16.1 C
Bhubaneswar
Saturday, January 18, 2025
Homeଓଡିଶାପାଣି ପାଇଁ ବାଜି ଲଗୁଛି ଜୀବନ: ୫୦ ପରିବାରଙ୍କ ଭରସା ଭଙ୍ଗା ଦଦରା କୂଅ

ପାଣି ପାଇଁ ବାଜି ଲଗୁଛି ଜୀବନ: ୫୦ ପରିବାରଙ୍କ ଭରସା ଭଙ୍ଗା ଦଦରା କୂଅ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଭୃଙ୍ଗିଜୋଡ଼ି ପଞ୍ଚାୟତରେ ପାଣି ଟୋପାଏ ପାଇଁ ଜୀବନ ସହିତ ସଂଗ୍ରାମ କରୁଛନ୍ତି ଲୋକେ । ଏକ ଭଙ୍ଗାଦଦରା କୂଅରୁ କିଭଳି ଗ୍ରାମବାସୀ ପାଣି ଟୋପାଏ ସଂଗ୍ରହ କରିବା ପାଇଁ ଜୀବନକୁ ବାଜି ଲଗାଉଛନ୍ତି ସେଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ମାତ୍ର ଦୀର୍ଘବର୍ଷ ଧରି ଏଭଳି ପରିସ୍ଥିତିରେ ସେମାନେ ଜଳ ସଂଗ୍ରହ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ୫୦ ପରିବାର ପାଇଁ ଭଙ୍ଗା ଦଦରାକୂଅଟି ଭରାସା ବା ଜୀବନ ରେଖା ପାଲଟି ଥିବା ବେଳେ ଜଳ ଯୋଗାଣ ପାଇଁ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଛନ୍ତି ।

ପ୍ରକାଶ ଯେ, ବର୍ଷା ଓ ଶୀତ ଋତୁରେ କନ୍ଧମାଳ ଜିଲ୍ଲାର ବିିଭିନ୍ନ ଅଞ୍ଚଳବାସୀ ଜେନତେନ ପ୍ରକାରେ ଜଳ ସଂଗ୍ରହ କରୁଥିଲେ ମଧ୍ୟ ଗ୍ରୀଷ୍ମଋତୁ ଆସିଗଲେ ଚିନ୍ତା ବଢ଼ିଯାଉଛି । ଯେଭଳି ଭାବେ ଗ୍ରୀଷ୍ମ ପ୍ରଭାବ ବୃଦ୍ଧି ପାଉଛି ସେହି ଭଳି ଭାବେ ଜିଲ୍ଲାରେ ପାନୀୟ ଜଳ ଚିନ୍ତା ମଧ୍ୟ ବୃଦ୍ଧି ପାଇବାରେ ଲାଗୁଛି । ଫିରିଙ୍ଗିଆ ବ୍ଲକ୍ ଭୃଙ୍ଗଯୋଡି ପଞ୍ଚାୟତର ଡାଡିଲେଇ ଗ୍ରାମରେ ବର୍ତ୍ତମାନ ପିଇବା ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ପ୍ରାୟ ୫୦ ଟି ପରିବାର ବସବାସ କରିଆସୁଥିବା ଏହି ଗ୍ରାମର ଗୋଟିଏ ନଳକୂପ ଓ ଦୁଇଟି କୂଅ ରହିଛି ।

କିନ୍ତୁ ପ୍ରଶାସନିକ ଅବହେଳା ପାଇଁ ଦୀର୍ଘ ଦିନ ଧରି ନଳକୂପଟି ମରାମତି ହୋଇନପାରି ସମ୍ପୂର୍ଣ୍ଣଭାବେ ଅଚଳ ହୋଇ ପଡ଼ିରହିଥିବା ବେଳେ ଗାଁରେ ଥିବା ଦୁଇଟି କୂଅ ମଧ୍ୟରୁ ଗୋଟିଏରେ ପାଣି ଶୁଖିଯାଇଛି ଓ ଅନ୍ୟ କୂଅଟି ସମ୍ପୂର୍ଣ୍ଣଭାବେ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ପାଣି ରହିଛି । ଉକ୍ତ ଭଙ୍ଗଦଦରା କୁଅଁ ହିଁ ସାଜିଛି ଏହି ଗ୍ରାମରେ ବସବାସ କରୁଥିବା ୫୦ଟି ପରିବାର ପାଇଁ ଜୀବନ ରେଖା । ଏହି ଭଙ୍ଗାଦଦରା କୂଅଁରୁ ଗ୍ରାମବାସୀ ବିପଦସଙ୍କୁଳ ଅବସ୍ଥାରେ ପାଣିଟୋପାଏ ସଂଗ୍ରହ କରୁଥିବା ବେଳେ ପାଣି ପାଇଁ ମହିଳାଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଆଗକୁ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଆହୁରି ବୃଦ୍ଧି ପାଇବାରେ ଯଥେଷ୍ଟ ସମ୍ଭାବନା ରହିଥିବା ଯୋଗୁଁ ଏହି ଭଙ୍ଗା କୂଅରେ ମଧ୍ୟ ଜଳସ୍ତର କମିକମି ଯାଉଥିବା ଗ୍ରାମବାସୀ କହିଛନ୍ତି ।

ଅନ୍ୟପଟେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ୍ ମୁଖ୍ୟାଳୟ ଯାଏ ଗ୍ରାମରେ ଅଚଳ ହୋଇ ପଡିଥିବା ନଳକୂପ ଓ ଦୁଇଟି କୂଅର ମରାମତି ପାଇଁ ଦାବି କରିଆସୁଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଦିନକୁ ଦିନ ଗ୍ରାମରେ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇଛି । ତୁରନ୍ତ ଗ୍ରାମରେ ପାଣି ସମସ୍ୟା ଉପରେ ଧ୍ୟାନ ନଦେଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଗ୍ରାମର କୈଳାଶ କହଁର, ଦିଲ୍ଲୀପ କହଁର, କରିସ୍ମା ମଲିକ, ଆନ୍ଦେଶ୍ୱର କହଁର, ରିଶିଙ୍ଗା କହଁର, ନାମନ୍ତ କହଁର , ପ୍ରକାଶ କହଁର ଓ ଶୁଶିଳା କହଁର ଓ ଅନ୍ୟ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଅନ୍ୟପଟେ ଗ୍ରାମରେ ଲାଗିରହିଥିବା ପାଣି ସମସ୍ୟା ଓ ଭଙ୍ଗା କୂଅଁ ଉପରେ ବିଡିଓ ରଶ୍ମିରଞ୍ଜନ ମହନ୍ତଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର କୁଅଁର ମରାମତି ନେଇ ପଦକ୍ଷେପ ନିଆଯିବା ସହିତ ଅଚଳ ହୋଇ ପଡ଼ିଥିବା ନଳକୂପ ମରାମତି କରାଯିବ ବୋଲି କହିଛନ୍ତି । ତେବେ ନିକଟ ଭବିଷ୍ୟତରେ ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାନଗଲେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking