ଚଣ୍ଡୀଗଡ଼: ପଞ୍ଜାବରେ ଆପ୍ ସରକାର ମାଗଣା ବିଦ୍ୟୁତ୍ ବଣ୍ଟନ ଘୋଷଣାକୁ ନେଇ ଘେରିଛି ବିଜେପି । ଆପ୍ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯଦି ଗୋଟିଏ ୟୁନିଟ୍ ମାଗଣା ତୁଳନାରେ ଅଧିକ ଖର୍ଚ୍ଚ ହୁଏ ତେବେ ସାଧାରଣ ବର୍ଗକୁ ସମ୍ପୂର୍ଣ୍ଣ ବିଲ୍ ଦେବାକୁ ପଡିବ। ଯାହା ପରେ ବିରୋଧୀମାନେ ଏ ପ୍ରସଙ୍ଗକୁ ନେଇ ଆପ୍କୁ ବିରୋଧ କରିବାରେ ଲାଗିଛନ୍ତି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସୁବାସ ଶର୍ମା ସିଏମ ଭଗବନ୍ତ ମାନଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଜାତି ଆଧାରରେ ଯଦି ଏହି ଯୋଜନା ପ୍ରଦାନ କରାଯାଉଛି, ତେବେ ସାଧାରଣ ବର୍ଗରେ କ’ଣ ଗରିବ ପରିବାର ନାହାନ୍ତି କି । ଏହା ସାଧାରଣ ଲୋକଙ୍କ ପ୍ରତି ଅନ୍ୟାୟ ଏବଂ ବିଶ୍ୱାସଘାତକତା ବୋଲି ସେ କହିଛନ୍ତି।
ଭଗବନ୍ତ ମାନ୍ କହିଛନ୍ତି ଯେ ତାଙ୍କ ସରକାର ସମସ୍ତ ଘରୋଇ ଗ୍ରାହକଙ୍କୁ ପ୍ରତି ମାସରେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଦେବେ। ପଞ୍ଜଜାବରେ, ବିଲ୍ ୨ ମାସ ପରେ ଆସିଥାଏ ଅର୍ଥାତ୍ ଗୋଟିଏ ବିଲିଂ ଚକ୍ରରେ ୬୦୦ ୟୁନିଟ୍ ମାଗଣା ବିଦ୍ୟୁତ ଉପଲବ୍ଧ ହେବ । ଏଥିରେ ଏକ ଅସୁବିଧା ଅଛି ଯେ ଯଦି ଏସସି, ବିସି, ଫ୍ରିଡମ୍ ଫାଇଟର୍ ଏବଂ ବିପିଏଲ୍ ପରିବାର ୨ ମାସରେ ୬୦୦ ୟୁନିଟ୍ରୁ ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରିଛନ୍ତି, ତେବେ ସେମାନଙ୍କୁ କେବଳ ସେହି ଅତିରିକ୍ତ ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ । ସାଧାରଣ ବର୍ଗ ବିଷୟରେ ବିରୋଧୀ ଅଭିଯୋଗ କରିଛନ୍ତି ଯେ ଯଦି ୬୦୦ ରୁ ଅଧିକ ୟୁନିଟ୍ ଅର୍ଥାତ୍ ଯଦି ୧ ୟୁନିଟ୍ ଅତିରିକ୍ତ ବିଦ୍ୟୁତ୍ ଖର୍ଚ୍ଚ ହୁଏ, ତେବେ ମୋଟ୍ ୬୦୧ ୟୁନିଟ୍ର ବିଦ୍ୟୁତ୍ ଦେୟ ଦେବାକୁ ପଡ଼ିବ । ସେହିପରି ସୋସିଆଲ ମିଡିଆରେ ଆପ୍ ସରକାରଙ୍କ ମାଗଣା ବିଦ୍ୟୁତକୁ ନେଇ ଅନେକ ବିତର୍କ ଚାଲିଛି। କିଛି ଲୋକ ଏହାକୁ ସାଧାରଣ ବର୍ଗଙ୍କ ପ୍ରତି ଅନ୍ୟାୟ ବୋଲି କହୁଛନ୍ତି । ଏଥି ସହିତ, କିଛି ଲୋକ କୁହନ୍ତି ଯେ ପ୍ରଥମ ଥର ପାଇଁ ସାଧାରଣ ବର୍ଗ ୬୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପାଉଛନ୍ତି । ଏପରି ପରିସ୍ଥିତିରେ, ଏହାକୁ ବିରୋଧ କରିବା ପରିବର୍ତ୍ତେ ବିଦ୍ୟୁତ୍ ସଞ୍ଚୟ କରାଯିବା ଉଚିତ୍ । ତେବେ ପଞ୍ଜାବରେ ଅନେକ ଘର ଅଛି, ଯେଉଁଠାରେ ବିଭିନ୍ନ ନାମରେ ସଂଯୋଗ ରହିଛି । ଗୋଟିଏ ଘରର ସମସ୍ତ ସଂଯୋଗରେ ୬୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଉପଲବ୍ଧ ହେବ କି ନାହିଁ ତାହାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।