ମସ୍କୋ : ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ଯୁଦ୍ଧ ଶୁକ୍ରବାର ନବମ ଦିନରେ ପହଞ୍ଚିଛି । ଇତିମଧ୍ୟରେ ଶୁକ୍ରବାର ସନ୍ଧ୍ୟାରେ ମିଳିଥିବା ଅପ୍ଡେଟ୍ ଅନୁସାରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସ୍କି କିଏଭ୍ସ୍ଥିତ ବଙ୍କର୍ରୁ ବାହାରି ପୋଲାଣ୍ଡ ପଳାୟନ କରିଛନ୍ତି । ରୁଷ୍ ନ୍ୟୁଜ୍ ଏଜେନ୍ସି ସ୍ପିଟ୍ନିକ୍ ପକ୍ଷରୁ ଏହି ଦାବି କରାଯାଇଛି । ଜେଲେନ୍ସ୍କି ୟୁକ୍ରେନ୍ର ୱାର୍ଜୋନ୍ରେ ଅଛନ୍ତି ବୋଲି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପକ୍ଷରୁ ଭିଡିଓ ଜାରି କରାଯିବା ପରେ ସ୍ପୁଟ୍ନିକ୍ ଏହି ଦାବି କରିଛି ।
ଜେଲେନ୍ସ୍କି ଯେବେ ଚାହିଁବେ ତାଙ୍କୁ ୟୁକ୍ରେନ୍ରୁ ଏୟାର୍ଲିଫ୍ଟ କରାଯିବ ବୋଲି ଦୁଇଦିନ ତଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିଥିବାରୁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପୋଲାଣ୍ଡ ପଳାୟନ ବହୁ ଗୁରୁତ୍ୱ ବହନ କରୁଛି । ତେବେ ୟୁକ୍ରେନ୍ ପକ୍ଷରୁ ଜାରି ଏକ ବୟାନରେ ଏହାକୁ ଅସ୍ୱୀକାର କରାଯିବା ସହ ଜେଲେନ୍ସ୍କି ଏବେ ବି ରାଜଧାନୀ କିଏଭ୍ରେ ଅଛନ୍ତି ବୋଲି କୁହାଯାଇଛି । ୟୁକ୍ରେନ୍ ପକ୍ଷରୁ ଏହି ଖବରକୁ ଅସ୍ୱୀକାର କରାଇଥିଲେ ମଧ୍ୟ ନିଜ ଦେଶରେ ଜେଲେନ୍ସ୍କିଙ୍କ ଜୀବନ ପ୍ରତି ବହୁ ବିପଦ ରହିଛି ବୋଲି କୁହାଯାଇପାରେ । ବ୍ରିଟିଶ୍ ଖବରକାଗଜ ଦି ଟାଇମ୍ସର ରିପୋର୍ଟ ଅନୁସାରେ ଗତ ସପ୍ତାହକ ମଧ୍ୟରେ ଜେଲେନ୍ସ୍କି ହତ୍ୟା କରିବା ପାଇଁ ତିନିଥର ଉଦ୍ୟମ ହୋଇସାରିଛି । ତେବେ ଏହି ହତ୍ୟା ଉଦ୍ୟମକୁ ବିଫଳ କରିବା ପଛରେ ରୁଷ୍ର ଲୋକଙ୍କ ସାମିଲ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଜେଲେନ୍ସ୍କିଙ୍କୁ ହତ୍ୟା କରିବା ଦାୟିତ୍ୱ ରୁଷ୍ରେ ଭେଗ୍ନର୍ ଓ ଚେଚନ୍ ସ୍ପୋଶାଲ୍ ଫୋର୍ସକୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଦାବି କରାଯାଇଛି । ତେବେ ରୁଷ୍ ଫେଡେରାଲ୍ ସିକ୍ୟୁରିଟି ସହାୟତାରେ ଜେଲେନ୍ସ୍କିଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମକୁ ବିଫଳ କରାଯାଇଥିଲା । ରିପୋର୍ଟ ଅନୁସାରେ ହତ୍ୟା ଉଦ୍ୟମ ପୂର୍ବରୁ ଫେଡେରାଲ୍ ସିକ୍ୟୁରିଟି ସୂଚନା ଲିକ୍ କରିଦେବା ଫଳଳେ ଜେଲେନ୍ସ୍କି ପ୍ରତ୍ୟେକ ଥର ବର୍ତ୍ତିଯାଇଥିଲେ । ରୁଷୀୟ ଫେଡେରାଲ୍ ସିକୁରିଟି ପୁଟିନ୍ଙ୍କ ଯୁଦ୍ଧ ନିଷ୍ପତ୍ତିର ବିରୋଧୀ । ତାଙ୍କୁ ହତ୍ୟା କରିବା ପାଇଁ ରୁଷ୍ ୪୦୦ ହତ୍ୟାକାରୀଙ୍କୁ ପଠାଇଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି କିଛିଦିନ ତଳେ ଦାବି କରିଥିଲେ ।