ମାଉଣ୍ଟ ମାଉଙ୍ଗାନୁଇ: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ରେ ଶୁକ୍ରବାର ସାଉଥ୍ ଆଫ୍ରିକା ତା\’ର ଦ୍ୱିତୀୟ ବିଜୟ ହାସଲ କରିଛି । ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍କୁ ଦଳର ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି ପେସର୍ ଶବନିମ୍ ଇସମାଇଲ୍ । ଏହି ଡାହାଣହାତୀ ପେସର୍ ଜଣକ ଶେଷ ଓଭର୍ରେ ପାକିସ୍ତାନ ବିଜୟ ପାଇଁ ୧୦ ରନ୍ ଆବଶ୍ୟକ କରୁଥିଲେ ମଧ୍ୟ ମାତ୍ର ୩ ରନ୍ ବ୍ୟୟ କରିବା ସହ ୨ଟି ୱିକେଟ୍ ନେଇ ଦଳର ବିଜୟରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ଅନ୍ୟପକ୍ଷରେ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆଠାରୁ ହାରିଥିବା ପାକିସ୍ତାନ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି । ୧୦ ଓଭର୍ରେ ୪୩ ରନ୍ ବ୍ୟୟ କରି ୩ଟି ୱିକେଟ୍ ନେଇଥିବା ଶବନିମ୍ଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି ।
ଟସ୍ରେ ହାରିବା ପରେ ସାଉଥ୍ ଆଫ୍ରିକା ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇ ୯ ୱିକେଟ୍ ବିନିମୟରେ ୨୨୩ ରନ୍ କରିଥିଲା । ଦଳ ପକ୍ଷରୁ ଓପନର ଲୌରା ଉଲଭାର୍ଟ ସର୍ବାଧିକ ୭୫ ରନ୍ କରିଥିଲେ । ତାଙ୍କର ଏହି ଇନିଂସ ମଧ୍ୟରେ ୧୦ଟି ଚୌକା ରହିଥିଲା । ଏହାଛଡ଼ା ସେ ତୃତୀୟ ୱିକେଟ୍ରେ ଅଧିନାୟିକା ସୁନ୍ ଲୁସ୍ଙ୍କ ସହ ୮୯ ରନ୍ର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ । ଲୁସ୍ ୨ଟି ଚୌକା ଓ ଗୋଟିଏ ଛକା ସହ ୬୨ ରନ୍ର ଯୋଗଦାନ ଦେଇଥିବା ବେଳେ ଶେଷ ଭାଗରେ କ୍ଳୋଏ ଟ୍ରାୟନ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୩୧ ଏବଂ ତ୍ରିଶା ଚେଟ୍ଟି ୩ଟି ଚୌକା ମାଧ୍ୟମରେ ୩୧ ରନ୍ କରିଥିଲେ । ପାକିସ୍ତାନ ପକ୍ଷରୁ ଫାତିମା ସାନା ଓ ଗୁଲାମ ଫାତିମା ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଜବାବରେ ପାକିସ୍ତାନ ଓପନର ସିଦ୍ରା ଆମୀନ୍ (୧୨) ଓ ଅଧିନାୟିକା ବିସ୍ମାହ ମାରୁଫ୍ (୦)ଙ୍କୁ ସଅଳ ହରାଇଥିଲା । ତେବେ ତୃତୀୟ ୱିକେଟ୍ରେ ଅନ୍ୟତମ ଓପନର ନାହିଦା ଖାନ୍ ଓ ଓମୈମା ସୋହେଲ୍ ୬୯ ରନ୍ ଯୋଡ଼ି ସ୍ଥିତିକୁ ସୁଧାରିଥିଲେ । ୫ଟି ଚୌକା ସହ ୫୦ ରନ୍ରେ ନାହିଦା ଆଉଟ୍ ହେବା ପରେ ଇମୈମା ଚତୁର୍ଥ ୱିକେଟ୍ରେ ନିଦା ଦରଙ୍କ ସହ ମହତ୍ତ୍ୱପୂର୍ଣ୍ଣ ୪୯ ରନ୍ର ପାର୍ଟନରଶିପ୍ କରିଥିଲେ । କିନ୍ତୁ ଏହାପରେ ଆଉ କୌଣସି ବ୍ୟାଟ୍ସଓମ୍ୟାନ୍ ଉଲ୍ଲେଖନୀୟ ଅବଦାନ ଦେଇ ନ ପାରିବା ଫଳରେ ପାକିସ୍ତାନ ୪୯.୫ ଓଭର୍ରେ ୨୧୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଶେଷ ଓଭର୍ ପର୍ଯ୍ୟନ୍ତ ପାକିସ୍ତାନର ବିଜୟ ଆଶା ବଳବତ୍ତର ରହିଥିଲେ ମଧ୍ୟ ଉକ୍ତ ଓଭର୍ର ଦ୍ୱିତୀୟ ଓ ପଞ୍ଚମ ବଲ୍ରେ ଶବନିମ୍ ଯଥାକ୍ରମେ ଡାଏନା ବେଗ୍ (୧୩ ରନ୍, ୨ ଚୌକା) ଓ ଫାତିମାଙ୍କୁ ଆଉଟ୍ କରି ସାଉଥ୍ ଆଫ୍ରିକାକୁ ବିଜୟୀ କରାଇଥିଲେ । ଓମୈମା ୭ଟି ଚୌକା ମାଧ୍ୟମରେ ୬୫ ରନ୍ କରିଥିବା ବେଳେ ନିଦା ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୫ ରନ୍ର ଯୋଗଦାନ ଦେଇଥିଲେ । ଏହି ବିଜୟ ଫଳରେ ସାଉଥ୍ ଆଫ୍ରିକା ପଏଣ୍ଟ୍ ଟେବଲ୍ରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ପାକିସ୍ତାନ ସବା ତଳେ ରହିଛି ।