ରାଞ୍ଚି: ଝାଡ଼ଖଣ୍ଡ ରାଜ୍ୟ ଦେଓଘରର ତ୍ରିକୂଟ ପର୍ବତରେ ରୋପ୍ୱେ ଛିଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଦୀର୍ଘ ୨୦ ଘଣ୍ଟାରୁ ଅଧିକ କାଳ ୪୮ ଜଣ ପର୍ୟ୍ୟଟକ ରୋପ୍ୱେରେ ଫସି ରହିଥିବା ବେଳେ ଏବେ ବି ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଏ ପର୍ଯ୍ୟନ୍ତ ପ୍ରାୟ ୩୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୧୩ ଜଣ ଫସି ରହିଥିବା ଜଣାପଡ଼ିଛି। ଡ୍ରୋନ୍ ସାହାଯ୍ୟରେ ସେମାନଙ୍କ ପାଖକୁ ଖାଦ୍ୟ ଓ ପାନୀୟ ପଠାଯାଉଛି। ଅଟକି ରହିଥିବା ଲୋକଙ୍କ ଭିତରେ ଅନେକ ମହିଳା ଓ ପିଲା ବି ଅଛନ୍ତି। ଯେଉଁମାନେ ଅଟକି ରହିଛନ୍ତି ସେମାନେ ନିରାପଦ ଅଛନ୍ତି ଓ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି ବୋଲି ଆଇଟିବିପି (ଇଣ୍ଡୋ-ତିବ୍ବତୀୟ ସୀମା ପୁଲିସ)ର ଜନସମ୍ପର୍କ ଅଧିକାରୀ ବିବେକ କୁମାର ପାଣ୍ଡେ ସୂଚନା ଦେଇଛନ୍ତି। ବାୟୁସେନାର ଦୁଇଟି ଏମ୍ଆଇ-୧୭ ହେଲିକପ୍ଟର ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି।
ଝାଡ଼ଖଣ୍ଟ ଟୁରିଜିମ୍ର ସୂଚନା ଅନୁସାରେ ତ୍ରିକୂଟ ରୋପ୍ୱେ ହେଉଛି ଭାରତର ଉଚ୍ଚତମ ତୀଖ ରୋପ୍ୱେ ଯାହାର ସର୍ବାଧିକ ଲେନ୍ସ ଆଙ୍ଗଲ ହେଉଛି ୪୪ ଡିଗ୍ରି। ଏହି ରୋପ୍ୱେ ବାବା ବୈଦ୍ୟନାଥ ମନ୍ଦିରଠାରୁ ପ୍ରାୟ ୨୦ କିମି ଦୂରରେ ଅବସ୍ଥିତ। ଏହା ପ୍ରାୟ ୭୬୬ ମିଟର ଦୀର୍ଘ ଓ ପାହାଡ଼ର ଉଚ୍ଚତା ହେଉଛି ୩୯୨ ମିଟର।