କୁଆଁପାଳ: ମାହାଙ୍ଗାରେ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜନୈତିକ ହିଂସା ବଢିବାରେ ଲାଗିଛି। ଏହି ବ୍ଲକ ଅଧିନ ପୋଡାମରାଇ ପଞ୍ଚାୟତରେ ବିଜେପି ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀମାନେ ବିଜୟଲାଭ କରିବା ପରେ ସିନ୍ଧୁପୁର ଗ୍ରାମର କରୁଣାକର ସାମଲଙ୍କ ଦୁଇ ପୁଅ ବିଜେପି ରାଲିରେ ଯୋଗଦେବାରୁ ସିନ୍ଧୁପୁର ବଜାରରେ ଆଗରୁ ପ୍ରସ୍ତୁତ ହୋଇଥିବା ବିଜେଡି କର୍ମୀମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରୁ ଦୁଇ ଯୁବକ କୌଶଳକ୍ରମେ ଖସି ପଳାଇ ଆସିଥିଲେ। ଏହାପରେ ଉତ୍ତ୍ୟକ୍ତ ବିଜେଡି କର୍ମୀମାନେ ସିନ୍ଧୁପୁର ଗ୍ରାମରେ ପହଞ୍ଚି କରୁଣାକର ମଳିକଙ୍କ ଘରେ ନିଆଁ ଲଗାଇ ଦେଇଥିଲେ।
ଫଳରେ ଘରଟି ସମ୍ପୂର୍ଣ୍ଣ ପୋଡି ଯାଇଛି। ଏଥିସହିତ କରୁଣାକରଙ୍କର ନଳକୂପକୁ ମଧ୍ୟ ସେମାନେ ଭାଙ୍ଗିଦେଇଥିବା ଜଣାଯାଇଛି। ଏହାକୁ ନେଇ ମାହାଙ୍ଗା ଥାନରେ ୮ ଜଣଙ୍କ ନାମରେ ଅଭିଯୋଗ ହୋଇଛି। ସେହିପରି ଉତ୍ତ୍ୟକ୍ତ ଲୋକମାନେ ପୋଡାମରାଇ ଗ୍ରାମରେ ପହଞ୍ଚି ଦୁର୍ଯ୍ୟୋଧନ ଖଟୁଆଙ୍କ ଉପରେ ଅତର୍କିତ ଆକ୍ରମଣ କରି ତାଙ୍କୁ ହତ୍ୟା ଧମକ ଦେବା ସହ ବରାହୀପୁର ଗାଁରେ ବିଳମ୍ବିତ ରାତିରେ ବିଜେଡି କର୍ମୀମାନେ ପହଞ୍ଚି ବିଜେପି କର୍ମୀଙ୍କ ଘର କବାଟ ବାଡେଇବା ସହ ଗାଳିଗୁଲଜ ଓ ଧମକ ଦେଇଥିବା ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି। ଏଠାରେ ସୂଚନା ଥାଉ କି ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗାସ୍ଥିତ ବାସଭବନରେ ରହିଥିଲା ବେଳେ ମାହାଙ୍ଗାରେ ଏଭଳି ରାଜନୈତିକ ହିଂସା ବଢିବାକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି। ତୁରନ୍ତ ଏଥିପ୍ରତି ପ୍ରଶାସନ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।