ନୂଆଦିଲ୍ଲୀ : ଭାରତ ଗସ୍ତରେ ରହିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ । ଦ୍ୱିପାକ୍ଷିକ ଆଲୋଚନା ସହିତ ଏକାଧିକ ବାଣିଜ୍ୟିକ ଚୁକ୍ତି, ବୈଷୟିକ କୌଶଳ ଆଦାନ ପ୍ରଦାନ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଜନ୍ସନ୍ ଗୁରୁବାର ଗୁଜରାଟରେ ପହଞ୍ଚିଥିବା ବେଳେ ଏହି ଗସ୍ତରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସଶକ୍ତ କରିବାକୁ ପ୍ରୟାସ କରିବେ ଜନ୍ସନ୍ । ବ୍ରିଟିଶ୍ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜନ୍ସନ୍ଙ୍କ ଏହି ଗସ୍ତ ସମୟରେ ଭାରତରେ ପ୍ରାୟ ୧ ବିଲିୟନ୍ ପାଉଣ୍ଡ ନିବେଶ ସମ୍ପର୍କରେ ଘୋଷଣା କରି ପାରନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ।
ସଫ୍ଟୱେୟାର ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବାରେ ଏହି ନିବେଶ କରାଯିବ । ଏହା ଦ୍ୱାରା ପ୍ରାୟ ୧୧ ହଜାର ନୂତନ ନିଯୁକ୍ତି ମଧ୍ୟ ମିଳିବ ବୋଲି କହିଛନ୍ତି ଉଚ୍ଚାୟୁକ୍ତ । ଭାରତ ଫୋର୍ଜ ପକ୍ଷରୁ ବ୍ରିଟିଶ୍ କମ୍ପାନୀ ଟେଭ୍ଭା ମୋଟର୍ସ ସହଭାଗିତାରେ ଚେନ୍ନାଇରେ ଏକ ଇଭି ଟ୍ରକ୍ କାରଖାନା ନିର୍ମାଣ କରାଯିବ । ଏହି କାରଖାନାରୁ ୧୦୦୦ ନୂତନ ନିଯୁକ୍ତି ସୃଷ୍ଟି ହେବ । ସେହିପରି ଦକ୍ଷିଣ ପୂର୍ବ ଭାରତରେ ଆଉ ଏକ ନୂତନ କାରଖାନା ସ୍ଥାପନ କରାଯିବ ଯେଉଁଥିରୁ ପ୍ରାୟ ୫୦୦ ନୂତନ ନିଯୁକ୍ତି ସୃଷ୍ଟି ହେବ ।
ଭାରତୀୟ ସଫ୍ଟୱେୟାର କମ୍ପାନୀ ଗୁଡିକରେ ପ୍ରାୟ ୭୯ ମିଲିୟନ୍ ପାଉଣ୍ଡ ନିବେଶ କରାଯିବ । ଏହି ନିବେଶରେ ପ୍ରାୟ ୧୬୦୦ ନୂତନ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଗୁଜରାଟରେ ଗୁରୁବାର ବିତାଇବାୂ ପରେ ଶୁକ୍ରବାର ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋରିସ୍ ଜନ୍ସନ୍ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହିତ ଆଉ କେଉଁ କ୍ଷେତ୍ରରେ କେତେ ନିବେଶ କରିବେ ତାହା ଆଲୋଚନା କରିବେ । ଫାର୍ମା କ୍ଷେତ୍ରରେ ମଧ୍ୟ ବଡ ନିବେଶର ଆଶା କରାଯାଉଛି । ବ୍ରିଟିଶ ମେଡ୍ ଟେକ୍ କମ୍ପାନୀ ରେଡ୍କାରର ମାଇକ୍ରୋପୋର ଟେକ୍ନୋଲୋଜି ପକ୍ଷରୁ ଏହାର ଔଷଧକୁ ଭାରତରେ ବିକ୍ରି ଅନୁମତି ମିଳିଛି । ଭାରତର ଫାର୍ମା ଇଣ୍ଡଷ୍ଟ୍ରି ପ୍ରାୟ ୨.୪ ବିଲିୟନ୍ ଡଲାରର ରହିଥିବା ବେଳେ ଏହାକୁ ଟାର୍ଗେଟ୍ କରିବାକୁ ପ୍ରୟାସ କରିବ ମାଇକ୍ରୋପୋର୍ ।