ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଆରମ୍ଭ ହୋଇଥିବାବେଳେ ପୌର ନିର୍ବାଚନ ନେଇ କସ୍ରତ ପ୍ରାୟ ଶେଷ ପର୍ଯ୍ୟାୟରେ ରହିଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଓ ଗାଡ଼ି ବ୍ୟବହାର ନେଇ ମଙ୍ଗଳବାର ନିର୍ଦ୍ଦେଶନାମା ଜାରିହୋଇଛି । ପ୍ରତ୍ୟେକ ୱାର୍ଡର କାଉନ୍ସିଲର ଓ କର୍ପୋରେଟର ପଦ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ତିନିଚକିଆ ଓ ଚାରିଚକିଆ ଗାଡ଼ିକୁ ମିଶାଇ ସର୍ବାଧିକ ଦୁଇଟି ଗାଡ଼ି ବ୍ୟବହାର କରିପାରିବେ । ବିଜ୍ଞାପିତଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି ଅଞ୍ଚଳ ମଧ୍ୟରେ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ତିନିଚକିଆ ଓ ଚାରିଚକିଆ ଗାଡ଼ି ମିଶାଇ ସର୍ବାଧିକ ଚାରୋଟି ଗାଡ଼ି ବ୍ୟବହାର କରିପାରିବେ । ସେହିପରି ମହାନଗରନିଗମ ଅଞ୍ଚଳ ମଧ୍ୟରେ ମେୟର ପଦ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୬ଟି (ତିନିଚକିଆ ଓ ଚାରିଚକିଆ ଯାନ ସହ) ବ୍ୟବହାର କରିପାରିବେ ।
ସଂପୃକ୍ତ ରାଜନୈତିକ ଦଳମାନେ ପ୍ରତ୍ୟେକ ମହାନଗର ନିଗମ ଓ ମ୍ୟୁନିସିପାଲିଟି ଅଞ୍ଚଳ ପାଇଁ ନିର୍ବାଚନ କାର୍ଯ୍ୟରେ ଦୁଇଟି ଚାରିଚକିଆ ଗାଡ଼ି ବ୍ୟବହାର କରିପାରିବେ । ନିର୍ଦ୍ଦେଶନାମାରେ ପ୍ରାର୍ଥୀମାନେ କେଉଁ ପ୍ରକାରର ଗାଡ଼ି, ଗାଡ଼ିର ପଞ୍ଜୀକରଣ ନମ୍ବର ଓ ଗାଡ଼ିର ମାଲିକ ସମ୍ପର୍କରେ ନିର୍ବାଚନ କାର୍ଯ୍ୟରେ ବ୍ୟବହାର ପୂର୍ବରୁ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇବେ ବୋଲି କୁହାଯାଇଛି । ପୌର ନିର୍ବାଚନରେ ପ୍ରାର୍ଥୀମାନେ ଓଡ଼ିଶା ମ୍ୟୁନିସିପାଲିଟି ଅଧିନିୟମ ୧୯୫୦ର ଧାରା ୧୭ (କ)ର ଉପଧାରା (ଆଇ) ଅନୁସାରେ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ବିଜ୍ଞାପିତ ଅଞ୍ଚଳ ପରିଷଦ,ମ୍ୟୁନିସିପାଲିଟି ଅଞ୍ଚଳ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କାଉନ୍ସିଲର, କର୍ପୋରେଟର ପ୍ରାର୍ଥୀମାନେ ସର୍ବାଧିକ ୫୦ ହଜାର ଟଙ୍କା ଓ ଅଧ୍ୟକ୍ଷ ପଦ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।
୫୦ ହଜାରରୁ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ମ୍ୟୁନିସିପାଲିଟି ଅଞ୍ଚଳରେ କାଉନ୍ସିଲର, କର୍ପୋରେଟର ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୭୫ ହଜାର ଟଙ୍କା ଓ ଅଧ୍ୟକ୍ଷ, ମେୟର ପ୍ରାର୍ଥୀମାନେ ସର୍ବାଧିକ ୩ ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ । ତେବେ ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ମ୍ୟୁନିସିପାଲିଟି ଅଞ୍ଚଳରେ କାଉନ୍ସିଲର, କର୍ପୋରେଟର ପଦ ନିମନ୍ତେ ପ୍ରାର୍ଥୀମାନେ ସର୍ବାଧିକ ୧ ଲକ୍ଷ ଓ ଅଧ୍ୟକ୍ଷ, ମେୟର ପ୍ରାର୍ଥୀମାନେ ସର୍ବାଧିକ ୫ ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ । ହେଲେ ମହାନଗର ନିଗମର କର୍ପୋରେଟର ନିମନ୍ତେ ପ୍ରାର୍ଥୀମାନେ ସର୍ବାଧିକ ୨ ଲକ୍ଷ ଓ ମେୟର ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୧୨ ଲକ୍ଷ ଟଙ୍କା ନିର୍ବାଚନୀ ଖର୍ଚ୍ଚ କରିପାରିବେ ବୋଲି କମିଶନଙ୍କ ପକ୍ଷରୁ ସ୍ପଷ୍ଟକରାଯାଇଛି ।