ନୂଆଦିଲ୍ଲୀ: ଯୁଦ୍ଧ ସଂକଟଗ୍ରସ୍ତ ୟୁକ୍ରେନ୍ରୁ ଭାରତକୁ ବିମାନ ଚଳାଚଳ ଉପରେ ଥିବା କଟକଣା ଗୁରୁବାର କେନ୍ଦ୍ର ସରକାର ହଟାଇ ଦେଇଛନ୍ତି । ପୂର୍ବରୁ ଏୟାର୍ ବବଲ୍ ବ୍ୟବସ୍ଥା କାରଣରୁ ଫ୍ଲାଇଟ୍ ସଂଖ୍ୟାରେ କଟକଣା ଲାଗୁ କରାଯାଇଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି କଟକଣା ହଟାଇଦେବା ଫଳରେ ଏବେ ବିମାନ କମ୍ପାନୀ ଚାହିଦା ଅନୁସାରେ ବିମାନ ଅପରେଟ୍ କରିପାରିବେ। ଏହା ସହିତ ଦୁଇ ଦେଶ ମଧ୍ୟରେ ଚାର୍ଟାର୍ଡ ଫ୍ଲାଇଟ୍ ଚଳାଚଳ ବୃଦ୍ଧି ମଧ୍ୟ ପାଇବ ।
ଫଳରେ ଯୁଦ୍ଧ ଉତ୍ତେଜନା ଯୋଗୁଁ ୟୁକ୍ରେନ୍ରୁ ଦେଶକୁ ଫେରିବାକୁ ଚାହୁଁଥିବା ନାଗରିକଙ୍କ ଏହା ପାଇଁ ସହାୟକ ହେବ । ୟୁକ୍ରେନ୍ରେ ଥିବା ଭାରତୀୟ ନାଗରିକ ଏବଂ ଭାରତରେ ଥିବା ସେମାନଙ୍କ ପରିବାରଙ୍କ ସୁବିଧା ପାଇଁ କିଭ୍ସ୍ଥିତ ଭାରତୀୟ ଦୂତାବାସ ଓ ନୂଆଦିଲ୍ଲୀରେ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି । ଦୂତାବାସରେ ୨୪ ଘଣ୍ଟିଆ ହେଲ୍ପଲାଇନ୍ ବ୍ୟବସ୍ଥା ମଧ୍ୟ କରାଯାଇଛି । ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ବିପଦକୁ ଦୃଷ୍ଟିରେ ରଖି କିଭ୍ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ମଙ୍ଗଳବାର ୟୁକ୍ରେନ୍ରେ ଥିବା ଭାରତୀୟ ଛାତ୍ର ଏବଂ ନାଗରିକଙ୍କ ନିମନ୍ତେ ଆଡ୍ଭାଇଜରୀ ଜାରି କରାଯାଇଥିଲା ।