ଭୋପାଳ: ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା କମଲନାଥ ଗୁରୁବାର ବିଧାୟକ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି । ତେବେ ସେ ପ୍ରଦେଶ କଂଗ୍ରେସ କମିଟି ସଭାପତିଭାବେ କାର୍ଯ୍ୟ କରିବେ ବୋଲି ଜଣାପଡିଛି । ବର୍ତ୍ତମାନ ଡଃ ଗୋବିନ୍ଦ ସିଂହଙ୍କୁ ବିଧାୟକ ଦଳର ନେତା ମନୋନୀତ କରାଯାଇଛି । ଜଣେ ବ୍ୟକ୍ତି ଏକାସାଙ୍ଗରେ ଦୁଇଟି ପଦରେ କାର୍ଯ୍ୟ କରିପାରିବେ ନାହିଁ ବୋଲି କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇଥିବାରୁ କମଲନାଥଙ୍କୁ ଗୋଟିଏ ପଦ ଛାଡିବାକୁ ପଡିଛି ।
୨୦୧୮ ବିଧାନସଭା ନିର୍ବାଚନରେ ଦଳର ବିଜୟ ପରେ କମଲନାଥ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ନିଯୁକ୍ତିକୁ ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ହାଇକମାଣ୍ଡଙ୍କ ମତାନ୍ତର ଘଟିଥିଲା । ଫଳରେ ସିନ୍ଧିଆ ୨୨ ଜଣ ଅନୁଗତ କଂଗ୍ରେସ ବିଧାୟକଙ୍କ ସହ ବିଜେପିକୁ ଲମ୍ଫପ୍ରଦାନ କରିବାପରେ କମଲନାଥଙ୍କ ସରକାର ସଂଖ୍ୟାଲଘୁ ପାଲଟିଥିଲା ।