ମାନିଲା : ଭାରତର ଷ୍ଟାର୍ ଶଟ୍ଲର୍ ପିଭି ସିନ୍ଧୁ ଗୁରୁବାର ସିଙ୍ଗାପୁରର ୟୁଏ ୟାନ୍ ଜାସ୍ଲିନ୍ ହୁଇଙ୍କୁ ସିଧା ଗେମ୍ରେ ହରାଇ ବ୍ୟାଡ୍ମିଣ୍ଟନ୍ ଏସିଆ ଚାମ୍ପିଅନ୍ଶିପ୍ର ମହିଳା ସିଙ୍ଗଲ୍ସ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ସେହିପରି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଭାରତୀୟ ଯୋଡ଼ି ମଧ୍ୟ ପୁରୁଷ ଡବଲ୍ସ କ୍ୱାର୍ଟର୍ ଫାଇନାଲ୍ ପହଞ୍ଚିଛି । ତେବେ ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ୍ ମେଡାଲିଷ୍ଟ୍ ସାଇନା ନେହ୍ୱାଲ୍ ଓ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ ରୌପ୍ୟ ବିଜେତା କିଦାମ୍ବୀ ଶ୍ରୀକାନ୍ତ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟ୍ରୁ ବାଦ୍ ପଡ଼ିଛନ୍ତି ।
ଗୁରୁବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସର ଏକ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ରେ ୨୦୧୪ ଗିମ୍ଚେଅନ୍ ସଂସ୍କରଣର ବ୍ରୋଞ୍ଜ୍ ପଦକ ବିଜିୟିନୀ ଚତୁର୍ଥ ସିଡ୍ ସିନ୍ଧୁ ବିଶ୍ୱର ୧୦୦ ନମ୍ବର ଖେଳାଳି ଜାସ୍ଲିନ୍ ହୁଇଙ୍କୁ ମାତ୍ର ୪୨ ମିନିଟ୍ ମଧ୍ୟରେ ୨୧-୧୬, ୨୧-୧୬ରେ ମାତ୍ ଦେଇଥିଲେ । କ୍ୱାର୍ଟର୍ ଫାଇନାଲ୍ରେ ସିନ୍ଧୁ ତୃତୀୟ ସିଡ୍ ଚୀନ୍ର ହି ବିଙ୍ଗ୍ ଜିଆଓଙ୍କୁ ଭେଟିବେ । ଟୋକିଓ ଅଲିମ୍ପିକ୍ସରେ ଜିଆଓଙ୍କୁ ହରାଇ ବ୍ରୋଞ୍ଜ୍ ପଦକ ଜିତିଥିବା ସିନ୍ଧୁଙ୍କ ରେକର୍ଡ ତାଙ୍କ ବିପକ୍ଷରେ ୭-୯ ରହିଛି । ସେହିପରି ଗତ ଦୁଇଟି ମୁକାବିଲାରେ ମଧ୍ୟ ସିନ୍ଧୁ ତାଙ୍କୁ ପରାଜିତ କରିଥିଲେ ।
ସାତ୍ତ୍ୱିକ-ଚିରାଗଙ୍କ ତୃତୀୟ ସିଡ୍ ପୁରୁଷ ଡବଲ୍ସ ଯୋଡ଼ି ଆକର୍ଷଣୀୟ ପ୍ରଦର୍ଶନ କରି ଆକିରା କୋଗା ଓ ଟାଇଚି ସାଇଟୋଙ୍କ ଜାପାନୀ ଯୋଡ଼ିକୁ ୨୧-୧୭, ୨୧-୧୫ ସିଧା ଗେମ୍ରେ ହରାଇ ଅନ୍ତିମ ଆଠରେ ସ୍ଥାନ ପକ୍କା କରିଛନ୍ତି । ବିଶ୍ୱର ନଂ ୭ ଯୋଡ଼ି ପରବର୍ତ୍ତୀ ମ୍ୟାଚ୍ରେ ପଞ୍ଚମ ସିଡ୍ ମାଲେସିଆର ଆରୋନ୍ ଚିଆ ଓ ସୋହ ଉଇ ୟିକ୍ଙ୍କ ଯୋଡ଼ି କିମ୍ବା ସିଙ୍ଗାପୁରର ଡାନି ବାୱା କ୍ରିସ୍ନାଣ୍ଟା ଓ ଜୁନ୍ ଲିଆଙ୍ଗ ଆଣ୍ଡି କ୍ୱେକ୍ଙ୍କ ଯୋଡ଼ିକୁ ଭେଟିବେ ।
ଅନ୍ୟପକ୍ଷରେ ସାଇନାଙ୍କ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ୍ରେ ଚତୁର୍ଥ ପଦକ ବିଜୟ ସ୍ୱପ୍ନକୁ ଧକ୍କା ଲାଗିଛି । ମହିଳା ସିଙ୍ଗଲ୍ସର ଅନ୍ୟ ଏକ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ରେ ବିଶ୍ୱ ର୍ୟାଙ୍କିଙ୍ଗ୍ ୧୬ତମ ଖେଳାଳି ଚୀନ୍ର ୱାଙ୍ଗ୍ ଝି ୟି’ଙ୍କ ଠାରୁ ସେ ୨୧-୧୨, ୭-୨୧ ଓ ୧୩-୨୧ରେ ପରାଜିତ ହୋଇଛନ୍ତି । ୪୭ ମିନିଟ୍ର ମ୍ୟାଚ୍ରେ ସାଇନା ପ୍ରଥମ ଗେମ୍ ସହଜରେ ଜିତି ନେଇଥିବା ବେଳେ ଚୀନ୍ ଖେଳାଳି ଜୋର୍ଦାର ପ୍ରତ୍ୟାବର୍ତ୍ତନ କରି ବାକି ଗେମ୍ ହାତେଇବା ସହ ମ୍ୟାଚ୍ ଜିତି ନେଇଥିଲେ । ତୃତୀୟ ଗେମ୍ରେ ସାଇନାଙ୍କ କେତୋଟି ତ୍ରୁଟିପୂର୍ଣ୍ଣ ସର୍ଭିସ୍ ୱାଙ୍ଗ୍ ଝି ୟି’ଙ୍କ ବିଜୟକୁ ସହଜ କରିଦେଇଥିଲା । ସେହିପରି ସପ୍ତମ ସିଡ୍ ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ରେ ଚୀନ୍ର ୱେଙ୍ଗ୍ ହଙ୍ଗ୍ ୟାଙ୍ଗ୍ଙ୍କଠାରୁ ୧୬-୨୧, ୨୧-୧୭, ୧୭-୨୧ରେ ପରାଜିତ ହୋଇଛନ୍ତି । ଏହି ମ୍ୟାଚ୍ ଏକ ଘଣ୍ଟା ୧୭ ମିନିଟ୍ ଚାଲିଥିଲା ।