ମୁମ୍ବାଇ: ଚଳିତ ଆଇପିଏଲ୍ରେ ଶନିବାର ଖେଳାଯାଇଥିବା ସଂସ୍କରଣର ଦଶମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୪ ରନ୍ରେ ହରାଇ ଗୁଜରାଟ ଟାଇଟାନ୍ସ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ ପାଇଥିବା ଟାଇଟାନ୍ସ ୬ ୱିକେଟ୍ ବିନିମୟରେ ୧୭୧ ରନ୍ କରିଥିଲା । ଦଳ ପକ୍ଷରୁ ଓପନର ଶୁବମାନ ଗିଲ୍ ୪୬ଟି ବଲ୍ ଖେଳି ୬ଟି ଚୌକା ଓ ୪ଟି ଛକା ମାଧ୍ୟମରେ ସର୍ବାଧିକ ୮୪ ରନ୍ କରିଥିଲେ । ଏହାଛନା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ଚୌକା ସହାୟତାରେ ୩୧ ରନ୍ କରିଥିବା ବେଳେ ଡେଭିଡ୍ ମିଲର୍ ୨ଟି ଚୌକା ଜରିଆରେ ୨୦ ରନ୍ କରି ଅପରାଜିତ ଥିଲେ । ଆହୁରି ରାହୁଲ୍ ଟେୱଟିଆ ମାତ୍ର ୮ଟି ବଲ୍ରେ ଗୋଟିଏ ଲେଖାଏଁ ଚୌକା ଓ ଛକା ସହାୟତାରେ ୧୪ ରନ୍ର ଯୋଗଦାନ ଦେଇଥିଲେ । କ୍ୟାପିଟାଲ୍ସ ପକ୍ଷରୁ ମୁସ୍ତାଫିଜୁର୍ ରହମାନ୍ ୩ଟି ଓ ଖଲିଲ୍ ଅହମ୍ମଦ ୨ଟି ୱିକେଟ୍ ନେଇଥିଲେ ।
ଦ୍ୱିତୀୟରେ ବ୍ୟାଟିଂ କରିଥିବା କ୍ୟାପିଟାଲ୍ସ ୯ ୱିକେଟ୍ ବିନିମୟରେ ୧୫୭ ରନ୍ କରିଥିଲା । ଦଳ ପକ୍ଷରୁ ଅଧିନାୟକ ଋଷଭ ପନ୍ତ୍ ୭ଟି ଚୌକା ମାଧ୍ୟମରେ ସର୍ବାଧିକ ୪୩ ରନ୍ କରିଥିଲେ । ସେହିପରି ଲଲିତ ଯାଦବ ୨ଟି ଚୌକା ଓ ଗୋଟିଏ ଛକା ସହ ୨୫ ରନ୍ କରିଥିବା ବେଳେ ରୋଭମାନ୍ ପାୱେଲ୍ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୨୦ ରନ୍ କରିଥିଲେ । ଆହୁରି ମନଦୀପ ସିଂହ ୪ଟି ଚୌକା ମାଧ୍ୟମରେ ୧୮ ରନ୍ର ଇନିଂସ ଖେଳିଥିଲେ । ଚମତ୍କାର ବୋଲିଂ କରି ଟାଇଟାନ୍ସର ଲକି ଫର୍ଗୁସନ୍ ୪ଟି ଓ ମହମ୍ମଦ ଶମି ୨ଟି ୱିକେଟ୍ ନେଇଥିଲେ ।
ସଂକ୍ଷିପ୍ତ ସ୍କୋର: ଗୁଜରାଟ ଲାୟନ୍ସ-୧୭୧/୬, ୨୦ ଓଭର୍ (ଶୁବମାନ ଗିଲ୍-୮୪, ହାର୍ଦ୍ଦିକ ପାଣ୍ଡ୍ୟା-୩୧, ମୁସ୍ତାଫିଜୁର୍ ରହମାନ୍-୨୩/୩, ଖଲିଲ୍ ଅହମ୍ମଦ-୩୪/୨), ଦିଲ୍ଲୀ କ୍ୟାପିଟାଲ୍ସ-୧୫୭/୯, ୨୦ ଓଭର୍ (ଋଷଭ ପନ୍ତ୍-୪୩, ଲଲିତ ଯାଦବ-୨୫, ଲକି ଫର୍ଗୁସନ୍-୨୮/୪, ମହମ୍ମଦ ଶମି-୩୦/୨) ।