ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଇଂଜିନିୟରିଂ, ମ୍ୟାନେଜମେଣ୍ଟ, ବି-ଫାର୍ମ, ଏମ-ଫାର୍ମ, ଏମ୍ସିଏ, ଏମ୍ବିଏ, ବି.କ୍ୟାଟ, ଏମ୍ଟେକ୍, ଏମ୍.ଆର୍କିଟେକ୍, ଏମ୍ପ୍ଲାନ, ଏମ୍ଫାର୍ମା ପାଠ୍ୟକ୍ରମରେ ନାମ ଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୨ (ଓଜେଇଇ) ଜୁନ ୧ମ କିମ୍ବା ୨ୟ ସପ୍ତାହ ରେ ଅନୁଷ୍ଠିତ ହେବ । ଏ ନେଇ ଓଜେଇଇ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଏହି ଓଜେଇଇ ଲାଗି ଅନଲାଇନ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୧୩ ପର୍ଯ୍ୟନ୍ତ ଚାଲିବ । ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ୍ ମାଧ୍ୟମରେ ଅନ୍ଲାଇନ୍ରେ ଆବେଦନ କରିପାରିବେ । ଓଜେଇଇ ମାଧ୍ୟମରେ ହେଉଥିବା ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ଭିତ୍ତିକ (ସିବିଟି) ହେବ । ସରକାରୀ ନିୟମ ଅନୁସାରେ ରାଜ୍ୟ ବାହାରର ଛାତ୍ରଛାତ୍ରୀମାନେ ଓଡ଼ିଶାର ସରକାରୀ କଲେଜଗୁଡ଼ିକରେ ନାମ ଲେଖାଇପାରିବେ ନାହିଁ । କିନ୍ତୁ ସେମାନେ ଘରୋଇ କଲେଜଗୁଡ଼ିକରେ ନାମ ଲେଖାଇପାରିବେ ।
ସେହିପରି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଦ୍ୱାରା ପରିଚାଳିତ ୨୦୨୨ ସେସନ୍-୧ ଜେଇଇ-ମେନ୍ ଲାଗି ପୂର୍ବ ଧାର୍ଯ୍ୟ ତାରିଖରେ ପରିବର୍ତ୍ତନ କରାଯାଇଛି । ସୋମବାର ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସେସନ୍-୧ ପରୀକ୍ଷା ଲାଗି ଏପ୍ରିଲ ୧୬ରୁ ୨୧ତାରିଖ ପର୍ଯ୍ୟନ୍ତ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିଲା । ମାତ୍ର ଏହି ସମୟକୁ ପରିବର୍ତ୍ତନ କରାଯାଇ ଏପ୍ରିଲ ୨୧,୨୪, ୨୫, ୨୯ ଏବଂ ମେ’ ୧ ଓ ୪ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ । ଆବେଦନ କରିଥିବା ପରୀକ୍ଷାର୍ଥୀମାନେ ଏପ୍ରିଲ ୨ୟ ସପ୍ତାହରୁ ସେମାନଙ୍କର ଆଡମିଟ୍କାର୍ଡ ଡାଉନଲୋଡ କରିବାକୁ ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି ।