ଭୁବନେଶ୍ୱର: ନକଲି ଡାକ୍ତର ରମେଶ ସ୍ୱାଇଁ ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ମୁହାଁମୁହିଁ କରାଯିବ । ଏନେଇ ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ ମହିଳା ଥାନା ପୁଲିସ ଯୋଜନା କରିଛି । ବୁଧବାର କମଳାଙ୍କୁ କୋର୍ଟ ଚାଲାଣ ବେଳେ ତାଙ୍କୁ ୭ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଛି । ଏଥିସହ ରମେଶଙ୍କୁ ୫ମଥର ପାଇଁ ୩ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ ହୋଇଥିବା ମହିଳା ଥାନାଧିକାରିଣୀ ସନ୍ତୋଷିନୀ ବେହେରା କହିଛନ୍ତି । ଉଭୟଙ୍କୁ ରିମାଣ୍ଡରେ ଆଣି ଠକେଇ ସାମ୍ରାଜ୍ୟର ଗୁମର ଖୋଲିବାକୁ ପୁଲିସ ଆଶା ରଖିଛି । ସେପଟେ ରମେଶଙ୍କୁ ଜାମିନ୍ରେ ବାହାର କରିବାକୁ କମଳା ପୁରା ପ୍ରସ୍ତୁତି କରିଥିଲେ । ଜଣେ ଓକିଲଙ୍କୁ ଯୋଗାଡ଼ କରିବା ସହ ସମସ୍ତ ଟଙ୍କା ନିଜେ ବହନ କରୁଥିବା ପୁଲିସ ଜାଣିବାକୁ ପାଇଛି । ଠକେଇରୁ ଉପାର୍ଜିତ ଅର୍ଥ କେଉଁଠାରେ ରଖିଛନ୍ତି, ସେହି ଟଙ୍କାରେ କେଉଁଠାରେ ସବୁ ସମ୍ପତି କିଣିଛନ୍ତି, ସେ ସର୍ମ୍ପକରେ ପଚରାଉଚରା କରାଯିବ । ରାଜ୍ୟ ବାହାରେ ରମେଶଙ୍କ ସମ୍ପତି ଥିବା କୁହାଯାଉଥିବାରୁ ସେ ଦିଗରେ ମଧ୍ୟ ଉଭୟଙ୍କୁ ପଚରାଯିବ । ଦ୍ୱିତୀୟ ପତ୍ନି କମଳା ଓ ଗିରଫ ହୋଇ ଜେଲ୍ରେ ଥିବା ରମେଶଙ୍କ ଭଉଣୀ ସମସ୍ତ ଠକେଇରେ ରମେଶଙ୍କ ସହଯୋଗ କରୁଥିଲେ । ବାହାଘରରେ ବରଯାତ୍ରୀ ହେବା ଠାରୁ ଭଉଣୀ ଦାୟିତ୍ୱ ମଧ୍ୟ ତୁଲାଉଥିଲେ । ଗିରଫଦାରୀକୁ ଭୟ କରି କମଳା ଫେରାର ହୋଇ ଝାରଖଣ୍ଡରେ ଥିଲା । ଏହି ଠକେଇ ଟଙ୍କାରେ ଛତିଶଗଡ, ଝାରଖଣ୍ଡ, ଆହ୍ଲାବାଦ ଆଦି ଅଞ୍ଚଳରେ ସ୍ଥାବର ସମ୍ପତି କିଣିଥିବା ସୂଚନା ମିଳିଛି । ସେ ସମ୍ପର୍କରେ ରମେଶକୁ ପୂର୍ବରୁ ପଚରାଯାଇଥିଲେ ମଧ୍ୟ ସେ ମିଛ କହିଥିଲା । ପଲିଗ୍ରାଫ୍ ଟେଷ୍ଟରେ ମିଛ କହିଥିବା ରିପୋର୍ଟ ବି ଆସିଛି । ତେଣୁ ଦ୍ୱିତୀୟ ପତ୍ନି କମଳା ଜେରାବେଳେ ସତ କି ମିଛ କହୁଛନ୍ତି ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ ।