34.1 C
Bhubaneswar
Friday, March 29, 2024
Homeମହିଳା କ୍ରିକେଟ୍ ବିଶ୍ୱକପ୍ମହିଳା ବିଶ୍ୱକପ୍‌ : ସେମିଫାଇନାଲ୍ ଲାଇନ୍‌ଅପ୍ ଚୂଡ଼ାନ୍ତ, ଶେଷ ଦୁଇ ଦଳ ଭାବେ ଇଂଲଣ୍ଡ ଓ...

ମହିଳା ବିଶ୍ୱକପ୍‌ : ସେମିଫାଇନାଲ୍ ଲାଇନ୍‌ଅପ୍ ଚୂଡ଼ାନ୍ତ, ଶେଷ ଦୁଇ ଦଳ ଭାବେ ଇଂଲଣ୍ଡ ଓ ୱେଷ୍ଟ୍‌ଇଣ୍ଡିଜ୍‌କୁ ଯୋଗ୍ୟତା

ଶେଷ ବଲ୍‌ରେ ହାରି ଭାରତ ବିଦା
କ୍ରାଏଷ୍ଟ୍‌ଚର୍ଚ୍ଚ: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ସେମିଫାଇନାଲ୍ ଲାଇନ୍‌ଅପ୍ ଚୂଡ଼ାନ୍ତ ହୋଇଛି । ପୂର୍ବରୁ ଅଷ୍ଟ୍ରେଲିଆ ଓ ସାଉଥ୍ ଆଫ୍ରିକା ଏହି ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରବିବାର ଶେଷ ଦୁଇ ଲିଗ୍ ମ୍ୟାଚ୍ ସମାପ୍ତ ହେବା ପରେ ଇଂଲଣ୍ଡ ଓ ୱେଷ୍ଟ୍‌ଇଣ୍ଡିଜ୍ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ଦଳ ଭାବେ ସେମିକୁ ଉନ୍ନୀତ ହୋଇଛନ୍ତି । ଇଂଲଣ୍ଡ ବାଂଲାଦେଶକୁ ବେଶ୍ ସହଜରେ ପରାସ୍ତ କରି ୮ ପଏଣ୍ଟ୍ ପାଇଥିବା ବେଳେ ସାଉଥ୍ ଆଫ୍ରିକା ଭାରତକୁ ପରାସ୍ତ କରିବା ଫଳରେ ୭ ପଏଣ୍ଟ୍ ପାଇଥିବା ୱେଷ୍ଟ୍‌ଇଣ୍ଡିଜ୍ ଯୋଗ୍ୟତା ଲାଭ କରିଛି । ଅନ୍ୟପକ୍ଷରେ ଗତ ୨୦୧୭ ସଂସ୍କରଣର ରନର୍ସଅପ୍ ଭାରତକୁ ପ୍ରତିଯୋଗିତାରୁ ବିଦାୟ ନେବାକୁ ପଡ଼ିଛି । ଦଳ ସାଉଥ୍ ଆଫ୍ରିକା ବିପକ୍ଷ ନିଜର ସପ୍ତମ ଲିଗ୍ ମ୍ୟାଚ୍‌ରେ ଶେଷ ବଲ୍‌ରେ ପରାସ୍ତ ହୋଇ ୬ ପଏଣ୍ଟ୍ ପାଇ ପଏଣ୍ଟ୍ ଟେବଲ୍‌ରେ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍‌ରେ ୨୭୪ ରନ କରିଥିଲା । ଏହାର ଜବାବରେ ସାଉଥ୍ ଆଫ୍ରିକା ଶେଷ ବଲ୍‌ରେ ଚୌକା ଲଗାଇ ୩ ୱିକେଟ୍‌ରେ ମ୍ୟାଚ୍‌କୁ ଜିତିନେଇଛି । ଅପରାଜିତ ୫୨ ରନ୍ କରିଥିବା ସାଉଥ୍ ଆଫ୍ରିକୀୟ ବ୍ୟାଟ୍ସଓମ୍ୟାନ୍ ମିଗ୍ନୋନ୍ ଡ୍ୟୁପ୍ରିଜ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ଭାରତ ପକ୍ଷରୁ ଦୁଇ ଓପନର ଶେଫାଳୀ ବର୍ମା ଓ ସ୍ମୃତି ମନ୍ଧାନା ସାଉଥ୍ ଆଫ୍ରିକୀୟ ବୋଲରଙ୍କ ଧୂଲେଇ କରି ୧୫ ଓଭର୍‌ରେ ୯୧ ରନ୍ ଯୋଡ଼ିଥିଲେ । ଇତିମଧ୍ୟରେ ଶେଫାଳୀ ତାଙ୍କର ପ୍ରଥମ ବିଶ୍ୱକପ୍ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ତେବେ ୮ ଚୌକା ସହ ୫୩ ରନ୍ କରିଥିବା ସମୟରେ ଭୁଲ୍ ବୁଝାମଣା କାରଣରୁ ଶେଫାଳୀ ରନ୍‌ଆଉଟ୍ ହୋଇଥିଲେ । ପରେ ୟାସ୍ତିକା ଭାଟିଆ ମାତ୍ର ୨ ରନ୍ କରି ବିଦାୟ ନେଇଥିଲେ । ଏହି ସମୟରେ ମନ୍ଧାନା ଓ ଓ ଅଧିନାୟିକା ମିତାଲି ରାଜ୍‌ଙ୍କ ମଧ୍ୟରେ ୮୦ ରନ୍‌ର ଭାଗୀଦାରୀ ହୋଇଥିଲା । ବ୍ୟକ୍ତିଗତ ଭାବେ ୬ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୭୧ ରନ୍ କରି ମନ୍ଧାନା ଆଉଟ୍ ହେବା ପରେ ମିତାଲି ଓ ହରମନପ୍ରୀତ୍ କୌରଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍‌ରେ ୬୦ ରନ୍‌ର ଭାଗୀଦାରୀ ହୋଇଥିଲା । ମିତାଲି ୮ଟି ଚୌକା ସହ ୬୮ ରନ୍‌ର ଯୋଗଦାନ ଦେଇଥିଲେ । ଶେଷ ଭାଗରେ କୌର୍ ୪ଟି ଚୌକା ସହ ୪୮ ରନ୍ କରିଥିଲେ ହେଁ ଭାରତ ଶେଷ ୧୦ ଓଭର୍‌ରେ ଆବଶ୍ୟକ ହାରରେ ରନ୍ ସଂଗ୍ରହ କରି ନ ପାରିବା ଫଳରେ ଦଳୀୟ ସ୍କୋର୍ ୨୭୪/୭ରେ ସୀମିତ ରହିଥିଲା ।

ସାଉଥ୍ ଆଫ୍ରିକା ପକ୍ଷରୁ ଶବନିମ୍ ଇସମାଇଲ୍ ଓ ମାସାବାଟା କ୍ଲାସ୍ ୨ଟି ଲେଖାଏଁ ଏବଂ ଆୟାବୋଙ୍ଗା ଖାକା ଓ କ୍ଲୋଏ ଟ୍ରାୟନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ କୌର୍‌ଙ୍କ ସିଧାସଳଖ ଥ୍ରୋ’ରେ ସାଉଥ୍ ଆଫ୍ରିକା ଓପନର ଲିଜେଲ୍ ଲି’ (୬) ସଅଳ ଆଉଟ୍ ହୋଇଥିଲେ ହେଁ ଅନ୍ୟତମ ଓପନର ଲୌରା ଉଲଭାର୍ଟ ଓ ଲାରା ଗୁଡାଲଙ୍କ ମଧ୍ୟରେ ୧୨୫ ରନ୍‌ର ଭାଗୀଦାରୀ ହୋଇଥିଲା । ଫଳରେ ସାଉଥ୍ ଆଫ୍ରିକା ବିଜୟ ଦିଗରେ ଅଗ୍ରସର ହୋଇଥିଲା । ତେବେ ଉଲଭାର୍ଟ ୧୧ଟି ଚୌକା ସହ ୮୦ ରନ୍ କରିଥିବା ସମୟରେ କୌରଙ୍କ ବଲରେ ବୋଲ୍ଡ ହେବା ଫଳରେ ଏହି ଭାଗୀଦାରୀ ଭାଙ୍ଗିଥିଲା । ପରେ ଗୁଡାଲଙ୍କୁ ଲେଗ୍‌ସ୍ପିନର୍ ରାଜେଶ୍ୱରୀ ଗାଏକ୍ୱାଡ୍ ଆଉଟ୍ କରିଥିବା ବେଳେ ଅଧିନାୟିକା ସୁନ୍ ଲୁସ୍‌ଙ୍କୁ କୌର୍ ଏଲବିଡବ୍‌ଲ୍ୟୁ ଆଉଟ୍ କରିଥିଲେ । ୪ଟି ଚୌକା ସହ ଗୁଡାଲ୍ ୪୯ ଓ ଗୋଟିଏ ଚୌକା ସହ ଲୁସ୍ ୨୨ ରନ୍ କରିଥିଲେ । କିନ୍ତୁ ଭାରତ ମ୍ୟାଚ୍‌କୁ ଫେରିବା ସକାଶେ ଉଦ୍ୟମ କରୁଥିବା ବେଳେ ଡ୍ୟୁପ୍ରିଜ୍ ଓ ମାରିଜେନ୍ କାପ୍‌ଙ୍କ ମଧ୍ୟରେ ୪୭ ରନ୍‌ର ଭାଗୀଦାରୀ ହୋଇଥିଲା । କାପ୍ ୩ଟି ଚୌକା ସହ ୩୨ ରନ୍ କରି ଆଉଟ୍ ହୋଇଥିଲେ ହେଁ ଡ୍ୟୁପ୍ରିଜ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ସେ ଯଦିଓ ଇନିଂସର ଶେଷ ଓଭର୍‌ର ପଞ୍ଚମ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ, କିନ୍ତୁ ତାହା ନୋ ବଲ୍ ଥିବାରୁ ଭାରତକୁ ମିଳିଥିବା ସାମୟିକ ଖୁସିରେ ପାଣି ଫୋଟକାରେ ପରିଣତ ହୋଇଥିଲା । କାରଣ ଡ୍ୟୁପ୍ରିଜ୍ ଆଉଟ୍ ହେବା ବେଳକୁ ୧ ବଲ୍‌ରେ ୩ ରନ୍ ଆବଶ୍ୟକ ହେଉଥିଲା । କିନ୍ତୁ ଦୀପ୍ତି ଶର୍ମାଙ୍କ ବଲ୍‌ରେ ଡ୍ୟୁପ୍ରିଜ୍ ଜୀବନଦାନ ପାଇବା ଫଳରେ ଶେଷ ବଲ୍‌ରେ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking