34.1 C
Bhubaneswar
Friday, March 29, 2024
Homeଓଡିଶାପଞ୍ଚାୟତ ଭୋଟରେ ବିଫଳତାକୁ ସ୍ୱୀକାର କଲେ ବିରୋଧୀ

ପଞ୍ଚାୟତ ଭୋଟରେ ବିଫଳତାକୁ ସ୍ୱୀକାର କଲେ ବିରୋଧୀ

ଭୁବନେଶ୍ୱର: ଏହା ଜନାଦେଶ ନୁହେଁ ଧନାଦେଶ । ପଞ୍ଚାୟତ ନିର୍ବାଚନ ପରେ ନିଜ ଦୋଷ ଦୁର୍ବଳତାକୁ ନମାନି ଶାସକ ବିଜେଡିକୁ ଏଭଳି କଟାକ୍ଷ କରିଥିଲା ବିଜେପି । ହେଲେ ଶୁକ୍ରବାର ଏହି ଦଳର ବରିଷ୍ଠ ନେତା ୟୁଟର୍ଣ୍ଣ ମାରିଛନ୍ତି ଏବଂ ଆମର ପ୍ରସ୍ତୁତି ତ୍ରୁଟିପୂର୍ଣ୍ଣ ଥିଲା ବୋଲି ସତ ମାନିଛନ୍ତି । ଏହି ବଡ଼ ବୟାନ ଦେଇଥିବା ଚର୍ଚ୍ଚିତ ନେତା ଜଣକ ହେଉଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । କେବଳ ସେ ନୁହଁନ୍ତି କଂଗ୍ରେସ ବି ଆଉ ଶାସକ ଦଳକୁ ଟାର୍ଗେଟ୍ ନକରି ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଆମେ ଦାୟି ବୋଲି ଖୋଲାଖୋଲି ମତ ଦେଇଛି । ଏଭଳିସ୍ଥିତିରେ ପୌର ନିର୍ବାଚନରେ ଉଭୟ ଦଳ କେତେ ସଫଳ ହେବେ ତାହାକୁ ନେଇ ରାଜନୈତିକ ମହଲରେ ଅଙ୍କକଷା ଆରମ୍ଭ ହୋଇଛି ।
ଏକ ଘରୋଇ ଟିଭି କାର୍ଯ୍ୟକ୍ରମରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ କହିଛନ୍ତି ଯେ ନିର୍ବାଚନ ପାଇଁ ଆମ ପ୍ରସ୍ତୁତିରେ ତ୍ରୁଟି ଥିଲା । ଶତ୍ରୁର ମର୍ମସ୍ଥଳକୁ ଯେଭଳି ଆଘାତ ଦେବାର ଆବଶ୍ୟକତା ଥିଲା, ସେମିତି ଦେଇ ପାରିଲୁନି । ତାହା ଅକ୍ଷମଣୀୟ । ଆମକୁ ଆହୁରି ଦାୟିତ୍ୱ ନେବାକୁ ପଡ଼ିବ । ତେବେ ଲୋକଙ୍କୁ ସ୍ୱାଧୀନ ଭାବେ ମତ ଦେବାକୁ ସୁଯୋଗ ଦିଆଯାଇ ନଥିଲା । ଏହି ଜନାଦେଶ ପଛରେ ପ୍ରଚୁର ଧନଶକ୍ତିର ବିନିଯୋଗ ହୋଇଥିଲା । ତେଣୁ ଓଡ଼ିଶାରେ ଗଣତନ୍ତ୍ରର ମୃତ୍ୟୁ ହୋଇଯାଉଛି । ଏଭଳି ଏକତରଫା ବିଜୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ସେ ପୁଣି କହିଥିଲେ, ଫଳାଫଳକୁ ନେଇ ଆମେ ଚିନ୍ତିତ, ହେଲେ ହତୋତ୍ସାହିତ ନୁହଁ । ତ୍ରୁଟିର ସଂଶୋଧନ କରି ଓ ନୂଆ ଉତ୍ସାହ ନେଇ ଆମେ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ହେଉଛୁ । ପ୍ରତ୍ୟେକ ପରାଜୟ ନୂଆ ସୁଯୋଗ ଦିଏ । ସେହିପରି କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି ଯେ ଆମ ଘର ସଂପୂର୍ଣ୍ଣ ଅସଜଡ଼ା । ଅସଜଡ଼ା ଘରକୁ କେହି ପସନ୍ଦ କରନ୍ତି ନାହିଁ । ପଞ୍ଚାୟତ ନିର୍ବାଚନ ବିପର୍ଯ୍ୟୟ ପାଇଁ ଆମେ ଦାୟୀ । ଏନେଇ ଆତ୍ମ ସମୀକ୍ଷା କରୁଛୁ । ଘରକୁ ସଜାଡ଼ିବାକୁ ଛେଷ୍ଟା ଜାରି ରହିଛି । ତେବେ ଅର୍ଥ ହିଁ ବାଧକ ସାଜିଛି ବୋଲି ସେ ପ୍ରକାଶ କରିଥିଲେ ।
ଉଭୟ ନେତାଙ୍କ କଥାକୁ ତର୍ଜମା କଲେ କେତେକ କଥା ସ୍ୱତଃ ମନକୁ ଆସୁଛି । ପୌର ନିର୍ବାଚନ ଚାଲିଥିବା ବେଳେ ଏଭଳି ବୟାନ ସେମାନେ ଦେବାର କାରଣ କ’ଣ ଥାଇପାରେ । ନିଜ ଦଳର ତୃଣମୂଳ ନେତା ଓ କର୍ମୀ ଏହାଦ୍ୱାରା ହତୋତ୍ସାହିତ ହେବେନି କି ବୋଲି ପ୍ରଶ୍ନ ଉଠୁଛି । ଉଭୟ କଂଗ୍ରେସ ଓ ବିଜେପି ନେତା ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ନିଜର ଦଳର  ସ୍ଥିତି ବିଷୟରେ ଜାଣି ହୁଏତ ଆଗୁଆ କହିଦେଇଛନ୍ତି ।
ପଞ୍ଚାୟତ ନିର୍ବାଚନରେ ଆନୁପାତିକ ହାରରେ ଶାସକ ବିଜେଡି ୫୩%, ବିଜେପି ୩୦% ଓ କଂଗ୍ରେସ ୧୪% ଭୋଟ୍ ପାଇଛନ୍ତି । ବିଜେଡି ଯଦି ଏହି ହାରରେ ଭୋଟ୍ ପାଏ ତାହାଲେ ନିର୍ବାଚନ ହେବାକୁ ଥିବା କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ସହ ୧୦୬ ପୌର ପରିଷଦକୁ ବିଜେଡି ସହଜରେ ଅକ୍ତିଆର କରିନେବ । ରାଜନୀତି ବିଷାରଦଙ୍କ ମତରେ ବିଜେପି ଓ କଂଗ୍ରେସ ନୂଆ ରଣନୀତି ନ ଆପଣେଇଲେ ସଫଳ ହେଲା ଭଳି ମନେ ହେଉନି । ତେବେ ୩ଟି ମହାନଗର ନିଗମରେ ମୋଟ୍ ୧୬୮ ୱାର୍ଡର ୧୪ ଲକ୍ଷ ୨୬ ହଜାରରୁ ଅଧିକ ଭୋଟର୍ ଏବଂ ୧୦୬ ପୌର ପରିଷଦରେ ମୋଟ୍ ୧୭୩୧ ୱାର୍ଡର ୨୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର୍‌ଙ୍କ ହାତରେ ସବୁ ଚାବିକାଠି । ଆଗାମୀ ମାର୍ଚ୍ଚ ୨୬ରେ ପୌର ଗଣତି ପରେ ସବୁ ସ୍ପଷ୍ଟ ହୋଇଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking