବିରୋଧରେ ମାମଲା ରୁଜୁ କରି ଜେଲ୍ ପଠାଇଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking