ନବରଙ୍ଗପୁର : ସାଂଘାତିକ ତ୍ରୁଟି । ଇଭିଏମ୍ରେ ଦେଖାଦେଲା ତ୍ରୁଟି । ଇଭିଏମ୍ରେ ନଥିଲା ପ୍ରାର୍ଥୀଙ୍କ ନାଁ । ଫଳରେ ଉତ୍ତେଜନା ପରିସ୍ଥିତି ଉପୁଜିଲା ଓ ପରେ ସ୍ଥଗିତ ହେଲା ଭୋଟ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ୱାର୍ଡର ୧୪ ନମ୍ବର ବୁଥ୍ରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଇଭିଏମ୍ରେ ଜଘନ୍ୟ ତ୍ରୁଟି ଯୋଗୁଁ ବନ୍ଦ ହେଲା ଭୋଟିଂ । ତେବେ ତ୍ରୁଟି ଧରାପଡ଼ିବା ବେଳକୁ ଇଭିଏମ୍ରେ ପଡ଼ିସାରିଲାଣି ପାଖାପାଖି ୪୦୦ ଭୋଟ । ସୂଚନା ଅନୁଯାୟୀ ଏଠାରେ ଇଭିଏମ୍ରେ ଏକ ବିରାଟ ତ୍ରୁଟି ଦେଖାଯାଇଛି । ଅନ୍ୟ ଏକ ଅଞ୍ଚଳର ପ୍ରାର୍ଥୀଙ୍କ ନାଁ ଇଭିଏମ୍ରେ ରହିଥିବା ବେଳେ ଉକ୍ତ ଅଞ୍ଚଳର ପ୍ରାର୍ଥୀଙ୍କ ନାଁ ଇଭିଏମ୍ରେ ନାହିଁ । ନାଁ ଓ ଚିହ୍ନରେ ତ୍ରୁଟି ରହିଥିଲା ।
ଅଧ୍ୟକ୍ଷ ପଦ ପାଇଁ ଇଭିଏମ୍ରେ ଥିବା ପ୍ରାର୍ଥୀଙ୍କ ନାଁ ଓ ଚିହ୍ନରେ ତ୍ରୁଟି ଦେଖାଦେଇଥିଲା । ଉମରକୋଟ୍ ମ୍ୟୁନିସିପାଲିଟି ଅଧ୍ୟକ୍ଷ ପଦ ପାଇଁ ଲଢ଼େଇ କରୁଥିବା ପ୍ରାର୍ଥୀଙ୍କ ନାଁ ବଦଳରେ ସେହି ବୁଥ୍ରେ ନବରଙ୍ଗପୁର ମ୍ୟୁନିସିପାଲିଟିର ପ୍ରାର୍ଥୀଙ୍କ ନାଁ ଥିବା ଦେଖିବାକୁ ରହିଥିଲା । ଏଭଳି ସାଂଘାତିକ ତ୍ରୁଟି ଜଣାପଡ଼ିବା ବେଳକୁ ଇଭିଏମ୍ରେ ୩୯୨ଟି ଭୋଟ୍ ପଡ଼ି ସାରିଥିଲା । ତେବେ ଜଣେ ଭୋଟର ଭୁଲ୍ ସଂପର୍କରେ ପ୍ରିଜାଇଡିଂ ଅଫିସରଙ୍କୁ ଜଣାଇବା ପରେ ମତଦାନ ସ୍ଥଗିତ ରହିଥିଲା । ଯାହାକୁ ନେଇ ବୁଥ୍ରେ ଉତ୍ତେଜନା ଦେଖାଦେଇଥିଲା । ପରେ ସ୍ଥାନୀୟ ପୋଲିସ, ପୌର ଅଧିକାରୀ ଓ ନିର୍ବାଚନ ଅଧିକାରୀ ପହଞ୍ଚି ମତଦାନ ସଂପୂର୍ଣ୍ଣ ବନ୍ଦ କରିଥିଲେ । ଆସନ୍ତାକାଲି ପୁଣିଥରେ ଏହି ବୁଥ୍ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି ।