ଭୁବନେଶ୍ୱର: ନକଲି ଚେକ୍ ଓ ଜାଲ୍ ଦସ୍ତଖତ ମାଧ୍ୟମରେ କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ମ୍ୟୁନିସିପାଲିଟି ସରକାରୀ ଆକାଉଣ୍ଟରୁ ୨କୋଟି ୪୫ଲକ୍ଷ ଟଙ୍କା ହଡ଼ପକାରୀ ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟ) ରାଜ୍ୟ ବାହାରୁ ଗିରଫକରି ବଡବିଲ୍ କୋର୍ଟରେ ହାଜର କରିଛି । ର୍ୟାକେଟ୍ର ମାଷ୍ଟରମାଇଣ୍ଡ ଓ ଅନ୍ୟ ସଦସ୍ୟମାନଙ୍କୁ ଇଓଡବ୍ଲ୍ୟୁ ଚିହ୍ନଟ କରିଛି । ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଫିସର କହିଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ଆକାଉଣ୍ଟରେ ଥିବା ୧ କୋଟି ୧୫ ଲକ୍ଷ ଟଙ୍କାକୁ କ୍ରାଇମ୍ବ୍ରାଞ୍ଚ ଅଚଳକରିଛି । ବଡବିଲ୍ ମ୍ୟୁନିସିପାଲିଟିର ଏକ୍ଜିକ୍ୟୁଟିଭ୍ ଅଫିସର ଅଭିଶେଖ୍ ପଣ୍ଡାଙ୍କ ଏତଲା ଆଧାରରେ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖାରେ ମାମଲା ରୁଜୁ ହୋଇଥିଲା ।
ତଦନ୍ତକୁ ତ୍ୱରାନ୍ୱିତ କରାଯାଉଥିବାବେଳେ ପଶ୍ଚିମବଙ୍ଗ ବାରକ୍ପୁର ନିକଟ ବାରଙ୍ଗ ଅଞ୍ଚଳରୁ ଅଭିଯୁକ୍ତ ସୁବାସ ଘାଷିମ୍ ଗିରିଙ୍କୁ ଇଓଡବ୍ଲ୍ୟୁ ଟିମ୍ ଗିରଫ କରିବାପରେ ଚବିଶ୍ପ୍ରଗଣା ଏସ୍ଜିଏମ୍ କୋର୍ଟରେ ହାଜର କରାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶରେ ସୁବାସକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିବାପରେ ପଚରାଉଚରା କରାଯାଇଥିଲା । ତା’ବୟାନ ଆଧାରରେ ଛତିଶଗଡ଼ରୁ ସୟଦ୍ ଶାହାବାଜ୍ ନାକ୍ବି ନାମକ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଫେରାର ଥିବା ମଷ୍ଟରମାଇଣ୍ଡ୍ର ବ୍ଲୁପ୍ରିଣ୍ଟ ଅନୁଯାୟୀ, ବଡବିଲ୍ ମ୍ୟୁନିସିପାଲିଟି ଏକ୍ଜିକ୍ୟୁଟିଭ୍ ଅଫିସର ଅଭିଶେଖ୍ ପଣ୍ଡାଙ୍କ ଦସ୍ତଖତକୁ ନକଲି ଚେକ୍ରେ ଜାଲ୍କରି ବ୍ୟାଙ୍କ ଅଫ୍ ବରୋଦାରେ ଥିବା ମ୍ୟୁନିସିପାଲିଟି ଆକାଉଣ୍ଟରୁ ୨କୋଟି ୪୫ଲକ୍ଷ ୬୦ହଜାର ୮୦୦ଟଙ୍କା ଅଭିଯୁକ୍ତମାନେ ହଡ଼ପ କରି ନେଇଥିଲେ । ଅଡିଟ୍ ସମୟରେ ଟଙ୍କା ହଡ଼ପ ନେଇ ଜଣାପଡ଼ିବାରୁ ଏକ୍ଜିକ୍ୟୁଟିଭ୍ ଅଫିସର ଏତଲା କରିଥିଲେ । ଏତଲା ଉପରେ ତଦନ୍ତ ପାଇଁ ଇଓଡବ୍ଲ୍ୟୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ଟିମ୍ ତଦନ୍ତ କରି ସୁବାସ ଓ ସୟଦକୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫପାଇଁ ତଦନ୍ତ ଜାରିରହିଛି । ବଡବିଲ୍ ଜେଏମ୍ଏଫସି କୋର୍ଟରେ ଦୁଇ ଅଭିଯୁକ୍ତଙ୍କ ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ କେନ୍ଦୁଝର ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।