କିଭ: ଶନିବାର ସୁଦ୍ଧା ରୁଷ୍-ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ପହଞ୍ଚିଥିବାବେଳେ ରୁଷ୍ ସୈନ୍ୟ ୟୁକ୍ରେନ୍ର ରାଜଧାନୀ କିଏଭ୍ ଓ ଚେର୍ନିଜିଭ୍ ଉପକଣ୍ଠରୁ ପଛଘୁଞ୍ଚା ଦେଉଥିବା ଜଣାପଡିଛି । ଦୀର୍ଘଦିନ ଧରି ରୁଷ୍ ଆକ୍ରମଣର ନାଭିକେନ୍ଦ୍ର ପାଲଟିଥିବା ମାରିୟୁପୋଲ ସହରରୁ ୟୁକ୍ରେନ୍ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାକୁ ରେଡକ୍ରସ୍ ସଂସ୍ଥା ତରଫରୁ ଜୋରସୋର ଉଦ୍ୟମ ଜାରି ରହିଛି । ଫଳରେ ଶନିବାର ସୁଦ୍ଧା ଏହି ସହରରେ ଅଟକିଥିବା ନାଗରିକମାନେ ସ୍ୱତନ୍ତ୍ର ବସ୍ ଯୋଗେ ସହର ଛାଡି ଜାପୋରିଜ୍ଝିଆ ସହରକୁ ପଳାଇଛନ୍ତିି ବୋଲି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ମିଖାଇଲୋ ପୋଡୋଲ୍ୟାକ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରୁଷ୍ ସେନା ବର୍ତ୍ତମାନ ୟୁକ୍ରେନ୍ର ପୂର୍ବ ଓ ଦକ୍ଷିଣ ପାଶ୍ୱର୍ରେ ନିଜର ପତିଆରା ବୃଦ୍ଧି କରୁଥିବା ସେ କହିଛନ୍ତି । ରୁଷ୍ ରଣନୀତିରେ ବର୍ତ୍ତମାନ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଶନିବାର ରୁଷ୍ ପକ୍ଷରୁ ୟୁକ୍ରେନ୍ର ପୋଲତାଭା ଓ କ୍ରେମେନ୍ଚୁକ୍ ସହର ଉପରେ ପ୍ରବଳ ବୋମା ଓ କ୍ଷେପଣାସ୍ତ୍ର ମାଡ କରାଯାଇଥିବାବେଳେ ଦୁଇଟି ସହରର ଏକାଧିକ ଅଟ୍ଟାଳିକା ଓ ସରକାରୀ ପ୍ରତିଷ୍ଠାନ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଅପରପକ୍ଷରେ ରୁଷ୍ ସେନା ଆକ୍ରମଣରେ ମାରିୟୁପୋଲ ସହର ଏକପ୍ରକାର ଧ୍ୱଂସସ୍ତୂପ ପାଲଟିଛି । ପ୍ରାୟ ୫୦୦୦ ଲୋକଙ୍କର ପ୍ରାଣହାନି ଘଟିଥିବାବେଳେ ଅଟକି ରହିଥିବା ଆଉ ୧.୬ ଲକ୍ଷ ଲୋକ ଖାଦ୍ୟ, ପାନୀୟ ଓ ବିଜୁଳି ଶକ୍ତି ଅଭାବରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି । ଶୁକ୍ରବାର ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଆଉ ଏକ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ତେବେ ରୁଷ୍ର ତୈଳ ଡିପୋ ଉପରେ ବୋମାମାଡ କରାଯାଇଥିବାରୁ ୟୁକ୍ରେନ୍ ସେନାର ଆଭିମୁଖ୍ୟକୁ କ୍ରେମଲିନ୍ ନାପସନ୍ଦ କରିଛି । ପୂର୍ବଥର ଭଳି ଏଥର ମଧ୍ୟ ଆଲୋଚନା ନିଷ୍ଫଳ ହେବାର ସମ୍ଭାବନା ଦେଖାଦେଇଛି । ଅପରପକ୍ଷରେ ଅଧିକ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧବିମାନ ଯୋଗାଇବାକୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍ସ୍କି ପୁଣି ଥରେ ନାଟୋ ରାଷ୍ଟ୍ର ସମୂହକୁ ଅନୁରୋଧ କରିଛନ୍ତି । ଏକ ତାଚ୍ଛଲ୍ୟପୂର୍ଣ୍ଣ ସ୍ୱରରେ ସେ କହିଛନ୍ତି ‘ତୁମେ ଯଦି ଏଫ୍-୧୮ କିମ୍ବା ଏଫ୍-୧୯ ବିମାନ ଦେଇନପାରୁଛ, ତେବେ ଆମକୁ ପୁରୁଣା ରୁଷୀୟ ବିମାନ ଦେଲେ ଭଲ ହୁଅନ୍ତା’ ।