22.1 C
Bhubaneswar
Saturday, January 11, 2025
Homeଓଡିଶା୨୪ରେ ପୌର ମତଦାନ: ୧୮୩୭ ୱାର୍ଡ଼ର ୪,୩୭୩ ବୁଥ୍‌ରେ ଭୋଟିଂ

୨୪ରେ ପୌର ମତଦାନ: ୧୮୩୭ ୱାର୍ଡ଼ର ୪,୩୭୩ ବୁଥ୍‌ରେ ଭୋଟିଂ

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ରାଜ୍ୟର ୧୦୬ ଏନଏସି/ମ୍ୟୁନିସିପାଲିଟି ଏବଂ ୩ ମହାନଗର ନିମଗରେ ପୌର ନିର୍ବାଚନ ପାଇଁ ମତଦାନ କରାଯିବ । ଏଣୁ ସୁରୁଖୁରୁରେ ଓ ଶାନ୍ତିପୂର୍ଣ୍ଣ ଭାବେ ଭୋଟଗ୍ରହଣ କାର୍ଯ୍ୟ ସାରିବାକୁ ରାଜ୍ୟ ନିର୍ବାଚନ କମିଶନ ସମସ୍ତ ପ୍ରସ୍ତୁତି କରିଛନ୍ତି । ମୋଟ ୧୮୩୭ ୱାର୍ଡ ଅନ୍ତର୍ଗତ ୪,୩୭୩ଟି ବୁଥରେ ହେବାକୁ ଥିବା ମତଦାନ ପାଇଁ ୨୨ ହଜାର ପୁଲିଂ କର୍ମଚାରୀ ଓ ୧୯୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।
ଶ୍ରୀ ପାଢ଼ୀ କହିଛନ୍ତି ଯେ ରାଜ୍ୟର ତିନି ମହାନଗର ନିଗମ (ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର), ୪୭ଟି ମ୍ୟୁନିସିପାଲିଟି ଓ ୫୯ଟି ଏନ୍‌ଏସିରେ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏଥର ୫୬୯ ଜଣ ପ୍ରାର୍ଥୀ ମେୟର/ପୋରାଧ୍ୟକ୍ଷ ଏବଂ ୫,୮୪୨ ଜଣ ପ୍ରାର୍ଥୀ କର୍ପୋରେଟର/କାଉନସିଲର ପଦପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୧୦୬ ଏନଏସି/ମ୍ୟୁନିସିପାଲିଟିର ୧୬୭୨ ୱାର୍ଡ଼ ଅନ୍ତର୍ଗତ ୨,୯୮୯ଟି ବୁଥ୍ ଓ ୩ ମହାନଗର ନିଗମର ୧୬୫ ୱାର୍ଡ଼ ଅନ୍ତର୍ଗତ ୧୩୮୪ ବୁଥରେ ଭୋଟଗ୍ରହଣ ହେବ । ଏସବୁରେ ମୋଟ ୪୦ ଲକ୍ଷ ୫୫ ହଜାର ୫୩ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ମୋଟ ୨୨ ହଜାର ପୁଲିଂ କର୍ମଚାରୀ ରାଜ୍ୟବ୍ୟାପୀ ନିୟୋଜିତ ହେବେ । ପ୍ରତି ପୁଲିଂପାର୍ଟିରେ ଜଣେ ଲେଖାଏ ପ୍ରିଜାଇଡିଂ ଅଫିସର ଏବଂ ୪ ପୁଲିଂ ଅଧିକାରୀ ରହିବେ । ଆସନ୍ତାକାଲି ସନ୍ଧ୍ୟା ୫ଟାରେ ନିର୍ବାଚନୀ ପ୍ରଚାର ଶେଷ ହେଉଥିବା ବେଳେ ୨୩ ତାରିଖ ଅପରାହ୍ନ ସୁଦ୍ଧା ସମସ୍ତ ପୁଲିଂ ପାର୍ଟି ମତଦାନ କେନ୍ଦ୍ରରେ ପହଞ୍ଚିବେ । ୨୪ ତାରିଖ ଦିନ ସକାଳ ୮ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଭୋଟଗ୍ରହଣ ହେବ ଏବଂ ୨୬ ତାରିଖରେ ଗଣତି ହୋଇ ଫଳାଫଳ ବାହାରିବ । ଏଥର ଲୋକେ ସିଧାସଳଖ ମେୟର/ପୋରାଧ୍ୟକ୍ଷ ବାଛିବାକୁ ଥିବାରୁ ପ୍ରତି ବୁଥରେ ଦୁଇଟି ଲେଖାଏ ଇଭିଏମ୍ ରହିବ ।
ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ମଧ୍ୟରେ ଅନୁଷ୍ଠିତ କରାଇବା ଲାଗି ରାଜ୍ୟବ୍ୟାପୀ ୧୯୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ । ଏଥିମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମରେ ୩୦ ପ୍ଲାଟୁନ୍‌, କଟକ ମହାନଗର ନିଗମରେ ୨୦ ପ୍ଲାଟୁନ୍ ଓ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଏତଦ୍‌ବ୍ୟତୀତ ୩୦୦ ମୋବାଇଲ୍ ପାର୍ଟି ରହିବେ, ତା ମଧ୍ୟରୁ ୧୦୯ ମୋବାଇଲ ପାର୍ଟି କେବଳ ୩ ମହାନଗର ନିଗମ ପାଇଁ ରହିବେ । ପ୍ରତି ବୁଥରେ ଜଣେ ହାବିଲଦାର ବା କନଷ୍ଟେବଲ କିମ୍ବା ସଶସ୍ତ୍ର ପୁଲିସ ରହିବେ । ସମ୍ବେଦନଶୀଳ ବୁଥରେ ଜଣେ ହାବିଲଦାର/କନଷ୍ଟେବଲଙ୍କ ସହ ଜଣେ ସଶସ୍ତ୍ର ପୁଲିସ ମୁତୟନ ରହିବେ । ପ୍ରତି ସହରାଞ୍ଚଳର ପୁଲିସ ଷ୍ଟେସନରେ ଗୋଟିଏ କିମ୍ବା ଦୁଇଟି ଷ୍ଟ୍ରାଇକିଂ ଫୋର୍ସ ରହିବେ । ଏହାବାଦ୍ ପ୍ରତି ଜିଲ୍ଲା ସଦର ମହକୁମାରେ ଜରୁରୀ ସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ସଜାଗ ହୋଇ ରହିବେ । ପ୍ରତି ଜିଲ୍ଲାର ୫ଟି ଜାଗାରେ ବର୍ଡ଼ର ସିଲିଂ ପଏଣ୍ଟ ରହିବାକୁ ଥିବାବେଳେ ସେଠାରେ ଦାୟିତ୍ୱରେ ଜଣେ ଇନ୍ସପେକ୍ଟରଙ୍କ ସହ ୩ ଜଣ ଅଧିକାରୀ ଏବଂ ଏକ ଚତୁର୍ଥାଂଶ ଫୋର୍ସ ଦିନତମାମ ମୁତୟନ ରହିବେ ।
ଗୋଟିଏ ପଟେ ପୌର ମତଦାନ ପାଇଁ ଏତେ ପ୍ରସ୍ତୁତି କରାଯାଉଥିବା ବେଳେ ୬୧ ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ମହାନଗର ନିଗମର ୩ଟି ୱାର୍ଡ଼ ଏବଂ ଅନ୍ୟ ଏନଏସି/ମ୍ୟୁନିସିପାଲିଟିର ୫୮ଟି ୱାର୍ଡ଼ରେ କର୍ପୋରେଟର/କାଉନସିଲର ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ଜିତିଛନ୍ତି । ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଓ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସିର ଗୋଟିଏ ଲେଖାଏ ୱାର୍ଡ଼ରେ କେହି ପ୍ରାର୍ଥୀ ହୋଇନାହାନ୍ତି । ଏସବୁ ସଂରକ୍ଷିତ ଆସନ ହୋଇଥିବାରୁ ରାଜ୍ୟ ସରକାର କାଉନସିଲର ପଦ ପାଇଁ ବ୍ୟକ୍ତିବିଶେଷଙ୍କୁ ମନୋନୀତ କରିବେ ବୋଲି ନିର୍ବାଚନ କମିଶନ ଜଣାଇଛନ୍ତିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking