ନୂଆଦିଲ୍ଲୀ: ଭାରତୀୟ ଜୀବନବୀମା ନିଗମ(ଏଲ୍ଆଇସି) ପକ୍ଷରୁ ଏହାର ଆଇପିଓ ଲଞ୍ଚ ଆସନ୍ତା ମେ ୪ରୁ ଆରମ୍ଭ ହେବ । ୪ରୁ ଆରମ୍ଭ ହୋଇ ୯ ତାରିଖ ଯାଏଁ ଏହି ଆଇପିଓ ଲଞ୍ଚ କରାଯିବ । ଦେଶର ସର୍ବବୃହତ ଆଇପିଓ ଲଞ୍ଚକୁ ସବୁଜ ସଙ୍କେତ ମିଳି ସାରିଥିବା ବେଳେ ବୁଧବାର ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯିବ । ଆଇପିଓର ମୂଲ୍ୟ କେତେ ଟଙ୍କା ମଧ୍ୟରେ ରହିବ ତାହା ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡିଛି । ଏଲ୍ଆଇସି ମ୍ୟାନେଜମେଣ୍ଟ ଏବଂ ବିଭିନ୍ନ ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କ ପକ୍ଷରୁ ବୈଠକ ପରେ ଏହି ନିଷ୍ପତ୍ତି ନିଆଯିବ ।
ମୁମ୍ବାଇ, ନୂଆଦିଲ୍ଳୀ, ବେଙ୍ଗାଲୁରୁ, ଅହମଦାବାଦ, ରାଜକୋଟ ଏବଂ କୋଲକାତାରେ ବିଭିନ୍ନ ନିବେଶକ ଏବଂ ଆନାଲିଷ୍ଟଙ୍କ ସହିତ ପରାମର୍ଶ ପରେ ନିଷ୍ପତ୍ତି ନିଆଯିବ । କେନ୍ଦ୍ର ସରକାର ଏହି ଆଇପିଓ ଲଞ୍ଚ ଦ୍ୱାରା ଏଲଆଇସିରୁ ନିଜର ୩.୫ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଯାଉଛନ୍ତି । ପୂର୍ବରୁ ସରକାର ଏହି ଆଇପିଓ ଲଞ୍ଚରୁ ୬.୬ ବିଲିୟନ୍ ଡଲାର ବା ୫୦ ହଜାର କୋଟି ଟଙ୍କା ଆୟ କରିବାର ଆକଳନ କରାଯାଇଥିଲା । ମାତ୍ର ବର୍ତ୍ତମାନର ମୂଲ୍ୟ ହ୍ରାସ ପରେ ସରକାରଙ୍କ ଖାତାକୁ ମାତ୍ର ୩୦ ହଜାର କୋଟି ଆସିବ ବୋଲି ଜଣାପଡିଛି । ତେବେ ଏହି ଆଇପିଓର ମୂଲ୍ୟ କେତେ ଟଙ୍କା ରହିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ଏଲଆଇସିର ଆଇପିଓ ଲଞ୍ଚ ହେଲେ ଏହା ଭାରତୀୟ ଶେୟାର ବଜାର ଇତିହାସରେ ସବୁଠାରୁ ବଡ ଆଇପିଓ ଲଞ୍ଚ ହେବ । ଏଲଆଇସି ଆଇପିଓର ମୂଲ୍ୟ ପ୍ରାୟ ୧ ଲକ୍ଷ ୨୦ ହଜାର କୋଟି ରହିବାକୁ ଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଭାରତରେ ଲଞ୍ଚ ହୋଇଥିବା ସବୁଠୁ ବୃହତର ଆଇପିଓ ରହିଛି ପେଟିଏମ୍ । ପେଟିଏମ୍ ୧୮ ହଜାର ୮୦୦ କୋଟି ଟଙ୍କାର ଆଇପିଓ ଲଞ୍ଚ କରିଥିଲା ।