ଭୁବନେଶ୍ୱର: ଆଲବମରେ ହିରୋଇନ କରାଇଦେବାକୁ କହି ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ସମ୍ପୃକ୍ତ ମୁଖ୍ୟଅଭିଯୁକ୍ତକୁ ଭରତପୁର ଥାନା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଜଗତସିଂହପୁର ଜିଲ୍ଲା ବନ୍ଦର ଗାଁର ସରୋଜ ବିଶ୍ୱାଳ । ଏହି ମାମଲାରେ ପୂର୍ବରୁ ବିଷ୍ଣୁ ବେହେରା ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ପୁଲିସ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି । ଅଭିଯୁକ୍ତମାନେ ଏମିତି ମିଛ ପ୍ରତିଶ୍ରୁତି ଦେଇ କେତେଜଣ ଯୁବତୀଙ୍କ ସହ ଛଳନା କରିଛନ୍ତି, ତାହାର ଖୋଲତାଡ କରିବ ପୁଲିସ ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ସରୋଜ ତାଙ୍କ ବନ୍ଧୁ ବିଷ୍ଣୁ ବେହେରାଙ୍କ ସହାୟତରେ ଖୋର୍ଦ୍ଧା ଅଞ୍ଚଳର ଜଣେ ନାବାଳିକାଙ୍କୁ ଆଲବମ୍ରେ ହିରୋଇନ କରାଇଦେବାକୁ କହି ଗତ ମାର୍ଚ୍ଚ ୩ରେ ଭୁବନେଶ୍ୱର ଡାକିଥିଲା । ଫଳରେ ନାବାଳିକା ଜଣକ ବସ୍ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ଅଭିଯୁକ୍ତ ତାଙ୍କୁ ଭରତପୁର ଅଞ୍ଚଳରେ ଥିବା ଭଡାଘରକୁ ନେଇଥିଲେ । କିଛି ସମୟ ବିଶ୍ରାମ ନେବା ପରେ ନାବାଳିକାଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ଅଭିଯୁକ୍ତ ତାଙ୍କୁ ସାଙ୍ଗରେ ନେଇ ଦିନ ବେଳା କିଛି ଭିଡିଓ ସୁଟିଂ କରିଥିଲେ । ସନ୍ଧ୍ୟା ବେଳେ ଅପହରଣ ସିନ୍ ଅଛି କହି ନାବାଳିକା ଜଣକୁ ରାତିରେ ରହିବାକୁ କହିଥିଲେ । ଏହାପରେ ତାଙ୍କ ହାତ ଗୋଡ ବାନ୍ଧି ରାତି ସାରା ଦୁଷ୍କର୍ମ କରିଥିଲେ । ଏନେଇ ନାବାଳିକା ଜଣଙ୍କ ମାର୍ଚ୍ଚ ୪ ତାରିଖରେ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଭରତପୁର ଥାନା ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।
ଏଥିସହ ଯେଉଁଘରେ ଦୁଷ୍କର୍ମ କରାଯାଇଥିଲା ସେଠାକୁ ଭରତପୁର ଥାନା ପୁଲିସ, ସାଇଣ୍ଟିଫିକ ଟିମ, ଏସିପି ସଞ୍ଜିବ ଶତପଥୀ ଯାଇ ତଦନ୍ତ କରି ସେଠାରୁ ଏକ ଚୁନେରି ଓ ବହୁ ଆପତ୍ତିଜନକ ଜିନିଷ ଜବତ କରିଥିଲେ । ଏପରିକି ନକଲି ପୁଲିସ ଡ୍ରେସ ମଧ୍ୟ ଜବତ ହୋଇଥିଲା । ହେଲେ ଘଟଣା ପରଠୁ ପୁଲିସକୁ ଚକମା ଦେଇ ଅଭିଯୁକ୍ତ ସରୋଜ ଫେରାର ହୋଇଯାଇଥିଲେ । ଫଳରେ ମାସକ ଭିତରେ ସେ ୬ଟି ରାଜ୍ୟ ବୁଲି ନିଜର ବେଶଭୂଷା ବଦଳାଇ ଖୋର୍ଦ୍ଧାର ଏକ ଭଡା ଘରେ ରହୁଥିଲେ । ଏସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ଭରତପୁର ଥାନା ପୁଲିସ ଓ ସ୍ପେଶାଲସ୍କ୍ୱାଡ୍ ଟିମ୍ ରବିବାର ରାତିରେ ଖୋର୍ଦ୍ଧାରେ ଚଢଉ କରି ସରୋଜଙ୍କୁ କାବୁ କରିଥିଲେ ।