ନୂଆଦିଲ୍ଲୀ: ପୁଣି ଆକ୍ରମଣ କଲା ରୁଷ । ପୂର୍ବରୁ ୟୁକ୍ରେନର ସେଭେରୋଡୋନେଷ୍କରେ ରୁଷ ସେନା ଆକ୍ରମଣ କରିଥିବା ବେଳେ ଏବେ ପୁଣି ଥରେ ସୁମି ଉପରେ ଆକ୍ରମଣ କରିଛି ରୁଷ । ସୁମି ଉପରେ ରୁଷ ଏୟାରଷ୍ଟ୍ରାଇକ କରିବାରୁ ପ୍ରାୟ ୨୨ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରୁଷ ସୁମିର ଆବାସିକ ଅଞ୍ଚଳ ଉପରେ ଆକ୍ରମଣ କରିଥିବା ବେଳେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣ ପରେ ୨ପିଲାଙ୍କ ସମେତ ୫ ଜଣଙ୍କ ଜୀବନ ବଞ୍ଚାଯାଇଥିବା କୁହାଯାଉଛି । ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୪ଦିନ ହୋଇସାରିଥିଲେ ବି ଯୁଦ୍ଧ ଥମି ନାହିଁ । ଗୋଟେ ପରେ ଗୋଟେ ସହର ଉପରେ ଆକ୍ରମଣ କରିଚାଲିଛି ରୁଷ । ଏବେ ରୁଷ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଥିବା ସହ ସେମାନଙ୍କ ଘରକୁ ମଧ୍ୟ ଟାର୍ଗେଟ କରୁଛି । ଆଜି ୟୁକ୍ରେନର ପୂର୍ବ ସହର ସେଭେରୋଡୋନେଷ୍କରେ ରୁଷର ସେନା ଆକ୍ରମଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ଲୁଗାନସ୍କ ଅଞ୍ଚଳର ସ୍ଥାନୀୟ ଅଧିକାରୀ ଟେଲିଗ୍ରାମରେ ଏକ ବିବୃତିରେ କହିଥିଲେ । ସେ କହିଥିଲେ ଯେ, ରୁଷର ସୈନ୍ୟବାହିନୀ ସହରର ଆବାସିକ ଘର ଏବଂ ଅନ୍ୟାନ୍ୟ ଅଟ୍ଟାଳିକା ଉପରେ ଗୁଳି ଚଳାଇବା ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ଆଜି ୟୁକ୍ରେନ ସେନା ଦାବି କରିଛି ଯେ ଯୁଦ୍ଧରେ ଏପର୍ଯ୍ୟନ୍ତ ୧୨,୦୦୦ ରୁ ଅଧିକ ରୁଷ ସୈନ୍ୟ ମୃତ୍ୟୁବରଣ କରିଛନ୍ତି । ତେବେ ୧୪ଦିନ ବିତିଯାଇଥିଲେ ବି ୟୁକ୍ରେନ୍କୁ ଗ୍ରହଣ କରିବା ପାଇଁ ‘ନାଟୋ’ ପ୍ରସ୍ତୁତ ନଥିବାରୁ ୟୁକ୍ରେନ୍ର ‘ନାଟୋ’ ସଦସ୍ୟତା ପାଇଁ ଆଉ ଜିଦ୍ କରିବି ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ଜେଲେନ୍ସ୍କି ।